ସିଜିମାଳି ଅଞ୍ଚଳରେ ହୋଇଥିବା ଖଣ୍ଡ ଯୁଦ୍ଧ ପ୍ରସଙ୍ଗ: ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ପାହାଡ଼ରେ ହୋଇଥିବା ଖଣ୍ଡ ଯୁଦ୍ଧ ଘଟଣାର ପ୍ରଦେଶ କଂଗ୍ରେସ କମିଟି ଅନୁଧ୍ୟାନ କରିବାପରେ ଅଧ୍ୟକ୍ଷ ତଥା ସାଂସଦ ସପ୍ତଗିରୀ ଶଙ୍କର ଉଲାକାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏବଂ ଏସପି ସ୍ବାତୀ ଏସ କୁମାରଙ୍କୁ ସାକ୍ଷାତ କରି ୪ଟି ପ୍ରମୁଖ ଦାବି ଉଲ୍ଲେଖ କରିବା ସହିତ ବେନିୟମ ଘଟଣା ଗୁଡିକ ଉପରେ ନିନ୍ଦା କରି ଦୁଇ ଫର୍ଦର ଚିଠା ପ୍ରଦାନ କରିଛନ୍ତି । କୋରାପୁଟ ସାଂସଦ ଶ୍ରୀ ଉଲାକାଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ବାରା ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ସିଜିମାଲି ଅଞ୍ଚଳର କଣ୍ଟାମାଳ, ସାଗବାରୀ ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଆମର ଆଦିବାସୀଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି । ସମ୍ବିଧାନ ଏବଂ ପ୍ରାସଙ୍ଗିକ ଆଇନ ବିନା ଆଗକୁ ବଢ଼ିବାକୁ ଦେବୁ ନାହିଁ । ଜିଲ୍ଲା ପ୍ରଶାସନ ଦ୍ବାରା ବେନିୟମ ଭାବେ ହୋଇଥିବା କାର୍ଯ୍ୟକୁ ନିନ୍ଦା କରିବା ସହ ପ୍ରମୁଖ ୪ଟି ଦାବି ଉଲ୍ଲେଖ କରିଛନ୍ତି । ଯାହା ନିୟମଗିରି ଗ୍ରାମସଭା ପ୍ରକ୍ରିୟା ପରି, ନ୍ୟାୟିକ ତଦାରଖରେ ଏକ ନିରପେକ୍ଷ ଓ ସ୍ବଚ୍ଛ ଗ୍ରାମସଭା ପ୍ରକ୍ରିୟା ସିଜିମାଳିରେ କରାଯିବା ଉଚିତ ବୋଲି ଶ୍ରୀ ଉଲାକା କହିଛନ୍ତି । ପ୍ରକଳ୍ପ କାର୍ଯ୍ୟ ପୂର୍ବରୁ ସମସ୍ତ ବିଚାରାଧିନ ସାମୁଦାୟିକ ଓ ବ୍ୟକ୍ତିଗତ ଜଙ୍ଗଲ ଅଧିକାରକୁ ତୁରନ୍ତ ସ୍ବୀକୃତି ଦେଇ ସମାଧାନ କରାଯିବା ଏବଂ ନିରୀହ ଗ୍ରାମବାସୀଙ୍କ ବିରୁଦ୍ଧରେ ଥ‌ିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରାଯିବା ଉଚିତ ବୋଲି କମିଟି ଜିଲ୍ଲାପାଳଙ୍କୁ ଅବଗତ କରିଥିଲା । ଏହି ଆଲୋଚନା ଏବଂ ଦାବିପତ୍ର ଦେବା ସମୟରେ ବିରୋଧୀ ଦଳ ନେତା ତଥା ବିଧାୟକ ରାମଚନ୍ଦ୍ର କାଡାମ୍, ରାୟଗଡା ବିଧାୟକ ଆପାଲାସ୍ବାମୀ କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାଜ୍ୟ କଂଗ୍ରେସ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା,ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.