ବୈଶାଖ ମାସ ଭଗବାନ ବିଷ୍ଣୁଙ୍କ ପ୍ରିୟ ମାସ। ଏହି ମାସକୁ ମାଧବ ମାସ ବୋଲି ମଧ୍ୟ କୁହାଯାଇଥାଏ। ଏହି ସମୟରେ ଅନ୍ନ ଦାନ, ଜଳ ଦାନ, ଛତା ଦାନର ବିଶେଷ ମହତ୍ୱ ରହିଛି। ଯାହାଦ୍ୱାରା ସୁଖ-ସମୃଦ୍ଧି ଓ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। ଗରୁଡ଼ ଓ ସ୍କନ୍ଦ ପୁରାଣ ଅନୁସାରେ ଏହି ମାସ ସାରା ନାରାୟଣଙ୍କୁ ପୂଜା କରି ଚରଣରେ ଜଳାଭିଷେକ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ। ବୈଶାଖ ମାସରେ ସ୍ନାନ, ଦାନ, ଜପ ଓ ତପର ଫଳ ଅକ୍ଷୟ ହୋଇଥାଏ, ଏବଂ ଜୀବନ ସାରା ଏହାର ପୁଣ୍ୟ ଭାଗ୍ୟ ଉପରେ ରହିଥାଏ। ସୂର୍ଯ୍ୟ ଦେବ ହେଉଛନ୍ତି ସଂସାରର ଶକ୍ତିର ଉତ୍ସ, ତେଣୁ ଏହି ମାସରେ ସ୍ନାନ ଓ ଦାନ ସହିତ ସୂର୍ଯ୍ୟ ଦେବ ଏବଂ ନାରାୟଣଙ୍କ କୃପା ଲାଭ ହୋଇଥାଏ। ଗରମର ପ୍ରଭାବ ଅଧିକ ରହିଥିବା କାରଣରୁ ଏହି ମାସରେ ଜଳ ଦାନର ବିଶେଷ ମହତ୍ୱ ରହିଛି। ଜଳ ଦାନକୁ ଗରୁଡ଼ ପୁରାଣରେ ସର୍ବୋତ୍ତମ ଦାନ ବୋଲି କୁହାଯାଏ। ଏହି ମାସରେ ଛତା, ଜୋତା, ଅନ୍ନ, ବସ୍ତ୍ର, ଇତ୍ୟାଦି ଦାନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ। ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ଶ୍ରେଷ୍ଠ ମାସ ଅଟେ, ଏହି ମାସରେ ମାତା ଲକ୍ଷ୍ମୀ ଓ ନାରାୟଣଙ୍କୁ ମିଳିତ ଭାବରେ ପୂଜନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ।





