ଉତ୍କଳମଣିଙ୍କ କବିତା : ନୀରବ

ନୀରବ

ଉତ୍କଳମଣି ଗୋପବନ୍ଧୁ ଦାସ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,
ନୀରବେ ବଢ଼ଇ ତରୁଲତା-ମହୀଧର,
ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର।

ମହା-କାଳ-ପାରାବାର ଅନନ୍ତ ଗରଭେ,
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି,
ନୀରବ ନିଖିଳ ବିଶ୍ବ ନିଗୂଢ ଶକତି।

ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳଢଳ,
ନୀରବେ ସରସୀ ବକ୍ଷେ ହସେ ଶତଦଳ,
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ,
ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ।

ତେବେ କିପାଁ ଚଉଦିଗେ ଚହଳ ଚିତ୍କାର,
କିପାଁଇ ମାନବ କରେ ଏତେ ଅପଚାର?
ଚାହିଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,
ଶୁଣ ଶିଖ ସାଧ ସଦା ନୀରବ ମନ୍ତର।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.