କଳାହାଣ୍ଡି: ସମ୍ପ୍ରତି କରୋନା ମହାମାରୀ ସମୟରେ ଶିକ୍ଷାଦାନ ବଂଦ ରହିଛି। ବିଦ୍ୟାଳୟ ଦ୍ୱାରା ହିଁ ଏଥିପାଇଁ ଉପଯୁକ୍ତ ସଚେତନତା ସୃଷ୍ଟି କରାଯାଇପାରିବ। ଏ ଦିଗରେ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଟାଙ୍ଗଗୁଡା ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
କଳାହାଣ୍ଡି ଜିଲ୍ଲାର ପ୍ରଥମ କ୍ଲଷ୍ଟର ଭାବେ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କୁ ନେଇ ଭବାନୀପାଟଣା ବ୍ଲକ ଅଟାଙ୍ଗଗୁଡା କ୍ଲଷ୍ଟର ଦ୍ୱାରା କୋଭିଡ ନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବର୍ତ୍ତମାନ ସମୟର ମୁକାବିଲା ପାଇଁ ଶିକ୍ଷକ, ଶିକ୍ଷାର୍ଥୀ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ତ୍ତବ୍ୟ କଣ ରହିବା ଦରକାର, ସେ ଉପରେ ଆଲୋଚନା ହୋଇଥିଲା। ସଚେତନ ହେବା ସହ ପିଲାଙ୍କୁ କେମିତି ସହଜ ଓ ସୁରକ୍ଷିତ ଭାବେ ଶିକ୍ଷାଦାନ କ୍ଷେତ୍ରରେ ସାମିଲ କରିପାରିବା, ସେ ଉପରେ ସମସ୍ତେ ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ସମ୍ମାନିତ ଅତିଥି ଅତିରିକ୍ତ ଶିକ୍ଷା ଅଧିକାରୀ ଠାକୁର ସାହୁ, ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ଜୟକୁମାର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାପତିତ୍ୱ କରିଥିଲେ ଅଟାଙ୍ଗଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଆଶୁତୋଷ ମିଶ୍ର।
ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସଭା ପରିଚାଳନା କରିଥିଲେ କ୍ଲଷ୍ଟର ସଂଯୋଜିକା ମିନତୀ କୁମାରୀ ପ୍ରଧାନ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କୁ ମାସ୍କ ଓ ସାବୁନ ବଂଟନ କରାଯାଇଥିଲା। କ୍ଲଷ୍ଟରର ବିଭିନ୍ନ ସ୍କୁଲରୁ ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ତଥା ପରିଚାଳନା କମିଟି ସଭ୍ୟମାନେ ଉପସ୍ଥିତ ଥିଲେ।