ହୀରାକୁଦ ଡ୍ୟାମ୍ ମଜଦୁର ସଂଘର ଜୋରଦାର ବିକ୍ଷୋଭ: ୨୨ ଦଫା ଦାବିପତ୍ର ପ୍ରଦାନ

ଶ୍ରମିକ ସମସ୍ୟା ସମାଧାନ ଦାବିରେ ତୀବ୍ର ଆନ୍ଦୋଳନ ଚେତାବନୀ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ହୀରାକୁଦ ବନ୍ଧ ନିର୍ମାଣ ସମୟରେ ହଜାର ହଜାର ପରିବାର ବିସ୍ଥାପିତ ହୋଇଥିଲେ। ଲକ୍ଷ୍ୟ ଥିଲା ଯେ, ହୀରାକୁଦ ନଦୀବନ୍ଧ ନିର୍ମାଣ ହେଲେ ଏହି ଅଞ୍ଚଳର ଚାଷୀମାନେ ପାଣି ପାଇବେ ଏବଂ ବୁର୍ଲା ଜଳ ଉତ୍ପାଦନ କେନ୍ଦ୍ରରୁ ବିଜୁଳି ଉତ୍ପାଦନ ହେବ। କିନ୍ତୁ ଦୁଃଖର ବିଷୟ, ବର୍ତ୍ତମାନ ସୁଦ୍ଧା ଶେଷ ଅଞ୍ଚଳର ଚାଷୀମାନଙ୍କୁ ପ୍ରୟୋଜନୀୟ ଜଳସେଚନ ପାଣି ମିଳୁନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ବିଜୁଳି ଉତ୍ପାଦନ ମଧ୍ୟ ସମ୍ଭବ ହେଉନାହିଁ ବୋଲି ହୀରାକୁଦ ଡ୍ୟାମ୍ ମଜଦୁର ସଂଘ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ପାଢ଼ୀ କହିଛନ୍ତି lତଥାପି ପୂର୍ବ ଓଡିଶାକୁ ବନ୍ୟା ଦାଉରୁ ସୁରକ୍ଷା ଦେବାରେ ଏହି ପ୍ରକଳ୍ପ ସଫଳ ହୋଇଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସହିତ ନୂତନ ସ୍ପିଲୱେ କାମ ମଧ୍ୟ ଜୋରଦାର ଭାବେ ଚାଲିଛି।

 

କିନ୍ତୁ ଚିନ୍ତାର ବିଷୟ ହେଉଛି, ବର୍ତ୍ତମାନ ହୀରାକୁଦ ଡ୍ୟାମ୍ ସମ୍ପୂର୍ଣ୍ଣ ଭାବେ ଠିକା ଏବଂ ଆଉଟସୋର୍ସିଂ ଶ୍ରମିକଙ୍କ ଉପରେ ନିର୍ଭର କରୁଛି। ପୂର୍ବରୁ ୨୫୦ ରୁ ଅଧିକ ସ୍ଥାୟୀ କର୍ମଚାରୀ ଦ୍ୱାରା ପରିଚାଳିତ ହୋଇଆସୁଥିବା ବେଳେ ବର୍ତ୍ତମାନ ମାତ୍ର ୩୬ ଜଣ ସ୍ଥାୟୀ କର୍ମଚାରୀ ରହିଛନ୍ତି—ମେକାନିକାଲ୍ ଡିଭିଜନରେ ୧୬ ଏବଂ ମୁଖ୍ୟ ବନ୍ଧ ଡିଭିଜନରେ ୨୦ ଜଣ। ଗୁରୁତ୍ୱପୂର୍ଣ୍ଣ କାମ ଯଥା କ୍ରେନ ଅପରେଟର, ପମ୍ପ ଡ୍ରାଇଭର ଓ ଗେଜ ରିଡର ଭଳି ପଦବୀରେ କୌଣସି ସ୍ଥାୟୀ ନିଯୁକ୍ତି ନଥିବା ବେଳେ ଏହି କାମଗୁଡ଼ିକ ଠିକା ଶ୍ରମିକମାନଙ୍କ ଦ୍ୱାରା କରାଯାଉଛି। ମୋଟ ୯୮ଟି ଫାଟକ ମଧ୍ୟରୁ ୬୪ଟି ସ୍ଲୁଇସ ଓ ୨୪ଟି କ୍ରେଷ୍ଟ ଫାଟକ ଥିବା ସତ୍ତ୍ୱେ ଆବଶ୍ୟକ ଅପରେଟର ଓ ହେଲ୍ପର ନଥିବା ଗୁରୁତର ସମସ୍ୟା ରହିଛି ବୋଲି ଶ୍ରୀ ପାଢୀ କହିଛନ୍ତି l ଏହି ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ୍ ମଜଦୁର ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଓ ବିଶିଷ୍ଟ ଆଇନଜୀବୀ ଶ୍ରୀ ପ୍ରଶାନ୍ତ ପାଢୀଙ୍କ ନେତୃତ୍ୱରେ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସଂଘ ପକ୍ଷରୁ ମୁଖ୍ୟତଃ “ସମାନ କାମକୁ ସମାନ ଦରମା”, ସମସ୍ତ ଶ୍ରମିକଙ୍କୁ EPF, ESI ସହ ସାମାଜିକ ସୁରକ୍ଷା, ଦୀର୍ଘଦିନ ଧରି କାମ କରୁଥିବା କର୍ମଚାରୀଙ୍କ ନିୟମିତିକରଣ, ଖାଲି ପଦବୀରେ ଶୀଘ୍ର ନିଯୁକ୍ତି, ଗ୍ରାଚୁଇଟି, ପେନସନ୍, ଜୋଖିମ ଭତ୍ତା, ସମୟମାନ୍ୟ ଦରମା, ସରକାରୀ କ୍ୱାର୍ଟର୍ ଓ ଅନ୍ୟାନ୍ୟ ସୁବିଧା ସମେତ ୨୨ ଦଫା ଦାବି ଉଠାଯାଇଥିଲା।ଏହି ଅବସରରେ ଦାବିପତ୍ର ଚିଫ୍ ଇଞ୍ଜିନିୟର ଓ ବେସିନ୍ ମ୍ୟାନେଜର ଶ୍ରୀ ସୁଶୀଲ କୁମାର ବେହେରା, ଅତିରିକ୍ତ ମୁଖ୍ୟ ଇଞ୍ଜିନିୟର ଶ୍ରୀ ଜ୍ୟୋତି ରଞ୍ଜନ ବେହେରା, ଅଧିକ୍ଷଣ ଇଞ୍ଜିନିୟର ଶ୍ରୀ ସୁଧାଂଶୁ ଦ୍ୱିବେଦୀ ଏବଂ ମଡେଲ୍ ଷ୍ଟଡି ରିସର୍ଚ୍ଚ ସେଣ୍ଟରର ଡେପୁଟି ଡିରେକ୍ଟର ଶ୍ରୀ ତାପସ ଶୁକ୍ଳାଙ୍କୁ ପ୍ରଦାନ କରାଯାଇଥିଲା।

ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ପାଢୀ କହିଥିଲେ ଯେ ୧୯୯୨, ୧୯୯୩, ୧୯୯୭ ଓ ୨୦୦୩ ମସିହାରେ ସଂଘର ଆନ୍ଦୋଳନ ଫଳରେ ଏନଏମଆର୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା। କିନ୍ତୁ ଗତ ୨୩ ବର୍ଷ ଧରି ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି ଏବଂ ଧୀରେ ଧୀରେ ଠିକା ଶ୍ରମିକଙ୍କୁ ନିଯୁକ୍ତ କରାଯାଉଛି, ଯାହା ଶ୍ରମିକ ଶୋଷଣକୁ ବଢ଼ାଇଛି। ସେ ଆହୁରି କହିଥିଲେ ଯେ ଶ୍ରମ ଆଇନକୁ ଅଣଦେଖା କରି ଠିକା ଶ୍ରମିକମାନଙ୍କଠାରୁ କାମ ନେଇ ସେମାନଙ୍କୁ ବହୁତ ପ୍ରାପ୍ୟ ଦେବାରୁ ବଞ୍ଚିତ କରାଯାଉଛି। ସମସ୍ତ ୱାର୍କ-ଚାର୍ଜ୍, ଏନଏମଆର୍, ଠିକା ଓ ଆଉଟସୋର୍ସିଂ ଶ୍ରମିକଙ୍କୁ ଶୀଘ୍ର ନିୟମିତ କରାଯିବାକୁ ସେ ଦୃଢ଼ ଦାବି କରିଥିଲେ। ନଚେତ୍ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭରେ ଶ୍ରମିକ ନେତା ରବି ଗୁରୁ, କୁନୁ ଛତ୍ରିୟ, ଚନ୍ଦ୍ରମଣି ବେହେରା, ଜୟନ୍ତ ପାଣିଗ୍ରାହୀ, ଗୁଣ ଭୋଇ, ଭାଗିରଥୀ ଲୁହା, ବ୍ରହ୍ମ ମିର୍ଦ୍ଧା, ମାଧୁରୀ ସାହୁ, ରାଜୀବ ପଟ୍ଟନାୟକ, ସୁନୀଲ ଖାଡ଼ିଆ ସମେତ ବହୁ ସଂଖ୍ୟକ ଶ୍ରମିକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.