ଲାଞ୍ଜିଗଡ: ଲାଞ୍ଜିଗଡରେ ଅସହ୍ୟ ହେଉଛି ଦାଦାନ ଦୁଃଖ। ଚଳିତ ବର୍ଷରେ କେରଳ ଓ ତାମିଲନାଡୁରେ ଏହି ବ୍ଲକର ୩ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳ ସ୍ଥବ୍ଧ ହୋଇଯାଇଥିଲା। ବର୍ତ୍ତମାନ ଘାସେ ମାଝୀ(୨୫)ଙ୍କ ଶବ ଗୁରୁବାର ନିଜ ଭିଟାମାଟି ବାଲିଗୁଡା ଗାଁକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ ବିଜେପୁର ଥାନା ବେନଙ୍ଗା ପଞ୍ଚାୟତ ବାଲିଗୁଡା ଗାଁର ବଡଲକ୍ଷ୍ମଣ ମାଝୀଙ୍କ ପୁଅ ହେଉଛନ୍ତି ଘାସେ ମାଝୀ(୨୫)। ସେ ଆଜକୁ ଦେଢ଼ ବର୍ଷ ହେଲା ତାମିଲନାଡୁ ରାଜ୍ୟର ତିରପୁର ଜିଲ୍ଲାର ଅଲଙ୍ଗିୟମ ଥାନା ଅଞ୍ଚଳର ଲଷ୍ମୀ କ୍ରସରରେ କାମ କରୁଥିଲେ।ଗତ ମଙ୍ଗଳବାର ସକାଳ ୧୧ଟା ସମୟରେ ସାଙ୍ଗ ମାନଙ୍କ ସହିତ ଏକ ବାଇକରେ ନିକଟସ୍ଥ ଧରପୁରମ ମାର୍କେଟ ଯାଉଥିବା ସମୟରେ ସାଂନ୍ନା ପଟୁ ଏକ ମାରୁତି ସୁଜୁକି କାର(ଟିଏନ ୩୭ଡିଓଆଇ-୬୦୩୯) ଧକ୍କା ମାରିବା ଯୋଗୁଁ ବାଇକଠାରୁ ଘାସେ ଛିଡିକି ଯାଇ ରାସ୍ତା କଡରେ ଥିବା ଏକ ପଥର ଗଦାରେ ପଡିଯାଇ ଥିଲେ। ଦୁଇ ଜଣ ସାଙ୍ଗ ଓ ସ୍ଥାନୀୟ ଲୋକେ ମିଶି ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କଲିମବେଟର ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଘାସେ ମାଝୀଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସନାଙ୍ଗଦେଇ ମାଝୀ (୨୨) ଓ ତିନି ବର୍ଷର ଶିଶୁ କନ୍ୟା ରିନା ମାଝୀ ନିଜ ଗାଁ ବାଲିଗୁଡାରେ ଶାଶୁଶସୁରଙ୍କ ପାଖରେ ଥିଲେ। ମୃତ୍ୟୁ ଖବର ପାଇ ଘାସେଙ୍କ ପରିବାର ଶବ ଆଣିବା ପାଇଁ ସକ୍ଷମ ନଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ପରେ କ୍ରସର ମାଲିକ କେରଳରେ ଶବ ବ୍ୟବଚ୍ଛେଦ କରି ଘାସେଙ୍କ ଶବକୁ ଏକ ଆମ୍ବୁଲାନ୍ସରେ ଗାଁକୁ ପଠାଇ ଦେଉ ଥିଲେ। ଗୁରୁବାର ସକାଳେ ସାଢେ ୩ ଘଣ୍ଟା ସମୟରେ ଘାସେଙ୍କ ଶବ ଗାଁରେ ଆସି ପହଞ୍ଚିଥିଲା। ପରମ୍ପରା ଅନୁଯାୟୀ ତାଙ୍କ ଶବ ସତ୍କାର କରାଯାଇ ଥିଲା। ବର୍ତ୍ତମାନ ଏହି ପରିବାର ଅତ୍ୟନ୍ତ ଗରିବ ଯୋଗୁଁ ଏହି ବର୍ଗକୁ ସରକାରୀ ସ୍ତରରୁ ସହାୟତା ଯୋଗାଇଦେବାକୁ ଅଞ୍ଚବାସୀ ଦାବି କରିଛନ୍ତି। ପ୍ରକାଶ ଯେ ଚଳିତ ବର୍ଷ ଜାନୁଆରୀ ମାସରେ ଏହି ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଗ୍ରାମର ପ୍ରଦୀପ ହରିଜନ(୩୫)ଓ କେନ୍ଦୁଗୁଡା ଗ୍ରାମର ମୁଗୁନା ମାଝୀ(୩୪) ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ମୃତ୍ୟୁ ଘଟିଥିଲା। ପୁଣି ୯ ମାସ ପରେ ଘାସେ ମାଝୀଙ୍କ ମୃତ୍ୟୁ ଘଟିଥିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।