କଳାହାଣ୍ଡି, (ହେମନ୍ତ ସାହୁ): ଆଜିଠାରୁ ସାରାରାଜ୍ୟରେ ଆରମ୍ଭ ହେଇଛି ଲକଡ଼ାଉନ । କେବଳ ଗୋଟିଏ ପ୍ରୟାସ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ପ୍ରଶାସନ ତରଫରୁ କଡ଼ାକଡ଼ି ଯାଞ୍ଚ କରାଯାଇଛି । ତେବେ ସକାଳ ୬ଟାରୁ ୧୨ଟା ଯାଏଁ ଅତ୍ୟାବଶୀୟ ସାମଗ୍ରୀ ଘରଠାରୁ ପାଂଚଶହ ମିଟର ଦୂର ଯାଏଁ ଯାଇ ଆଣିବାକୁ ଅନୁମତି ଥିଲା । ସେହି ସମୟ ମଧ୍ୟରେ କିଛି ଲୋକଙ୍କ ଯାତାୟତ ଲାଗି ରହିଥିଲା । ପରେ ଦିନ ୧୨ଟା ସମୟରୁ ରାସ୍ତାଘାଟ ସଂପୂର୍ଣ୍ଣ ଭାବରେ ଖାଲି ପଡ଼ିଯାଇଥିବା ଜଣାଯାଇଛି । କରୋନାର ସଂକ୍ରମଣକୁ ରୋକିବାକୁ ଓଡ଼ିଶା ସରକାର ଦେଇଥିବା ପ୍ରଥମ ପର୍ଯ୍ୟାୟ ଲକଡ଼ାଉନକୁ ଜନସାଧାରଣ ହୃଦୟଙ୍ଗମ କରି ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା । ଆଜିର ଏହି ଯାଂଚ ସମୟରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ, ଥାନାଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।





