ମିଶ୍ରିତ ଚାଷ କରିବାକୁ ପରାମର୍ଶ ଦେବା ସହ ଚାଷୀଙ୍କୁ କଲେ ଉତ୍ସାହିତ
ରାୟଗଡ,୧୨/୬: ରାୟଗଡ ଜିଲ୍ଳାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଅନୁଧ୍ୟାନ କରିଛନ୍ତି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା । ଜିଲ୍ଳାର ମୁନିଗୁଡା ଓ ବିଷମକଟକ ବ୍ଳକକୁ ଗୁରୁବାର ଦିନ ଜିଲ୍ଳାପାଳ ଶ୍ରୀ ବେହେରା ଗସ୍ତ କରି ସମସ୍ତ ଯୋଜନାର ଅନୁଧ୍ୟାନ କରିଛନ୍ତି । ବିଶେଷ କରି ଚାଷ ଓ ଚାଷୀଙ୍କ ସମସ୍ୟା ଓ ସମାଧାନ ଦିଗରେ ଏହି ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ବିଷମକଟକ ବ୍ଳକର ହାଟମୁନିଗୁଡା ଠାରେ ସ୍ଥାପିତ ଏକମାତ୍ର ବୃହତ ଲେଓର କୁକୁଡା ଫାର୍ମ ବୁଲି ଦେଖିଥିଲେ ଓ ସଂପୃକ୍ତ ଚାଷୀଙ୍କ ସହିତ ଆଲୋଚନା କରି ଅଣ୍ଡା ବିପଣନ ସଂପର୍କରେ ପଚାରି ବୁଝିଥିଲେ ।
ସେହିପରି ମୁନିଗୁଡା ବ୍ଳକ ଅନ୍ତର୍ଗତ ଆମ୍ବଦଳା ଗ୍ରାମରେ କରାଯାଇଥିବା ଘୁଷୁରୀ ଫାର୍ମ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ । ସେଠାରେ ଚାଷୀମାନଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବାକୁ ଜିଲ୍ଳା ପ୍ରାଣୀ ଚିକିତ୍ସା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଦ୍ୟାନ କୃଷି ବିଭାଗ ଦ୍ୱାରା କରାଯାଇଥିବା ବିଷମକଟକ ବ୍ଳକର କନ୍ଧବର୍ଡାଗୁଡାରେ ୨୩ ଏକର ଜାଗାରେ ଏକତ୍ରିତ ଭାବେ ହୋଇଥିବା କାଜୁ,କାଠକନ୍ଦା ଓ ଆମ୍ବ ଫାର୍ମକୁ ବୁଲି ଦେଖି ଚାଷିଙ୍କ ଚାଷପ୍ରତି ପ୍ରୟାସକୁ ପ୍ରଶଂସା କରିଥିଲେ । ସେହିପରି ସ୍ଥାନୀୟ କାଙ୍କୁଲିପଡାରେ ୨୦ ଏକର ଜାଗାରେ କଦଳୀ ଚାଷ ଓ ଫାର୍ମ ପୋଣ୍ଡ ପ୍ରକଳ୍ପ ବୁଲି ଦେଖିଥିଲେ । ଚାଷୀମାନଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ଚାଷକୁ ଅଧିକ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଉକୃଷ୍ଟମାନର ଚାଷ ପାଇଁ ଚାଷୀମାନଙ୍କୁ ଖତ,ସାର ପ୍ରୟୋଗ ଓ ପୋକଜୋକ ନିୟନ୍ତ୍ରଣ ସମ୍ବନ୍ଧରେ ସଚେତନ କରାଇବା ଓ ସେବା ଯୋଗାଇବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉଦ୍ୟମି ଚାଷୀମାନଙ୍କ ସହିତ ଆଲୋଚନା ବେଳେ ମିଶ୍ରିତ ଚାଷ ଯଥା ମାଛ, ବତକ,ଗୋ ସାଙ୍ଗକୁ ଉଦ୍ୟାନ କୃଷି କାର୍ଯ୍ୟ କରିବା ପାଇଁ ଚାଷୀମାନଙ୍କୁ ଜିଲ୍ଳାପାଳ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ଏହି ଦୁଇଟି ବ୍ଳକ ପରିଦର୍ଶନ ବେଳେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ରନାଥ ବିଶ୍ୱାଳ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣିଙ୍କ ସମେତ ବ୍ଳକର ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।