ନର୍ଲା,୨୬/୮: ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ରାଜ୍ୟ ସରକାର ଓ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ସେହି କ୍ରମରେ ପର୍ଯ୍ୟାୟକ୍ରମେ ଚାଲିଛି ଡୋର ଟୁ ଡୋର ସର୍ବିଲେନ୍ସ ବା ସ୍ବାସ୍ଥ୍ୟ ସର୍ବେକ୍ଷଣ।
ଅଗଷ୍ଟ ୨୭ ଗୁରୁବାର ଦିନ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ପ୍ରତ୍ୟକ ଗାଁରେ ସ୍ବାସ୍ଥ୍ୟ ସର୍ବେକ୍ଷଣ ହେବ ବୋଲି ଜଣାପଡିଛି। ନର୍ଲା ବିଡିଓ ଡକ୍ଟର ବ୍ୟାସଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବାକୁଥିବା ଏହି ସର୍ବେକ୍ଷେଣରେ ୧୩ଟି ଟିମ ସାମିଲ ହେବେ। ଏହି ଟିମରେ ଆଶା, ଅଙ୍ଗନୱାଡି, ସ୍ବାସ୍ଥ୍ୟକର୍ମୀ ଆଦି ରହିଛନ୍ତି। ଏମାନେ ରୁପ୍ରାରୋଡ ପଞ୍ଚାୟତର ୮ଟି ଗ୍ରାମର ୧୯୮୬ ପରିବାରର ସର୍ବେକ୍ଷଣ କରିବେ। ଏହି କାର୍ଯ୍ୟ ଗୁରୁବାର ଗୋଟିଏ ଦିନରେ ହିଁ ସମାପ୍ତ ହେବ।
ଅନ୍ୟପଟେ ସ୍ବାସ୍ଥ୍ୟ ସର୍ବେକ୍ଷଣକୁ ଦୃଷ୍ଟିରେ ରଖି ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ପଞ୍ଚାୟତକୁ ୧୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ। ଏହି ଦିନକ ପାଇଁ ପଞ୍ଚାୟତବାସୀ ଘରେ ରହିବାସହ ସର୍ବେକ୍ଷଣ ପାଇଁ ଆସିବାକୁଥିବା ଟିମକୁ ସହଯୋଗ କରିବାପାଇଁ ସରପଞ୍ଚ ଶ୍ରୀଯୁକ୍ତ ରଣା ନିବେଦନ କରିଛନ୍ତି।
କଳାହାଣ୍ଡି ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in