ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ପ୍ରଶାସନର ଉଦ୍ୟମ

● ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାନ୍ଵୟନ ବୈଠକ ଆରମ୍ଭ

ଲାଞ୍ଜିଗଡ଼ (ଦୁଃଖୀଶ୍ୟାମ ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। କରୋନା ମହାମାରୀ ଯୋଗୁଁ ଦୀର୍ଘ ସାତ ମାସ ଧରି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବାବେଳେ ବିଦ୍ୟାଳୟ ପରିଚାଳନାରେ କିଛିମାତ୍ରାରେ ସ୍ଥାଣୁତା ଆସିଛି। ମହାମାରୀ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ। ସ୍କୁଲ୍ ଖୋଲିବା ପୂର୍ବରୁ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ। ତାଙ୍କ ନେତୃତ୍ୱରେ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସମସ୍ତ ସ୍କୁଲ୍ ପରିସର ସଫେଇ କରାଯାଇଥିବା ବେଳେ ଶିକ୍ଷା ସଂଯୋଗ, ରେଡିଓ ପାଠଶାଳା, ପୁଷ୍ଟିକର ଉଦ୍ୟାନ, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମୋ ସ୍କୁଲ୍ ଅଭିଯାନ ଆଦି କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲିଛି। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକର ତଦାରଖ ପାଇଁ ବ୍ଲକ୍ ଓ କ୍ଲଷ୍ଟର ସ୍ତରୀୟ କୋର୍ କମିଟିମାନ ଗଠନ କରାଯାଇଛି। ବିଭାଗକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ମସ୍କାଗୁଡ଼ା, ଲାଞ୍ଜିଗଡ଼ ରୋଡ଼ ଓ ଗୋବର୍ଦ୍ଧନପୁର କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା କ୍ଲଷ୍ଟର ସ୍ତରୀୟ କୋର୍ କମିଟି ସଦସ୍ୟମାନଙ୍କୁ ନେଇ ଏକ କାର୍ଯ୍ୟାନ୍ଵୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ବୈଠକରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ପାଣିମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ମୁଣ୍ଡ, ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ମହାପାତ୍ର, ବରିଷ୍ଠ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନା, ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନଗେନ୍ଦ୍ରନାଥ ପଟ୍ଟନାୟକ ପ୍ରମୁଖ ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ। ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ସଭା ପରିଚାଳନା କରିଥିବାବେଳେ ସଞ୍ଜିତ କୁମାର ସାହୁ, ଝସକେତନ ଘଡ଼େଇ, ଗଣେଶ୍ବର ଠେଲା, ଅର୍ଚ୍ଚନା ମିଶ୍ର, ପ୍ରକାଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ନାୟକ, ରୀନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମସ୍କାଗୁଡ଼ା ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ। ଆଗକୁ ବ୍ଲକର ଅନ୍ୟାନ୍ୟ କ୍ଲଷ୍ଟରରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.