ଗନ୍ତାୟତ ଶିବପ୍ରସାଦଙ୍କ ୫୧ ତମ ଜୟନ୍ତୀ ଅବସରରେ ଶିବସ୍ମୃତି ସମାରୋହ

ରାୟଗଡ: ଅମର ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ ୫୧ ତମ ଜୟନ୍ତୀ ପାଳନ ଅବସରରେ ସ୍ରଷ୍ଟାଙ୍କ ଅଗ୍ରଜ କବି ଓ ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତଙ୍କ ଆବାହନ କ୍ରମେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ଶିବସ୍ମୃତି ସମାରୋହ। ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଶାରୀରିକ ପ୍ରତିବନ୍ଧକକୁ ସାମନା କରିବା ସହ ଗନ୍ତାୟତ ଶିବପ୍ରସାଦ କିପରି ସୃଜନଶୀଳତା ସପକ୍ଷରେ ଆଜୀବନ କର୍ମ କରି ଯାଇଛନ୍ତି ଉଲ୍ଲେଖ କରି ଭାବଭରା ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟତମ ବକ୍ତା ଭାବେ କୃତବିଦ୍ୟ ସ୍ରଷ୍ଟା ଓ ସ୍ତମ୍ଭକାର ଦ୍ୱିତୀ ଚନ୍ଦ୍ର ସାହୁ ଗନ୍ତାୟତ ଶିବପ୍ରସାଦଙ୍କ ବହୁମୁଖୀ ସାରସ୍ୱତ ପ୍ରତିଭାର ଆକଳନ ପୂର୍ବକ ସେ ଜଣେ କୃତୀ ଗାଳ୍ପିକ ଥିଲେ ଓ ସର୍ବଦା ସଭିଙ୍କୁ ପ୍ରେରିତ କରୁଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଗନ୍ତାୟତ ଶିବପ୍ରସାଦଙ୍କ ଲିଖିତ ଓ ବିଶିଷ୍ଟ ଲେଖକ ତଥା ଅନୁବାଦକ ରମେଶ ପଟ୍ଟନାୟକଙ୍କ ଦ୍ୱାରା ଅନୁଦିତ ହୋଇ ପ୍ରଖ୍ୟାତ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ସଦ୍ୟ ପ୍ରକାଶିତ “ଗଡ୍ ଏଣ୍ଡ୍ ଅଦର୍ ପୋଏମ୍ସ” ଶୀର୍ଷକ ଇଂରାଜୀ କବିତା ସଙ୍କଳନକୁ ଅତିଥି ମାନେ ପାଠକାର୍ପଣ କରିଥିଲେ।

ଇତ୍ୟବସରରେ ଜୀବନ ସମ୍ପର୍କରେ ଗନ୍ତାୟତ ଶିବପ୍ରସାଦଙ୍କ ଆପ୍ତବାକ୍ୟ ମାନ ପାଠ ସହ ଆଲୋଚନା କରାଯାଇଥିଲା । ଆଗାମୀ ସମୟରେ ସ୍ରଷ୍ଟାଙ୍କ ଅପ୍ରକାଶିତ ପାଣ୍ଡୁଲିପିଙ୍କ ପ୍ରକାଶନ ମଧ୍ୟରେ ଗଳ୍ପ ପ୍ରକାଶନକୁ ଅଗ୍ରାଧିକାର ଦିଆଯିବ ବୋଲି ଶିବସ୍ମୃତି ପକ୍ଷରୁ ସତ୍ୟନାରାୟଣ ଗନ୍ତାୟତ ଉଲ୍ଲେଖ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.