କଳାହାଣ୍ଡି/ଲାଞ୍ଜିଗଡ: ଚଳିତ ବର୍ଷ ବର୍ଷାଭାବ ଓ ଏକ ପ୍ରକାର ମରୁଡି ପରିସ୍ଥିତି ଦେଖାଦେଇଥିବା ସତ୍ତ୍ୱେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ କିଣିବାକୁ ସରକାର ଓ ପ୍ରଶାସନ ସଜବାଜ ଆରମ୍ଭ କରିଦେଇଛନ୍ତି । ମରୁଡିରୁ ରକ୍ଷା ପାଇଯାଇଥିବା ଧାନ ଫସଲକୁ ଚାଷୀ ଅମଳ କରୁଥିବାବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୫ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜଣାପଡିଛି । ଏହିକ୍ରମରେ ଭବାନୀପାଟଣା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଲାଞ୍ଜିଗଡ ବ୍ଲକର ୧୦ଟି ସ୍ଥାନରେ ଧାନ କିଣାଯିବ ବୋଲି ସୂଚନା ମିଳିଛି । ବିଭାଗୀୟ ସୂଚନାନୁସାରେ ବ୍ଲକର ଲାଞ୍ଜିଗଡଠାରେ ଲାଞ୍ଜିଗଡ ସେବା ସମବାୟ ସମିତି ଓ ମହାଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀଙ୍କଠାରୁ ସିଧାସଳଖ ଧାନ କିଣିବେ । ବିଶ୍ୱନାଥପୁର ସେବା ସମବାୟ ସମିତି ପକ୍ଷରୁ ବିଶ୍ୱନାଥପୁର, ଚମ୍ପାଦେଇପୁର ଓ ଗୋପୀନାଥପୁରଠାରେ ଧାନ କିଣାଯିବ । ସେହିପରି ସିକେରକୁପା ସେବା ସମବାୟ ସମିତି ଦ୍ୱାରା ଲାଞ୍ଜିଗଡରୋଡ, କମର୍ଦ୍ଧା, ମଧୁପୁର, ପାଣିମୁଣ୍ଡା ଓ ଗୋପାଳପୁରଠାରେ ମଣ୍ଡି ଓ ଉପକେନ୍ଦ୍ର ସ୍ଥାପନ ସହିତ ଚାଷୀମାନଙ୍କଠାରୁ ଧାନ କିଣାଯିବ ବୋଲି ଜଣାପଡିଛି । ଏନେଇ ଜିଲ୍ଲା ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମାଇକ୍ ଯୋଗେ ଚାଷୀମାନଙ୍କୁ ସଚେତନ କରାଯାଉଛି । ଏପରିକି ଚଳିତ ଖରିଫ ଋତୁରେ ଉତ୍ପାଦିତ ଧାନ ଫସଲ ସାଧାରଣ ମାନର ଧାନକୁ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଓ ସରୁଧାନ ୧୮୮୮ଟଙ୍କା ଦିଆଯିବ ବୋଲି ଜଣାପଡିଛି । ତେବେ ବ୍ଲକର ଦଶଟି ମଣ୍ଡି ମଧ୍ୟରୁ ନଅଟି ମଣ୍ଡି ନେଇ ପୂର୍ବରୁ ସୂଚନା ମିଳିଥିବାବେଳେ ଅଞ୍ଚଳର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ହସ୍ତକ୍ଷେପ କଲାପରେ ଗୋପାଳପୁର ଉପକେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି । ଏହାକୁ ନେଇ ଗୋପାଳପୁର ଗାଁର ସୁଶୀଲ କୁମାର ବାଗ, ଅଶୋକ ପାଢୀ, ନୀଲେଶ ପାଢୀ, ତପିନ୍ଦ୍ର ପଧାନ, ସୁଦର୍ଶନ ଗଉଡଙ୍କ ସମେତ ଚାଷୀମାନେ ଖୁସି ବ୍ୟକ୍ତ କରିବା ସହ ବିଧାୟକ ଶ୍ରୀ ଦିଶାରିଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।