“ଉଲି ଉଲି ଉଲି ବଉଲିରେ
ଉଲି ଉଲି ଉଲି ଉଲିରେ
କାହିଁ ଜାଇଥିଲ ଚିକିନି ଗାଲି
ମଝିଆ ଦଦାର ସାଲି ବଉଲିରେ
ମଝିଆ ଦଦାର ସାଲିରେ…।।
ଖାଇଲ ସୁଆଁଲି ପିଠା ବଉଲିରେ
ଖାଇଲ ସୁଆଁଲି ପିଠାରେ
ଜଗାଇ ରଖିଲ ବଏସ ଗୁଟା
ପଛେ କଲ ହଟହଟା ବଉଲିରେ
ପଛେ କଲ ହଟହଟା ରେ….।।
ପିରତି ବନ୍ଧର ପାନୀ ବଉଲିରେ
ପିରତି ବନ୍ଧର ପାନୀରେ
ଭାଗିଗଲ ଧନ ପରସାମୁଡି
ବଜାଇଲି ମୁଇଁ ଗିନୀ ବଉଲିରେ
ବଜାଇଲି ମୁଇଁ ଗିନୀ ରେ….।।
ପର୍ବତେ ଥାପିଲି ହାତ ବଉଲିରେ
ପର୍ବତେ ଥାପିଲି ହାତରେ
ତମେ ଥିଲ ମୋର ମନର ମିତ
ଦୁସୁରା ମାରିଲା କାତ ବଉଲିରେ
ଦୁସୁରା ମାରିଲା କାତରେ….।।
ଛେନା ବେଟି ଜାଉଥିଲ ବଉଲିରେ
ଛେନା ବେଟି ଜାଉଥିଲରେ
ମହଲ ଘରରେ ଏବେ ରହିଲ
ଆମକୁ ପାସୋରି ଦେଲ ବଉଲିରେ
ଆମକୁ ପାସୋରି ଦେଲରେ…।।” (ବଉଲି)
ଲୋକଗୀତ ଲୋକ ମୁଖର ସଂଗୀତ। ଏକ ଚପଳମୟୀ ନଦୀର ଶ୍ରୋତ ପରି ଏହାର ଧାରା ଜନଜୀବନ ମଧ୍ୟଦେଇ ଗତି କରିଥାଏ। କଳାହାଣ୍ଡିରେ ଦେଖାଯାଉଥିବା ବିଭିନ୍ନ ଲୋକଗୀତ ଯଥା; ଜାଇଫୁଲ, ମାଏଲାଜାଡ, ରସରକେଲି, ଚପକରାଟି, ଡାଲଖାଇ, ଛଡରଶ, ହୁମୋନନ, ବୋରିଆ, ବାଙ୍ଗରୀ, ବଉଲି, ଢାପ୍, ଘୁଡକା, ହଲିଆଗୀତ ଆଦିରେ ଆମ ଜନଜୀବନର ଛବି ଉଦ୍ଭାଶିତ ହୋଇଥାଏ। ପ୍ରାଚୀନ କାଳରେ ଏହା ସମାଜର ଏକ ପ୍ରମୂଖ ଅଙ୍ଗ ଭାବେ ବିବେଚିତ ହେଉଥିଲା । ବିବାହ ସଂସ୍କାର, ପାର୍ବଣ ଓ ଲୋକ ଅନୁଷ୍ଠାନ ମାନଙ୍କରେ ଲୋକଗୀତ ପରିବେଷିତ ହୋଇ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା। କଳାହାଣ୍ଡିଆ ଲୋକଗୀତରେ ନାରୀ ଜୀବନର ଅନେକ ଅକୁହା କଥା, ପ୍ରେମ ପ୍ରଣୟର ଗାଥା ପରିଦୃଶ୍ୟ ହୁଏ। ଏହି ଆଲେଖ୍ୟରେ ଏହାର ସଂକ୍ଷିପ୍ତ ଆଲୋଚନା କରିବାକୁ ପ୍ରୟାସ କରାଯାଇଛି।
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ବିମଣ୍ଡିତା କଳାହାଣ୍ଡି ପ୍ରାଚୀନ କାଳରୁ ଏକ ସମୃଦ୍ଧ ଅଞ୍ଚଳ ଭାବେ ସାରା ଦେଶରେ ପରିଚିତ ଥିଲା। ଆଟବିକ ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବଣ ଆଦି କଳାହାଣ୍ଡିର ପ୍ରାଚୀନ ନାମ। ପ୍ରକୃତି କୋଳରେ ବଢ଼ିଥିବା ଏହି ମାଟିର ଲଳନା ଭିଡ଼ ଭିତରେ ମଧ୍ୟ ବାରି ହୋଇପଡିବ। ଏହି ମାଟିର ଧାଙ୍ଗରୀର କଥା ଲୋକଗୀତରେ –
“ଡଙ୍ଗର ତଲର ଚିନି ମହୁଲ ଉଡ଼ି ଯାଉଅଛେ ପକ୍ଷୀ
ରସିକା ଧାଙ୍ଗରୀ ରସ ଗାଲୁଅଛେ କଅଁଲି ବଏସ ଦେଖିରେ
ରସ ସରଗିଫଲ…
ନନୀ ହସୁଥାଏ ଖଲଖଲ
ନନୀ ହସୁଥାଏ ଖଲଖଲରେ ରସ ସରଗିଫଲ….।।”
ପ୍ରାଚୀନ ସମୟରେ ଲୋକଗୀତ, ଲୋକନୃତ୍ୟ ମନୋରଞ୍ଜନର ଉତ୍କୃଷ୍ଠ ମାଧ୍ୟମ ଥିଲା। କଳାହାଣ୍ଡିଆ ଧାଙ୍ଗରୀ ହାତରେ କତରିଆ, ବାହୁରେ ବନ୍ଦରିଆ, ବେକରେ ବିଭିନ୍ନ ପ୍ରକାରର ମାଳି ପିନ୍ଧି ବଜାସାଲକୁ ବାହାରି ପଡୁଥିଲା ସେଥିରେ ସାଙ୍ଗସାଥୀ ମେଳରେ ମନଭରି ନାଚୁଥିଲା। ଏଥିରେ ନା ଥିଲା ବାଧା ନ ଥିଲା ବନ୍ଧନ। ମୁକ୍ତ ବିହଙ୍ଗପରି ପ୍ରେମ ରାଜ୍ୟରେ ବିଚରଣ କରିବାର ସ୍ବାଧିନତା ପାଇଥିଲା ଏହି ମାଟିର ରମଣୀ। ତେଣୁ ଲୋକଗୀତରେ –
“ରସରକେଲି ବୋ…..
ଉଡିଗଲେ ରାଜହଂସ ପାନିପଡେ କେଶରେ… ପାନି ପଡେ କେଶ…
ତୁ ଛାଡିଲୁ ମା’ବାପ ମୁଁ ଛାଡ଼ିଲି ଦେଶ
ତୁ ଛାଡିଲୁ ମା’ବାପ ମୁଁ ଛାଡ଼ିଲି ଦେଶ..
ମାଇଁ କୁକୁରାର କେତେ ବୟସ
ମାଇଁ କୁକୁରାର କେତେ ବୟସ
ଗଞ୍ଜା ପାସପାସ ରସ ଉଲ୍ଟି ବସରେ
ଉଲ୍ଟି ବସ ଖସରି ବସ ସଜନୀ
ଉଲ୍ଟି ବସ ଖସରି ବସ ସଜନୀ
ନାଇଁନ ତମର ବାସ ରସ ଧିରେ ଧିରେ ରେ….
ଧିରେ ଧିରେ କଲେ କଲେ ସଜନୀ
ଧିରେ ଧିରେ କଲେ କଲେ ସଜନୀ
ଗଉର୍ ପିଲା ମେଲେ ରସ ଧିରେ ଧିରେ ରେ…..।।”
କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାରେ ମାମୁଁ ଝିଅ, ପିଉସୀ ଝିଅଙ୍କୁ ବିବାହ କରିବାର ପ୍ରଥା ରହିଛି। ଜନ୍ମରୁ ମାମୁଁ ଘର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ଆପେ ଆପେ ମାମୁଁ ପୁଅ ପ୍ରତି ଆକର୍ଷିତ ହୋଇ ପଡିଥାଏ କଳାହାଣ୍ଡିଆ ଧାଙ୍ଗରୀ। ଏପଟେ ମାମୁଁର ପୁଅ ମଧ୍ୟ ସେହି ଧାଙ୍ଗରୀର ପ୍ରେମ ପ୍ରଣୟରେ ବନ୍ଧା ପଡ଼ିଥାଏ। ଏହିକଥାକୁ ନେଇ ଲୋକଗୀତ ଢାପ୍ ଗତିଶିଳ ହୋଇଛି ଯଥା –
ଲେଲେ ଲେଲେ ଲେଲେ ରସ ଆଖି ମାରିଦେଲେ ହସ
ଆଖି ମାରି ଦେଲେ ହସ
ଆଖି ମାରି ଦେଲେ ହସ…….
ଆହାରେ, ମୋର ଲବଙ୍ଗ ଲତା ଆହାରେ,
ମାମୁଁର୍ ଝି ବୋଲି କରୁଚେଁ ଖେତା
ଆହାରେ ମୋର ଲବଙ୍ଗ ଲତା ଆହାରେ………….।।”
ଆରେ ଘର ବନାଇଲୁ ପାଁଚ ପଟିଆ ମଝିରେ କୁଲୁସା ଠିଆ
ଆମେ ଭେଣିଆ ଚାଲି ଗଲେ କଁଚା କଁଚା ଜିବନ ଖିଆ
ଆହାରେ, ମୋର ଲବଙ୍ଗ ଲତା ଆହାରେ………।।”
ଲୋକଗୀତ ‘ଜାଇଫୁଲ’ରେ ପ୍ରେମ ପ୍ରଣୟର ଗାଥା ଅତି ସୁନ୍ଦର ଭାବରେ ଦେଖାଯାଇଥାଏ। ପ୍ରାଚୀନ ସମୟରେ ବଜାସାଲରେ ଧଙ୍ଗରା ଧାଙ୍ଗରୀ ନିଜ ମନଗହନର କଥା ଏହିସବୁ ଲୋକଗୀତ ମାଧ୍ୟମରେ ବ୍ୟକ୍ତ କରୁଥିଲେ –
“ଜାଇଫୁଲରେ ଆରେ ଜାଇଫୁଲ ଆହାରେ ଲଣ୍ଠନବତୀ
ତର ମାଁ କହୁଚେ ନନୀ ମର୍ ସତୀ
ତର ମାଁ କହୁଚେ ନନୀ ମର୍ ସତୀ
ଜାଇଫୁଲରେ ବୁଲୁଥିସୁ ଅଧାରାତି
ଆରେ ଜାଇଫୁଲ ବୁଲୁଥିସୁ ଅଧାରାତି….
ସତେ ଜାଇଫୁଲ ବୁଲୁଥିସୁ ଅଧାରାତି…।।”
“ଜାଇଫୁଲରେ ଆରେ ଜାଇଫୁଲ ନନୀକେ କିଏ ବାନ୍ଦୁଚେ….. ମାଁବୁଆର୍ କଥା କିଏ ମାନୁଚେ….. ମାଁବୁଆର୍ କଥା କିଏ ମାନୁଚେ…. ସତେରେ ସଜନୀ ଜୀବନ ଯାହା କରୁଛେ….. ଆରେ ଜାଇଫୁଲ ଜୀବନ ଯାହା କରୁଛେ…।।”
ଧଙ୍ଗରାର ଆକ୍ଷେପ ମୂଳକ କଥାକୁ ଲୋକଗୀତ ମାଧ୍ୟମରେ ଉତ୍ତର ରଖିଥାଏ ଧାଙ୍ଗରୀ। ଏମିତି ପ୍ରେମ ପ୍ରଣୟର ଲୋକଗୀତରେ ରଙ୍ଗିନ ହୋଇ ଉଠୁଥାଏ ରାତି –
“ଛଡରସ ଛଏଲିରେ କଲା କଲା ବାଏଗନ….
ବିକି ଦେଇଅଛେଁ ମୋର ପରାନ
ବିକି ଦେଇଅଛେଁ ମୋର ପରାନ…
ଛଡରସ ଛଏଲିରେ ରାତିରେ ଦେଖେ ସପନ
ଛଡରସ ଛଏଲିରେ ରାତିରେ ଦେଖେ ସପନ…..।।”
“ଛଡରସ ଛଏଲିରେ ଗିଲାସେ ପିଇଲୁ ମଦ…. କଥା ଚାରିପଦ କେଡେ ଆନନ୍ଦ….. କଥା ଚାରିପଦ କେଡେ ଆନନ୍ଦ….. ଛଡରସ ଛଏଲିରେ ଗରଭେ ରଖିଲେ ଛନ୍ଦ… ଛଡରସ ଛଏଲିରେ ଗରଭେ ରଖିଲେ ଛନ୍ଦ……।।”
ପ୍ରେମର ବିଭିନ୍ନ ରଙ୍ଗ, ବିଭିନ୍ନ ବାସ୍ନା। ଏହା ଯେତେବେଳେ ଦୈହିକ ହୋଇଉଠେ ସେତେବେଳେ ଆଉ କୋୖଣସି ବାଧା ବନ୍ଧନକୁ ମାନେ ନାହିଁ। ଦିଅର ପ୍ରେମରେ ମସଗୁଲ ଜଣେ ନାରୀର କଥା ହଳିଆ ଗୀତରେ –
“ହୋ……
ମାଛବୋଲି ଖାଇଲିଯେ ବାଉଁଶର ପାତି….
ଘଇଁତା ବୋଲି ସୁଇଲି ଦିଅର ପଛକୁତି
ବଛା ବୁହା ପରି ବୁହିଲା ବୁହିଲାକି ସୁହଲ ଘଡି ରାତି ହୋ…..।।”
ପୁଣି
“ଏ….. ଗାଇ ଗୁହାଳରେ ଯେ ଦିଅର ମାଗେ ରତି…. ନମାଗ ନମାଗ ଦିଅର ହେଇଚେଁ ରଜବତୀ…. ଆଜି ରଜବତୀ ରେ କାଲିକେ ପୁଷ୍ପବତୀ…. ପୋରଦିନ ଧୋବ ସୁକଲ ତୋ ସୁକଲ.. ପୁହାଇ ଦେମିଁ ରାତି ହୋ…….।।”
ଧୁଳିଘର ଖେଳୁ ଖେଳୁ ଜଉବନରେ ପାଦ ଦେଇଥାଏ କଳାହାଣ୍ଡିଆ ଧାଙ୍ଗରୀ। ଏବେ ପରଘରକୁ ଯିବାର ସମୟ। ନାରୀ ଜୀବନର ଏହି ସତ୍ୟ କଥା ଲୋକଗୀତରେ-
“ବଜାରେ ଢୁଲିଆ ପିଲା ଏବର୍ଷେ ନାଚିବି
ଏ ବର୍ଷେ ନାଚିବି କିରେ ଶାଶୁଘର ଜିବି
ଶ୍ବଶୁର ମୋହର ଅଟେ ବନ୍ଦିଛୋଡ ରଜା
ଖିତି ପୃଥି ଥାନେ ତା’ର ଉଡୁଅଛେ ଧଜା..
ବଗର୍ତ୍ତି ବୁଢା ପାଲିଲା ମୋତେ ଲାଡେଗେଲେ
ବର୍ଷେ ପରେ ଆସିବିରେ ଢୁଲିଆ
ବର୍ଷେ ପରେ ଆସିବିରେ ଢୁଲିଆ…
ଛୁଆଧରି କୁଲେରେ ଢୁଲିଆ ପିଲା
ବଜାରେ ନକରତୁ ହେଲାରେ ଢୁଲିଆ ପିଲା…..।।”
କଳାହାଣ୍ଡିଆ ଧାଙ୍ଗରୀ ମହାଚାତୁରୀ। ବଜାସାଲ ହେଉକି ଲୋକ ଅନୁଷ୍ଠାନ ସବୁଥିରେ ସେ ପୁରୁଷ ସହ ସମକକ୍ଷ ହୋଇଥାଏ। ପୁରୁଷର ଗୀତର ପ୍ରତ୍ୟୁତ୍ତର ଦେବାକୁ ଯାଇ ଜଣେ ଧାଙ୍ଗରୀ ଲୋକଗୀତରେ ଢାପ୍ ଗାଉଛି –
“ଢାପ୍ ଡାଙ୍ଗକେ ଚେପ୍’ନା ଖାଡି ମୁସାକେ ଫାନ୍ଦଲାଚେ ଗାଡି…
ବୁଢିପଦରର ବର୍ଡିଗଛେ ଘେର୍ଲି ଗଲ ଶୁଆ
ଚୋପ୍ କଣିଁଆ ଲଗେଇଦେଲେ ଶାଳାରେ ପଡ଼ିବୁ ଛେତେକା ଦିଆ
ପଡ଼ିବୁ ଛେତେକା ଦିଆ ପଡିବୁ ଛେତେକା ଦିଆ….।।”
କଳାହାଣ୍ଡିର ଭୁମିପୁତ୍ର ଆଦିବାସୀ କନ୍ଧଙ୍କ ଏକ ସମୃଦ୍ଧ ସଂସ୍କୃତି ଓ ପରମ୍ପରା ରହିଛି। ପରକୁ ଆପଣେଇ ନେବାର ମହାନ କଳା ଏଥିରେ ସଂଶ୍ଲିଷ୍ଟ ହୋଇ ରହିଥିବା ପରି ମନେହୁଏ। କଳାହାଣ୍ଡିର ଅନେକ ଲୋକ ସଂସ୍କୃତି କନ୍ଧ, ଡମ୍ବ ଓ ଯାଦବ ସଂସ୍କୃତିକୁ ନେଇ ପରିପୃଷ୍ଟ ହୋଇଛି। ଏପରି ଏକ ସଂସ୍କାରର ପରିଧି ମଧ୍ୟରେ ବଡହୋଇଥିବା ଝିଅଟିଏ ଶାଶୁ ଘରକୁ ଯାଇ ସମସ୍ତଙ୍କୁ ଆପଣେଇନେଇ ସୁଖ ଶାନ୍ତିର ନୀଡଟିଏ ରଚନା କରି ନିଜର ଅବଶିଷ୍ଟ ସମୟକୁ ସହଜ ସରଳ ଭାବରେ ଅତିବାହିତ କରିଦେଇଥାଏ। ପରିଶେଷରେ ଏତିକି କୁହାଯାଇପାରେ ଯେ, ଲୋକଗୀତରେ ‘କଳାହାଣ୍ଡିଆ ଧାଙ୍ଗରୀ’ ଏକ ଛଳଛଳ ନଦୀର ଧାର ପରି ସଦା ଗତିଶିଳ ଏବଂ ଋତୁରାଜ ବସନ୍ତର ରଙ୍ଗରେ ସଦା ରଙ୍ଗାୟିତ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ‘ଓଡ଼ିଆ ବାର୍ତ୍ତା‘
ସଂପାଦକ, ‘ଯଦୁ ନିଉଜ ନେସନ’
Click here to get 24×7 News & Views alerts
https://facebook.com/odiabarta