‘ଓଡ଼ିଆ ପକ୍ଷ – ୨୦୨୬’ ପାଳନ ଅବସରରେ ବାଲେଶ୍ଵରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ବନ୍ଦନୀୟ ବରପୁତ୍ର’ ଓ କବିତା ପାଠ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ‘ଓଡ଼ିଆ ପକ୍ଷ’ର ଦ୍ଵାଦଶ ଦିନରେ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇ ରାଜ୍ୟର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ‘ବନ୍ଦନୀୟ ବରପୁତ୍ର’ ଓ ‘କବିତା ପାଠ’ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲରେ ଆୟୋଜିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନାଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ଵର ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲାପାଳ (ସାଧାରଣ) ଶ୍ରୀ ସୁଧାକର ନାଏକ ଓ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂହ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟ ଏବଂ ବରପୁତ୍ରମାନଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିବା ସହ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ମତବ୍ୟକ୍ତ କରିଥିଲେ।‌ଏଥିସହ ବରପୁତ୍ରମାନେ ଦେଶ ବିଦେଶରେ ଓଡ଼ିଶା ଏବଂ ଓଡ଼ିଆମାନଙ୍କର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଓଡ଼ିଆ ବୋଲି ଗର୍ବ କରିବାକୁ ଯେଉଁମାନଙ୍କ ଅବଦାନ ରହିଛି, ସେମାନଙ୍କୁ ସମସ୍ତ ଓଡ଼ିଶା ବାସୀ ତଥା ବାଲେଶ୍ୱର ବାସୀ ଜାଣିବା ନିହାତି ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ବାଲେଶ୍ଵର ଜିଲ୍ଲାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବେ ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାଚୀନ ଓ ମଧ୍ୟ ଯୁଗକୁ ବାଲେଶ୍ଵରର ବରପୁତ୍ରଙ୍କ ଅବଦାନ ବିଷୟବସ୍ତୁ ଆଧାରିତ ଆଲୋଚନାରେ ବରପୁତ୍ର ଜାନକୀ ବଲ୍ଲଭ କର, ପୁରୁଷୋତ୍ତମ ଦାସ, ପଣ୍ଡିତ ଶ୍ରୀଧର ସ୍ଵାମୀ ଏବଂ ଶ୍ରୀ ବଳଦେବ ବିଦ୍ୟାଭୂଷଣଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟତମ ଆଲୋଚକ ଭାବେ ଶ୍ରୀ ଶିରୀଶ ଚନ୍ଦ୍ର ଜେନା ଆଧୁନିକ ଯୁଗକୁ ବାଲେଶ୍ଵରର ବରପୁତ୍ରଙ୍କ ଅବଦାନ ବିଷୟବସ୍ତୁ ଆଧାରିତ ଆଲୋଚନାରେ ବରପୁତ୍ର ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ରାଜା ବୈକୁଣ୍ଠ ନାଥ ଦେବ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଡ଼. ହରେକୃଷ୍ଣ ମହତାବ, ରାମକୃଷ୍ଣ ପଟ୍ଟନାୟକ, ଅନନ୍ତ ପ୍ରସାଦ ପଣ୍ଡା, ପଦ୍ମଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ, ଚନ୍ଦ୍ରମୋହନ ମହାରଣା, ଅବଦୁଲ ରହିମ, ବାଞ୍ଛାନିଧି ମହାନ୍ତି, ଯଦୁନାଥ ଦାସ ମହାପାତ୍ର, ଐତିହାସିକ ମନ୍ମଥ ନାଥ ଦାସ, ପଦ୍ମଭୂଷଣ ମନୋଜ ଦାସ, ବ୍ରଜନାଥ ରଥ, ନରେନ୍ଦ୍ର ନାଥ ମିଶ୍ର, ବୈଷ୍ଣବ ଚରଣ ଦାସ, ଶଶୀଭୂଷଣ ରାୟ ଇତ୍ୟାଦିଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶେଷ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ଜିଲ୍ଲାର ୫୦ ଜଣ ବିଶିଷ୍ଟ କବି ଓ କବୟିତ୍ରୀ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ବରପୁତ୍ରଙ୍କ ଅବଦାନ ବିଷୟବସ୍ତୁ ଆଧାରିତ ସ୍ଵରଚିତ କବିତା ପାଠ କରିଥିଲେ। ଏହି କବିତା ପାଠୋତ୍ସବକୁ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ ମହାପାତ୍ର ଓ ଶ୍ରୀ ପଦ୍ମଲୋଚନ ପ୍ରଧାନ ସଂଯୋଜନା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.