ମୋ ସ୍କୁଲ୍ ଭର୍ଚୁଆଲ୍ ମିଟିଂ, କଳାହାଣ୍ଡିରେ ସଂଗ୍ରହ ହେଲାଣି ୪କୋଟି ୮୦ଲକ୍ଷ ଟଙ୍କା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମୋ ସ୍କୁଲ ଅଭିଯାନ ତରଫରୁ ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ପାଂଚଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦେଶବିଦେଶରେ ରହୁଥିବା ଏହି ଛାତ୍ରଛାତ୍ରୀମାନେ ନିଜନିଜର ସ୍କୁଲ ଦିନର କଥା ମନେପକାଇ ଭାବପ୍ରବଣ ହୋଇ ଉଠିଥିଲେ । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ମୋ ସ୍କୁଲ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୋ ସ୍କୁଲ ଅଭିଯାନ ଜରିଆରେ ଜିଲ୍ଲାର ୩୧୦ଟି ବିଦ୍ୟାଳୟ ଯୋଡ଼ି ହୋଇଛନ୍ତି । ଏହି ବିଦ୍ୟାଳୟମାନଙ୍କର ପୁରାତନ ଛାତ୍ରଛାତ୍ରୀ ୧କୋଟି ୬୦ ଲକ୍ଷ ଟଙ୍କା ବିଦ୍ୟାଳୟର ପ୍ରଗତି ପାଇଁ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ଏଥିନିମନ୍ତେ ସଂପୃକ୍ତ ବିଦ୍ୟାଳୟମାନଙ୍କୁ ୩କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୋ ସ୍କୁଲ ଅଭିଯାନ, କଳାହାଣ୍ଡି ଚେୟାରମେନ ଭାବେ ଯୋଗଦେଇ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଆଜି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦ୍ୟାଳୟମାନଙ୍କରେ ଏକ ସ୍ୱତନ୍ତ୍ର ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯିବ, ଯେଉଁଥିରେ ଜିଲ୍ଲା ଓ ବ୍ଲକ୍‌ର ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ସହ ପୁରାତନ ଛାତ୍ରଛାତ୍ରୀ ସଭ୍ୟ ରହିବେ । ବିଦ୍ୟାଳୟର ଇନ୍‌ଫ୍ରାଷ୍ଟକଚର୍‌, ପାଠାଗାର, ପରୀକ୍ଷାଗାର ପ୍ରଭୃତିର ବିକାଶ କରାଯିବ । ଏହି ବିଦ୍ୟାଳୟଗୁଡ଼ିକୁ ଆଦର୍ଶ ସ୍ଥାନୀୟ ବିଦ୍ୟାଳୟରେ ପରିଣତ କରାଯିବ । ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟମାନଙ୍କରେ ଏହି ଯୋଜନା ଲାଗୁକରାଯିବ । ଏପରି ଭାବରେ ବିଦ୍ୟାଳୟମାନଙ୍କୁ ଗଠନ କରାଯିବ, ଯେପରି ମନେହେବ ଯେ କୌଣସି ଉନ୍ନତ ବିଦ୍ୟାଳୟ ଠାରୁ ଏହି ବିଦ୍ୟାଳୟଗୁଡ଼ିକ ପଛରେ ନାହାନ୍ତି । ଆମେରିକାର ବୋଷ୍ଟନ ସହରରେ ରହୁଥିବା ସରକାରୀ ହାଇସ୍କୁଲ, ଜୁନାଗଡ଼ର ପୁରାତନ ଛାତ୍ର ଜାନକୀବଲ୍ଲଭ ଦାଶ, ସରକାରୀ ବାଳକ ହାଇସ୍କୁଲ, କେସିଙ୍ଗାର ବରିଷ୍ଠ ଛାତ ଶଙ୍କର ଲାଲ ଅଗ୍ରୱାଲ୍‌, ଧର୍ମଗଡ଼ ହାଇସ୍କୁଲର ସଂଜିତ କୁମାର ପଣ୍ଡା, ପୋଲିସ ହାଇସ୍କୁଲ ଭବାନୀପାଟଣାର ପୁରାତନ ଛାତ୍ରୀ ପ୍ରଣତି ମିଶ୍ର, ମୁନିସପାଲ ହାଇସ୍କୁଲ ଭବାନୀପାଟଣାର ପୁରାତନ ଛାତ୍ରୀ ଶୁଭଲକ୍ଷ୍ମୀ ଦାଶ ନିଜ ନିଜର ମତ ରଖିଥିଲେ । ମୋ ସ୍କୁଲ ଅଭିଯାନର କଳାହାଣ୍ଡି ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.