ବାପୁଜୀ ହାଇସ୍କୁଲରେ ଶିକ୍ଷକ ସଂକଟ

୨ ବିଜ୍ଞାନ ଶିକ୍ଷକ ପଦବୀ ସମେତ ୪ ଶିକ୍ଷକ ପଦବୀ ଖାଲି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ହାତ ଗଣତି ପୁରାତନ ହାଇସ୍କୁଲ ମଧ୍ୟରେ ରିଷିଡା ବାପୁଜୀ ହାଇସ୍କୁଲ ଅନ୍ୟତମ। ଏହି ବ୍ଳକର ସର୍ବପ୍ରଥମ ହାଇସ୍କୁଲ ଭାବେ ପରିଚିତ ଏଇ ବାପୁଜୀ ହାଇସ୍କୁଲରେ ବର୍ତମାନ ସ୍ଥାୟୀ ବିଜ୍ଞାନ ଶିକ୍ଷକ ନାହାନ୍ତି। ଗଣିତ ଓ ବିଜ୍ଞାନ ପାଇଁ ୨ ଜଣ ଶିକ୍ଷକ ପଦବୀ ଥିବାବେଳେ ତାହା ଖାଲି ପଡିଛି। ଏଥି ସହିତ ଜଣେ କଳା ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି। ଏଇ ଖାଲି ଶିକ୍ଷକ ପଦବୀ ପୂରଣ କରାଯାଉନଥିବାରୁ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଙ୍କୁ ଗତ କିଛି ମାସ ତଳେ ଅନ୍ୟତ୍ର ଡେପୁଟେସନରେ ପଠାଯାଇଥିବା ବେଳେ ଏଠାରେ ଥିବା ଆଉ ଜଣେ ବିଜ୍ଞାନ ଶିକ୍ଷକ ଇତି ମଧ୍ୟରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ଯୋଗଦେଇଛନ୍ତି। ଫଳରେ ଗଣିତ, ବିଜ୍ଞାନ ଭଳି ବିଷୟ ପଢାଇବା ପାଇଁ ଏଠି ଶିକ୍ଷକ ନାହାନ୍ତି। କେବଳ ଧର୍ମକୁ ଆଖି ଠାର ନ୍ୟାୟରେ ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଙ୍କୁ ସପ୍ତାହକୁ ଦୁଇ/ତିନି ଦିନ ଆସିବା ପାଇଁ ନିୟୋଜିତ କରାଯାଇଥିବା ଜଣାଯାଇଛି । ସେଇପରି ଏଠାକାର ଆଉ ଜଣେ ଶିକ୍ଷକ ଯିଏକି ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିଲେ, ସେ ମଧ୍ୟ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପାଇଲା ପରେ ଅନ୍ୟ ବିଦ୍ୟାଳୟରେ ଯୋଗଦେଇଥିବାରୁ ଗୋଟିଏ କଳା ଶିକ୍ଷକ ପଦବୀ ଖାଲି ରହିଛି। ଏଥି ସହିତ ସଂସ୍କୃତ ଶିକ୍ଷକ ପଦବୀ ମଧ୍ୟ ଶୂନ୍ୟ ପଡିଛି । ଆଉ ଏକ ଗୁରୁତ୍ୱପୂର୍ଣ କଥା ହେଲା ଏଠାରେ ପ୍ରଧାନଶିକ୍ଷକ ଥିବା ଶିକ୍ଷୟତ୍ରୀ ଜଣକ ଆସନ୍ତା ଫେବୃୟାରୀ ମାସରେ ଚାକିରିରୁ ଅବସର ନେବେ। ତେଣୁ ଏପରି ପରିସ୍ଥିତିରେ ବିଦ୍ୟାଳୟ ଖୋଳିଲେ ପାଠପଢା ହେବ କିପରି ବୋଲି ପ୍ରଶ୍ନ ଉଠୁଛି।

ପ୍ରକାଶଥାଉକି ୫୬ ବର୍ଷ ପୁରୁଣା ଏଇ ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ ଇତି ମଧ୍ୟରେ ସୁବର୍ଣ ଜୟନ୍ତୀ ପାଳନ କରିସାରିଛି । ଏଇ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ଏକଦା ସାରା ଓଡିଶାରେ ଚହଳ ସୃଷ୍ଟି କରି ସାରିଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରୁ ପିଲାମାନେ ଏଠିକି ପଢି ଆସି ବିଦ୍ୟାଳୟର ହଷ୍ଟେଲରେ ରହି ଶିକ୍ଷା ଅଧ୍ୟୟନ କରୁଥିଲେ । ଗୁଣାତ୍ମକ ଶିକ୍ଷା ଓ ଶେକ୍ଷିକ ପରିବେଶ ପାଇଁ ଏଇ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ ତଥା ପ୍ରଥିତଯଶା ଶିକ୍ଷାବିତ ସ୍ୱର୍ଗତ ଉପେନ୍ଦ୍ର ସାହୁ ରାଜ୍ୟପାଳ ପୁରସ୍କାର ପାଇଥିଲେ । କେବଳ ଶିକ୍ଷା କ୍ଷେତ୍ର ରେ ନୁହେଁ କ୍ରୀଡା, ବିଜ୍ଞାନ, ସ୍କାଉଟ ତଥା ବିଭିନ୍ନ ବୌଦ୍ଧିକ ପ୍ରତୀଯୋଗୀତାରେ ବିଦ୍ୟାଳୟର ଛାତ୍ର ମାନେ କୃତିତ୍ୱ ଅର୍ଜନ କରି ଗୌରବ ବଢାଇଥିଲେ । ଏଇ ବିଦ୍ୟାଳୟରୁ ଅନେକ କୃତୀ ଛାତ୍ର ଏବେ ବି ଓଡିଶା ତଥା ଓଡିଶା ବାହାରେ ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି। ତେଣୁ ଏପରି ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ପ୍ରତି ଶିକ୍ଷା ବିଭାଗ ଆଖିବୁଜି ଦେବା ଘଟଣା ପୁରାତନ ଛାତ୍ର ମାନଙ୍କୁ ବ୍ୟଥିତ କରିଛି। ତୁରନ୍ତ ଖାଲିଥିବା ଶିକ୍ଷକ, ଶିକ୍ଷୟତ୍ରୀ ପଦବୀ ପୂରଣ କରିବା ସହ ଏଇ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ଖୋଲିବା ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବୀ ହେଉଛି।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.