ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଖରା ଛୁଟି ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଯୋଗାଇ ଦିଆଯିବ ବୋଲି ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଡ୍ରେସ ବଣ୍ଟନ ନେଇ ଏସ.ଓ.ପି. ଜାରି ହୋଇଛି। ଯେଉଁମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ, ସେମାନଙ୍କ ନାଁ ରେ କିଛି ଅଭିଯୋଗ ଥିଲେ କାଟି ଦିଆଯିବ। ଯେଉଁ ମାନଙ୍କ ନାଁରେ କିଛି ଅଭିଯୋଗ ନାହିଁ ସେମାନଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱ ଦିଆଯିବ। ତେବେ ମନ୍ତ୍ରୀଙ୍କ ବିବୃତ୍ତି ପରେ ନର୍ଲା ବ୍ଲକର ଅନେକ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଓ ଅବିଭାବକମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁସାରେ ନର୍ଲା ବ୍ଲକରେ ୧୨୮ ପ୍ରାଥମିକ, ୫୨ଟି ଉଚ୍ଚ ପ୍ରାଥମିକ ଓ ୨୯ଟି ଉଚ୍ଚ ବିଦ୍ୟାଳୟ ରହିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପାଖାପାଖି ୧୨୫୦୦ ଓ ଉଚ୍ଚ ବିଦ୍ୟାଳୟରେ ପାଖାପାଖି ୩୮୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗତ ୨୦୨୫-୨୬ ଶିକ୍ଷା ବର୍ଷରେ ନର୍ଲା ବ୍ଲକର ଏସବୁ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଅନେକ ଏଜେନ୍ସି ଓ ଏସଏଚଜି ପୋଷାକ ଯୋଗାଇଥିଲେ। ଏମାନଙ୍କ ମଧ୍ୟରୁ କାର୍ଯ୍ୟାଦେଶ ପାଇଥିବା ରୁପ୍ରାରୋଡର ସମସ୍ତ ଏଜେନ୍ସି ଓ ହାଉସ ଡ୍ରେସ ଯୋଗାଣ ସଂସ୍ଥା ଠିକ୍ ଭାବେ ପୋଷାକ ଯୋଗାଇ ଥିଲେ। ତେବେ କେତେକ ଏସଏଚଜି ଭିତ୍ତିଭୂମି ନଥାଇ କାର୍ଯ୍ୟାଦେଶ ପାଇଥିବାରୁ ସେମାନେ ଠିକ୍ ଢ଼ଙ୍ଗରେ ସେମାନଙ୍କ ଦାଇତ୍ୱ ନିର୍ବାହ କରିପାରିନଥିଲେ। ତେଣୁ ସଂପୃକ୍ତ ଏସଏଚଜି ମାନଙ୍କୁ ପୋଷାକ ବଣ୍ଟନ ଥାଇତ୍ବ ନଦେବାକୁ ଦାବି କରିଛନ୍ତି ଅନେକ ଏସଏମସି। ଅଭିଯୋଗ ଅନୁସାରେ, ଏଚଏଚଜି ମାନେ ନିଜେ ପୋଷାକ ସିଲେଇ କରି ପ୍ରଦାନ କରିବା କଥା। କିନ୍ତୁ ସେମାନେ ଏହା ନକରି ଅନ୍ୟ କପଡ଼ା ବ୍ୟବସାୟୀମାନଙ୍କ ଠାରୁ ରେଡିମେଟ ଡ୍ରେସ ନେଇ ସ୍କୁଲ ମାନଙ୍କରେ ଦେଇଥିଲେ। ଯଦି କୌଣସି ଛାତ୍ରଛାତ୍ରୀମାନଙ୍କ ଡ୍ରସ ଛୋଟ କିମ୍ବା ବଡ଼ ହୋଇଥିଲା ତାହାକୁ ବଦଳାଇବା ଦିଗରେ ଉକ୍ତ ଏସଏଚଜିମାନେ ଧ୍ୟାନ ଦେଇନଥିଲେ। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାସହ କେତେକ ଏସଏଚଜି ଯୋଗାଇ ଦେଇଥିବା ପୋଷାକର ମାନ ମଧ୍ୟ ନିମ୍ନମାନର ଥିବା ବିଦ୍ୟାଳୟ ପରିଚାଳନା କମିଟି ଓ ଅବିଭାବକମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଚଳିତବର୍ଷ ବ୍ଲକ ଶିକ୍ଷା ବିଭାଗ ଠିକ୍ ଏଜେନ୍ସିକୁ ଡ୍ରେସ ବଣ୍ଟନ ଦାୟିତ୍ୱ ଦେବା ସହ ଯେଉଁ ମାନଙ୍କ ନାମରେ ଅଭିଯୋଗ ଆସିଛି ସେମାନଙ୍କୁ ବାଦ ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଏନେଇ ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଛି ସେମାନଙ୍କୁ ବାଦ୍ ଦିଆଯିବ, ଯେଉଁ ମାନଙ୍କ ନାଁରେ କିଛି ଅଭିଯୋଗ ନାହିଁ ସେମାନଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱ ଦିଆଯିବ।





