କଳାହାଣ୍ଡି: ସୋମବାର ସନ୍ଧ୍ୟା ପ୍ରାୟ ସାତଘଂଟା ସମୟରେ ଏକ ଅଜଣାଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହେଇଥିବାବେଳେ ଆଉ ତିନିଜଣ ଗୁରୁତର ହେଇଥିବା ଜଣାଯାଇଛି । ଘଟଣା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର ରିଷିଡ଼ା ପୂର୍ତ୍ତ ବିଭାଗ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ଅଜଣାଗାଡ଼ି ପ୍ରଥମେ ରାମୁଡ଼ ନିକଟରେ ତିନିଜଣ ଯୁବକଙ୍କୁ ଧକ୍କା ଦେବା ପରେ ସେଠାରୁ ପ୍ରାୟ ତିନି କିଲୋମିଟର ଦୂର ତୁଜୁଙ୍ଗ ନିକଟ ପାତିଗୁଡ଼ାଛକ ପାଖରେ ଥିବା ଦେଶୀମଦ କୋଠୀ ପାଖରେ ଟୁନା ମହାଖୁଡ଼ (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ପଛପଟୁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ହେଇଥିବା ଜଣାଯାଇଛି । ମୃତକ ଜଣକ ତୁଜୁଙ୍ଗ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଏଜୁକେସନରେ ଡ଼୍ରାଇଭର ଭାବରେ କାମ କରୁଥିଲେ । ସେ ପ୍ରତିଦିନ ଭଳି ସେଠାରୁ କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି । ନିଜ ସାଇକେଲରେ ଫେରୁଥିବା ଟୁନାଙ୍କୁ ପ୍ରାୟ ପାଂଚ ମିଟର ଘୋଷାଡ଼ି ଆଣିଥିବାବେଳେ ରାସ୍ତାକଡ଼ରେ ପକେଇଦେଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ତୁରନ୍ତ ଟୁନା ମହାଖୁଡ଼ଙ୍କୁ ମ.ରାମପୁର ଡ଼ାକ୍ତରଖାନା ଅଣା ଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଗୁରୁତର ଟିକେରାମ ରଣା(୩୪), ପିତା – ହରି ରଣା,ଜାମବାହାଲି, ସଚି ବାଗ(୫୦), ପିତା – ଭୀମ ବାଗ,ବଗବେଡ଼ା, ପରମେଶ୍ୱର ମାଝୀ(୪୦),ପିତା – ତ୍ରିନାଥ ମାଝୀ(ମଡ଼ାଗାଁ)ଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଏକ ପିକଅପ୍ ଭ୍ୟାନ୍ ସେହି ସମୟରେ ଉକ୍ତ ରାସ୍ତାଦେଇ ଯାଇଥିବା କିଛି ଲୋକ କହୁଥିବା ବେଳେ ଗାଡ଼ିଟି କାହାର ଜଣାପଡ଼ିନାହିଁ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in