ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଓଡ଼ିଆ ପକ୍ଷର ପାଳନ ଅବସରରେ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ “ଆମ ରୁଚି ଆମ ଖାଦ୍ୟ” ଶୀର୍ଷକରେ ଏକ ବିଶିଷ୍ଟ ସାଂସ୍କୃତିକ ଓ ପାରମ୍ପରିକ ପାକଶାଳା ଆଧାରିତ କାର୍ଯ୍ୟକ୍ରମ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ସଫଳତାର ସହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଶ୍ରୀମତୀ ନମ୍ରତା ମିଶ୍ରଙ୍କ ସୁଚିନ୍ତିତ ତତ୍ତ୍ୱାବଧାନ ଓ ସୁକୌଶଳ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ୍ କାଟି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଓ ତାଙ୍କର ଉଦ୍ବୋଧନରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଉପସ୍ଥିତ ରହି ଓଡ଼ିଶାର ପାରମ୍ପରିକ ଖାଦ୍ୟର ବିଭିନ୍ନ ପ୍ରକାର, ସେଗୁଡ଼ିକର ପୌଷ୍ଟିକ ମୂଲ୍ୟ ଓ ଦୈନିକ ଜୀବନରେ ତାହାର ପ୍ରୟୋଜନୀୟତା ବିଷୟରେ ସୂଚକ ଆଲୋଚନା ପ୍ରସ୍ତୁତ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଓଡ଼ିଆ ଏବଂ ଜଗନ୍ନାଥ ସଂସ୍କୃତିସମ୍ପର୍କିତ ଖାଦ୍ୟ ପଦାର୍ଥ। ମୋଟ ୧୦ଟି ଷ୍ଟଲ୍ରେ ସଜାଯାଇଥିବା ଏହି ପଦାର୍ଥଗୁଡ଼ିକ ଦର୍ଶକମାନଙ୍କ ମନକୁ ଆକର୍ଷିତ କରିଥିଲା। ଉପସ୍ଥିତ ଅତିଥିମାନେ ଖାଦ୍ୟଗୁଡ଼ିକର ସ୍ୱାଦ ଗ୍ରହଣ କରି ସେଗୁଡ଼ିକର ଗୁଣମାନ ଓ ପ୍ରସ୍ତୁତିକୁ ମୂଲ୍ୟାୟନ କରିଥିଲେ। ଏହି ଷ୍ଟଲ୍ଗୁଡ଼ିକର ସୁଚାରୁ ପରିଚାଳନାରେ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ମୋନାଲିସା ମିଶ୍ର, ଅଧ୍ୟାପକ ନାଇଡୁ ମୋହନ, ଅଧ୍ୟାପିକା ଯାମିନୀ ମିର୍ଦ୍ଧା, ଡ଼ଃ ଶ୍ରାବଣୀ ଖଟାଇ, ପ୍ରକାଶ ବେହେରା, ଅନିଲ କୁମାର ସାହୁ, ପ୍ରସାଦ ବେହେରା, ରାମନାଥ ପାତ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା, ସୁଜାତା ଦାଶ ଓ ପୁଷ୍ପାଞ୍ଜଳି ମହାପାତ୍ର ଇତ୍ୟାଦି ଶିକ୍ଷକ-ଶିକ୍ଷିକାମାନେ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତାର ଶୀର୍ଷସ୍ଥାନକୁ ପହଞ୍ଚାଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଓଡ଼ିଆ ଖାଦ୍ୟ ସଂସ୍କୃତି ପ୍ରତି ନୂତନ ପିଢ଼ୀର ଆଗ୍ରହ ବୃଦ୍ଧି କରିବା ସହ ପାରମ୍ପରିକ ମୂଲ୍ୟବୋଧର ସୁରକ୍ଷା ଓ ପ୍ରଚାରରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରମାଣିତ ହୋଇଛି।





