ଜୟପାଟଣା,୧୧/୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛଲା ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷା ଦିନରେ ପାଣି ଜମି ରହୁଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ ରାସ୍ତାର ତଳ ପାର୍ଶ୍ୱରେ ଏଲ୍ ଆଣ୍ଡ ଟି କମ୍ପାନୀ ଓ ଜମି ମାଲିକ ମାନେ ମାଟି ପକେଇ ନାଳକୁ ଢାଙ୍କି ଦେଇଥିବାରୁ ଅଳ୍ପ ବର୍ଷାରେ ବି ବର୍ଷା ପାଣି ରାସ୍ତାରେ ଜମି ରହୁଛି ।
ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ନିଷ୍କାସିତ ହେଉପାରୁନି । ଗ୍ରାମବାସୀ ରାସ୍ତା ସମ୍ପର୍କରେ ସରପଞ୍ଚଙ୍କୁ ଜଣେଇଥିଲେ । ସରପଞ୍ଚ ବିଭାଗୀୟ ଅଧିକାରୀଙ୍କୁ ଜଣାଇଦେବି ବୋଲି କହିଥିବା ଗ୍ରାମବାସୀଙ୍କ ଠାରେ ପ୍ରକାଶ କରିଥିଲେ । କିନ୍ତୁ ରାସ୍ତାର ସମାଧାନ ନିମନ୍ତେ ପ୍ରଶାସନ ପାଖରେ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ବର୍ଷା ହେଲେ ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଆଣ୍ଠୁଏ କାଦୁଅ ପାଣି ଜମି ରହିଛି ।
ଫଳରେ ଅଞ୍ଚଲର ଅନେକ ଲୋକ ଏ ରାସ୍ତାରେ ଯାତାୟତ କରୁଥିବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ତେବେ ଗ୍ରାମବାସୀ ତୁରନ୍ତ ରାସ୍ତାର ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି । ଏନେଇ ଉଛଲା ଗ୍ରାମପଞ୍ଚାୟତ ସରପଞ୍ଚ କମଳ ଚରଣ ରାଉତଙ୍କୁ ପଚାରିବାରୁ ମୁଁ ବିଭାଗୀୟ ଅଧିକାରୀଙ୍କୁ ରାସ୍ତାର ସମାଧାନ ନିମନ୍ତେ ଜଣେଇ ଦେଇଛି ବୋଲି କହିଥିଲେ ।
ଜୟପାଟଣାରୁ ତୁଲାରାମ ବେହେରାଙ୍କ ରିପୋର୍ଟ OdiaBarta.in