ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ମା’ ତାରିଣୀ ମନ୍ଦିର ପରିସରରେ ମା’ ତାରିଣୀଙ୍କ ତ୍ରୀଦିବସୀୟ ମେଳା ଆରମ୍ଭ ହୋଇଛି | ଏହି ଅବସରରେ ମାଆ ତାରିଣୀଙ୍କ ମହାସ୍ନାନ, ସହସ୍ର କୁମ୍ଭାଭିଷେକ ଓ ସୁନା ବେଶ ଅନୁଷ୍ଠିତ ହେବ | ରମେଶ ପୁଟେଲ, ସରୋଜିନୀ ପୁଟେଲ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି | ମୁଖ୍ୟ ପୂଜକ ପଣ୍ଡିତ ଜନ୍ମେଜୟ ଖମାରୀଙ୍କୁ ପୂଜାକାର୍ଯ୍ୟରେ ଅଦ୍ୱୈତ ଖମାରୀ, ହରେକୃଷ୍ଣ ମହାନ୍ତି, ବଳରାମ ଥନାପତି, ଇନ୍ଦ୍ରଜିତ ଥନାପତି ସହାୟତା କରୁଛନ୍ତି | ଏହି ଉପଲକ୍ଷେ ଶନିବାର ଅନୁଷ୍ଠିତ କଳସ ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇ ନିକଟସ୍ଥ ଜଳାଶୟରୁ କଳସରେ ଜଳ ସଂଗ୍ରହ କରିଥିଲେ | ପରେ ଜଳପୂର୍ଣ୍ଣ କଳସକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା | ଟିକ୍ରାପଡ଼ା ଘଣ୍ଟବାଦ୍ୟ ଦଳର ଚମତ୍କାର ଘଣ୍ଟବାଦ୍ୟ ପରିବେଷଣ କଳସ ଯାତ୍ରାର ମୁଖ୍ୟ ଆକର୍ଷଣ ରହିଥିଲା | ମେଳା ଯୋଗୁଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି | ୧୨ ତାରିଖ ରବିବାର ରାତ୍ରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ | ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫୦୦୦, ୩୦୦୦ ଓ ୨୦୦୦ ଟଙ୍କା ପୁରସ୍କୃତ କରାଯିବ |ମେଳା ପରିଚାଳନା ସମିତିର ସଦସ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି |





