ଯୁବକବି ଜୟଦ୍ରଥ ସୁନାଙ୍କ ଦ୍ବିତୀୟ କବିତା ସଂକଳନ ‘ନିଆଁଧରା’ ଲୋକାର୍ପିତ

କଳାହାଣ୍ଡି: କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନାଙ୍କ ଦ୍ବିତୀୟ କବିତା ସଂକଳନ ‘ନିଆଁଧରା’ ଲୋକାର୍ପିତ ହୋଇଯାଇଛି। ଏଥିନିମନ୍ତେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ଅତିଥି ଭାବେ ବିଶିଷ୍ଟ କବି ଅଖିଳ ନାୟକ, କବି, ନାଟ୍ୟକାର ଓ ଗବେଷକ ପରମେଶ୍ବର ମୁଣ୍ଡ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସତ୍ୟନାରାୟଣ ସିଂହ, ନାଟ୍ୟ ସଂପାଦକ ସୁଶାନ୍ତ ସିଂହ, ପ୍ରଦୀପ କୁମାର ସିଂହ, ସମାଜସେବୀ ସୁବୋଧ ରଣା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କବିଙ୍କ ଏହି ନୂତନ ସୃଷ୍ଟି ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ଯୁବକବି ଯାଦବେନ୍ଦ୍ର ସାହା, ମଳୟ କରୁଆଁ ଓ କବିଙ୍କ ଧର୍ମପତ୍ନୀ ମନୋରମା ପାଲ ପ୍ରମୁଖ ଉପସ୍ଥିତ ଥିଲେ। ଏଇ କବିତା ପୁସ୍ତକଟିକୁ ଓଡ଼ିଶାର ସୁନାମଧନ୍ୟ ପ୍ରକାଶନ ସଂସ୍ଥା ପଶ୍ଚିମା ପ୍ରକାଶନ ଦାୟିତ୍ବ ନେଇଥିବାବେଳେ ଅଶୋକ ମହାନ୍ତି ଏହାର ଆକର୍ଷଣୀୟ ପ୍ରଚ୍ଛଦ ଅଙ୍କନ କରିଛନ୍ତି। ସୂଚନାଯୋଗ୍ୟ, କବି ଜୟଦ୍ରଥଙ୍କ ପ୍ରଥମ କବିତା ସଂକଳନ ‘ଶୋଷ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଥିଲେ। ଏହା ତାଙ୍କର ଦ୍ବିତୀୟ କବିତା ସଂକଳନ ଓ ଏହାର ପାଠକୀୟ ଆଦୃତି ପାଇଁ ସେ ବେଶ୍ ଆଶାବାଦୀ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.