ଶ୍ରୀ ଜଗନ୍ନାଥ ଉତ୍କଳ ଆଲୁମିନା ଶ୍ରମିକ ସଂଘକୁ ୟୁଏଆଇଏଲ’ର ଅଣଦେଖା ଅଭିଯୋଗ

ରାୟଗଡ: ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ କମ୍ପାନୀ ସ୍ଥାନୀୟ ଟିକିରି ଠାରେ ଥିବା ଟ୍ରେଡ୍ ୟୁନିୟନ ପଂଜୀକୃତ (ସଂଖ୍ୟା ୩୯୦/୦୬) ଶ୍ରୀ ଜଗନ୍ନାଥ ଉତ୍କଳ ଆଲୁମିନା ଶ୍ରମିକ ସଂଘକୁ ଦୀର୍ଘ ୧୪ବର୍ଷ ହେଲା ଅଣଦେଖା ଓ ଅବହେଳା କରୁଥିବା ହେତୁ ସ୍ଥାନୀୟ ଅଂଚଳରେ ଥିବା ଅନେକ ଶ୍ରମିକ ସମସ୍ତ ସୁବିଧାରୁ ବଂଚିତ ହେଉଥିବା ନେଇ ଅଭିଯୋଗ କରିଛନ୍ତି ସଂଘ ସଭାପତି ବିଜୟ ବାଗ, ଉପସଭାପତି ଜିତୁ ନାୟକ ଓ ସାଧାରଣ ସଂପାଦକ ପ୍ରଫୁଲ୍ଳ ମାଣ୍ଡାଙ୍ଗିଙ୍କ ସମେତ କାର୍ଯ୍ୟକାରିଣୀର ଅନ୍ୟ ସଦସ୍ୟମାନେ । ଏ ନେଇ ଗତ ଅଗଷ୍ଟ ୩୧ତାରିଖରେ ସଂଘର ସଦସ୍ୟମାନେ ଏକ ଦାବିପତ୍ର ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରେ ପ୍ରଦାନ କରିଯାଇଛନ୍ତି ।

ସଂଘର ସଭାପତି ଶ୍ରୀ ବାଗଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀ ଜଗନ୍ନାଥ ଉତ୍କଳ ଆଲୁମିନା ସଂଘ ୨୦୦୬ବର୍ଷରୁ ଟ୍ରେଡ୍ ୟୁନିଅନ୍‌ରେ ପଂଜୀକୃତ ହେବା ପରଠାରୁ ଉତ୍କଳ ଆଲୁମିନା କମ୍ପାନୀରେ ଜଡିତ ହୋଇ ଆସୁଥିଲା । ତେବେ ଦୀର୍ଘ ୧୪ବର୍ଷ ହେଲା କମ୍ପାନୀ ଏହି ସଂଘକୁ ସମର୍ଥନ କରି ଆସୁଥିବା ସ୍ଥାନୀୟ ପ୍ରଭାବିତ, ବିସ୍ଥାପିତ ଲୋକ ମିଳିତ ସଂଘକୁ କମ୍ପାନୀ ଅଣଦେଖା କରିଆସୁଛି । ପୁଣି ଥରେ ସଂଘକୁ କମ୍ପାନୀ ଗ୍ରହଣ କରି ବିକାଶ କାର୍ଯ୍ୟକୁ ଆଗେଇବା ପାଇଁ ବାରମ୍ବାର କମ୍ପାନୀ ଅଧିକାରୀଙ୍କୁ ସଂଘ ସଦସ୍ୟମାନେ ମିଶିବା ପାଇଁ ଉଦ୍ୟମ କଲେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଆଲୋଚନା କରିବା ପାଇଁ ମଧ୍ୟ ସୁଯୋଗ ଦିଆଯାଉନାହିଁ ବୋଲି ଶ୍ରୀ ବାଗ ପ୍ରକାଶ କରିଛନ୍ତି । ଫଳରେ ସଂଘରେ ରହିଥିବା ଶ୍ରମିକମାନେ କାମଧନ୍ଦା ନ ପାଇ ସ୍ଥାନୀୟ ଅଂଚଳରେ ବେରୋଜଗାର ହୋଇ ବସି ରହିଛନ୍ତି । ସଂଘର ଶ୍ରମିକଙ୍କୁ କମ୍ପାନୀରେ କାମ ନ ମିଳିବା ସଂପର୍କରେ ନେଇ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁ ନ ଥିବା ସେ କହିଛନ୍ତି । ଏପରିକି ବିନା ପଂଜୀକୃତ ସଂଘ ଦ୍ୱାରା କମ୍ପାନୀରେ କେଉଁ ସଂଘ ବର୍ତମାନ କାର୍ଯ୍ୟ କରୁଛି ତାହା ସେମାନଙ୍କୁ ଜଣାଇବା ପାଇଁ ମଧ୍ୟ ଦାବିପତ୍ରରେ ଉଲ୍ଳେଖ କରିଛନ୍ତି । ସ୍ଥାନୀୟ ଅଂଚଳର କିଛି ଅସାଧୁ ମୁଷ୍ଟିମେୟ ବ୍ୟକ୍ତିମାନେ ଆମ ସଂଘ ନାମରେ ବେଆଇନ ଓ ବେନିୟମ ଭାବେ କାମ ହାସଲ କରି ଲାଭବାନ ହେଉଛନ୍ତି । ଯାହାକି ଉତ୍କଳ ଆଲୁମିନା କମ୍ପାନୀର କର୍ତୁପକ୍ଷ ଏଥିପାଇଁ ଦାୟୀ ବୋଲି ସଭାପତି ଶ୍ରୀ ବାଗ କହିଛନ୍ତି । କମ୍ପାନୀରେ ସରକାରଙ୍କ ନିର୍ଦ୍ଧାରିତ ଶ୍ରମ ମଜୁରୀ ମଧ୍ୟ ଅନ୍ୟ କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରଦାନ କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ଓଡିଶା ସରକାରଙ୍କ ଶ୍ରମ ବିଭାଗକୁ ଚିଠି ମାଧ୍ୟମରେ ସଂଘ ତରଫରୁ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଜିଲ୍ଳା ପ୍ରଶାସନ ଯଦି ଆସନ୍ତା ୧୫ଦିନ ମଧ୍ୟରେ ଦାବିପତ୍ର ମାମଲାରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତିନି ତେବେ କମ୍ପାନୀ ସମ୍ମୁଖରେ ସଂଘର ସମସ୍ତ ସଦସ୍ୟ ଓ ଶ୍ରମିକମାନେ ଆଗାମୀ ଦିନରେ ଧାରଣାରେ ବସିବାକୁ ବାଧ୍ୟ ହେବୁ ବୋଲି ଦାବିପତ୍ରରେ ଉଲ୍ଳେଖ ଥିବା ସଭାପତି ଶ୍ରୀ ବାଗ ପ୍ରକାଶ କରିଛନ୍ତି ।

ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ହିସାବରକ୍ଷକ ଲାବନ୍ୟ ନାୟକ, ସଂଗଠକ ସଂପାଦକ ଫକିର ମାଝି, ସହ ସଂପାଦକ ସନ୍ତୋଷ କୁମାର ଟାକ୍ରି, ହିମାଂଶୁ ସୁନା, ରୋହିନ ବେନିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସଂଘର ଅଭିଯୋଗକୁ ନେଇ କମ୍ପାନୀ କର୍ତୁୁପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡରୁ ଶିବ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.