ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଅନଲାଇନ ସାନ୍ଧ୍ୟ ସାହିତ୍ୟ ଆଲୋଚନା ଚକ୍ର

‘ସାମ୍ପ୍ରତିକ କବିତାର ଦିଗଦିଗନ୍ତ ଅବା ଆଜିର କବିତା କାଳଜୟୀ କି ?’

ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାର ବିଷୟ ଥିଲା “ସାମ୍ପ୍ରତିକ କବିତାର ଦିଗ ଦିଗନ୍ତ”। ମୁଖ୍ଯ ଅତିଥିଙ୍କ ଆସନ ଅଳଙ୍କୃତ କରିଥିଲେ ଓଡ଼ିଶାର ଆଗଧାଡିର କବି ଡଃ ହୁସେନ ରବି ଗାନ୍ଧୀ ତଥା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡଃ କୁମାର ଗୋପାଳ।
ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଦୀକ୍ଷାନ୍ତ ଅଭିଭାଷଣରେ ସାହିତ୍ୟକୁ କାଳଜୟୀ କରିବାକୁ ହେଲେ ଜନଭାଷା ତଥା ଆଞ୍ଚଳିକ ଭାଷାର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ସଚ୍ଚି ରାଉତରା, ଭୀମ ଭୋଇ ଇତ୍ୟାଦି କାଳଜୟୀ ସ୍ରଷ୍ଟା ମାନଙ୍କ ଉଦାହରଣ ଦେଇ ସେ ସେହିପରି ସାହିତ୍ୟ ସୃଷ୍ଟି ପାଇଁ ଭାବ ବିହ୍ବଳ କଣ୍ଠରେ ଆହ୍ବାନ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ବ୍ଯକ୍ତି ନୁହେଁ ସମଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନୀତ ଅତିଥି ପୁସ୍ତକ ଖାଲି କ୍ରୟ ନକରି ବରଂ ତାକୁ ପଢିବାକୁ ଓ ଲେଖିବାକୁ ସୁପରାମର୍ଶ ଦେଇଥିଲେ। ତାଙ୍କ ମତରେ ସୃଷ୍ଟି ରଚନା କାଳରେ କେହି ଜାଣି ନ ଥାନ୍ତି ଯେ ତାହା କାଳଜୟୀ ହେବ, କିନ୍ତୁ ନିଷ୍ଠାର ସହିତ ରଚନା କଲେ ଆମେ ମଧ୍ଯ କାଳଜୟୀ ସ୍ରଷ୍ଟା ହୋଇପାରିବା ବୋଲି ସୁପରାମର୍ଶ ଦେଇଥିଲେ। ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ତଥା ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ । ରଞ୍ଜନ ମହାନ୍ତିଙ୍କ ମଞ୍ଚ ପରିଚାଳନା ଶବ୍ଦର ଦୀପାବଳିମୟ ପରିବେଶ ସୃଷ୍ଟି କରିଥିଲା। ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ତଥା ବିଶ୍ଵେଶ୍ଵର ମାଝୀଙ୍କ ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।

ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁର ବିନୋଦିନୀ ଦାଶ, ସନ୍ତୋଷ କୁମାର ପରିଡ଼ା, ଅମରନାଥ ବାରିକ, ବିନୟ କୁମାର ମହାପାତ୍ର, ସୁଶାନ୍ତ କୁମାର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ରଞ୍ଜନ କୁମାର ପଣ୍ଡା, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ମାଳା ରାଉତ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରାଜେନ୍ଦ୍ର କୁମାର ଗିରି,ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ମୟୂରଭଞ୍ଜରୁ ଧିରେନ ବାଗ, ନବରଙ୍ଗପୁରରୁ ସାଗର ପରିଡ଼ା, ତେଲେଙ୍ଗାନାର ସାରସ୍ୱତ ସାଧକ ତଥା ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର, କଟକରୁ ମନୋରମା ମହାପାତ୍ର, ଜଗନ୍ନାଥ ବାରିକ,କଳାହାଣ୍ଡି ରୁ କାହ୍ନୁ ଚରଣ ସାହୁ, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର ପ୍ରମୁଖ କବି କବୟତ୍ରୀ ସେମାନଙ୍କ ନିଜସ୍ବ କବିତା/ପ୍ରବନ୍ଧ ପରିବେଷଣ କରିଥିଲେ।

ଅତିଥି ମାନେ ଏ ଭଳି କାର୍ଯ୍ୟକ୍ରମ ଆୟୋଜନ ଦେଖି ଆନନ୍ଦିତ ହେବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଉତ୍ତରୋତ୍ତର ଉନ୍ନତି କାମନାର୍ଥେ ଶୁଭବାର୍ତ୍ତା ପ୍ରଦାନ କରିଥିଲେ ଏବଂ ପରିବାର ସହ ସାହିତ୍ୟ କ୍ଷେତ୍ରରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ପରିବାରର ମୁଖ୍ୟ ଉପଦେଷ୍ଟା ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ତଥା ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା । ଆସନ୍ତା ସପ୍ତାହର ଆସର ଡଃ ହୁସେନ ରବି ଗାନ୍ଧୀଙ୍କୁ ସମର୍ପିତ କରିବାକୁ ମଧ୍ଯ ପ୍ରସ୍ତାବ ଗୃହୀତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.