ଚାଇନା ସମୁଦିକୁ ଗୁଟେ ଚିଠି

🖋️ଆଶୁତୋଷ ପାତ୍ର


ଅପ୍ରିୟାତିଅପ୍ରିୟ ଅପୂଜନୀୟ ଚାଇନା ସମୁଦି,

ମୋର ତିରସ୍କାର ଗ୍ରହଣ କର୍ବ କିନା। ଗ୍ରହଣ ନ କଲେ ନାଇଁ। ମୁଇଁ ମାତ୍ରକ ଫେରେଇକି ନେବି ନାଇଁ କି ଭଲମନ୍ଦ କଥା କିଛି ମିଶା ପଚାରବି ନାଇଁ। ତମର ଜଡ୍ଡା ଯାକ ଆମକୁ ଲଗେଇକି ତୁମେ ଭଲରେକା ଥିବ ଯେ। ଆମର ବାତୁକୁ (ଜୀବନ) ଆକା ଉହାନର ପୁକ (ପୋକଜୋକ) ମାର୍କେଟ ଭଳିଆ ବାସଷ୍ଟାଣ୍ଡ (ଦରିଦ୍ର) ହେଇଗଲା। ଯୁ ଦିନ ତୁମର ସେ ଟୁକି କରୋନା କୁମାରୀ ଡେବ୍ରିଗୁଡ ପକେଇକି ଆମ ଘରକୁ ଆଇଲା କି ନାଇଁ, ଘରଯାକ ଉତୁଉତା କରିକି ସବୁଆଡେ କୁଞ୍ଚି ପକେଇଦେଲା। ସମାଜସେବା, ସମାଜିକ ନ୍ୟାୟ ଦେବାର ଲାଗି ସବୁବେଳେ ପଦାରେ ବୁଲୁଥିବା ଆମର୍ ପରା ଲୁକମଣକୁ ସାମାଜିକ ଦୂରତା, ଇଟାସିଟା ବଲିକିରି ପାଟି ଚୁପ କରିକି ମୁଟ ବାନ୍ଧିକି ଘରେ ପୁରାଇଦେଲା ତମର ସେ ଆଣ୍ଟେନା ମଣେ ଲଗେଇକି ବୁଲୁଥିବା ଚଣ୍ଡୀ ଟୁକି। ଘରେ ରଇବାରୁ ଅଣ୍ଡ୍ରା ମାଈକିନା ମଣେ ସବୁବେଳେ ମାଡଗୁଳ ଲାଗିବେ, ଅନଲାଇନ କ୍ଳାସ ବଲିକିରି ଘରେ ଇ ପିଲାମାନେ ମୁଣ୍ଡ ଖାଇବେ, ନଥିଲା ବିଜାର କରିବେ। ଇ ସବୁ ବାଧାର କାରଣ ତମର ଟୁକିକୁ ଦୁଇଟା ଘେସ୍ରାଇ ଦେବା ବୈଲେ ମିଶା ହେଉଛି କି? ଆମେ ତାକୁ ଛୁଇଁଲେ ବାଧା, ସିଏ ଆମକୁ ଛୁଇଁଲେ ବାଧା ଆକା। ଆମକୁ କା କ୍ଵାରାଣ୍ଟାଇନରେ ରଇବାକୁ ପଡିବ। ସିଟାପାଇଁ ସି ଚେଷ୍ଟା ବି ଛାଡିଦେଲୁ। ତାକୁ କେତେବେଳେ ଛୁଇଁଦେଇଛୁ ପରା ବଲି ଡରିକିରି ସବୁବେଳେ ହାତକୁ ଧୋଇଧୋଇ, ଘଷିଘଷି, ସାନିଟାଇଜ କରି ଫୁଲ ଭଳିଆ ହାତ ଏବେ ପଣସ ଭଳିଆ ହେଇଗଲାଣି। ଇମିତି ବଲିକିରି ଦୂରରେ ଥାଇକରି ଭଲକରି ଦି’ ଟା ଗାଳି କର୍ବା ବୈଲେ ଆମର ତୁଣ୍ଡରେ ତୁଣ୍ଡି ପିନ୍ଧେଇ ଦେଲା ତମର ସି ଟୁକି। ଆମର ପାଟିକି ବନ୍ଦ କରିକି ସିଏ ମାତ୍ରକ ବାହାରେ ମସ୍ତ ବୁଲିକିରି ଡରଉଚି; ମାଙ୍କଡି ମୁହିଁ ଟୁକି। ସିଏ ଯେବେଠୁ ଆଇଲା, ସେବୁଠୁ ପୂଜା ପରବ କିଛି ନାଇଁ, ସିନେମା ସପିଙ୍ଗ ନାଇଁ। ଖାଲି ଆଇସୋଲେସନ ଆଉ କ୍ଵାରାଣ୍ଟାଇନ। ଷ୍ଟିମ ଆଉ ଅକ୍ସିଜେନ। ଭିଟାମିନ ଆଉ ଆଣ୍ଟିବାୟୋଟିକ। ନଥାଇ ନଥାଇ ବାହାରକୁ ଗଲେ ସେ ପିପିଇ କିଟ୍, ମାସ୍କ ପିନ୍ଧିକିରି ଆମ୍ବ ପଚେଇଲା ପରା ପାଚି ଯାଉଛୁ। ଭୁଲରେ କେବେ ଛିଙ୍କି ଦେଲେ କି କାଶି ଦେଲେ ଅଡିଶା ପଡିଶାର ଲୁକମାନଙ୍କର ଆଖିରେ ଡାଉଟ୍ କରିବା ଅପରେସନଠାରୁ କୋପରେସନ କରିକି ଘରେ ରଇବାଟା ଭଲ ବଲିକିରି ତୁଣ୍ଡ ବନ୍ଦ କରିକି ରଇବାକୁ ପଡୁଛି। ସିଏ ଡରିକିରି ପଳେଇବ ବଲିକିରି ଯେତେ ଘଣ୍ଟ ବାଡେଇଲେ କି ଦୀପ ଜଳେଇଲେ ମିଶା ସି ଟୁକି ଗଲାକି? ପୁରା ମୋଣ୍ଡିଟା (ଜିଦ୍ଦି)। ଟିକେ ମିଶା ହଲିଲା ନାଇଁ। ଏବେ କେତେଦିନ ଧରିକିରି ଟିକେ ଚିମ୍ରା(ଶିଥିଳ) ପଡିଥିଲା ବଲିକିରି ପଳେଇଲା ବୋଲି ଭାବୁଥିଲୁ। ହେଲେ ଗଲା କୁଠି, ଶୁଇଦେଇଥିଲା ପରା। ଆଉରି ଉଠିକି ବୁଲୁଛି। ଲାଷ୍ଟକୁ ଆତ୍ମନିର୍ଭର ହେବା ବଲିକିରି ନିଜ ମନକୁ ବୁଝଊଛୁ। ହେଲେ ଆଉ ପାରି ହେଲା ନାଇଁ। ଆମର୍ କର୍ମ (ଭାଗ୍ୟ) ଆକା। କା’କୁ ଆରି କଇବୁ। ଆଗ୍ରୁ କା ତମର ସାଙ୍ଗେ ସମ୍ବନ୍ଧ କରିବାର ଇଚ୍ଛା ନଥିଲା। ସେ ଟୁକିର ମାମୁଁ WHOର ଇଟାସିଟା କଥା ଶୁଣିକିରି ସବୁ ବୁଡେଇକରି ଏବେ ମରୁଛୁ।

ହେଲେ ଇ ଚିଠି ଲେଖିକିରି କୈବାର କିସ ବୈଲେ ତମର ଝିଅ ମା’ ଘର କଥା ବେଶୀ ମନେ ପକାଉଚି। ବିଭା ହେଲା ପରେ ଥରେ ମିଶା ମା’ ଘରକୁ ଯାଇନାହିଁ ତ। ସିଟାପାଇଁ ବେଶି ମନେ ପକଉଚି। ହେଇଟି ଏବେ ଚତୁର୍ମାସ୍ୟା ଆସୁଛି। ତାର୍ ଆଗରୁ ତାକୁ ଘରକୁ ନେଇକି ଯାଅ। ଚତୁର୍ମାସ୍ୟା ସର୍ଲା ଭିତରେ ଆମେ ମିଶା ତମର ଭଳିଆ ଗୁଟେ କାନ୍ଥ ବାନ୍ଧି ଦେଇଥିବୁ, ସିଏ ଆଉ ନ ଆଇଲା ଭଳିଆ। ଆମର କାମଧନ୍ଦା ଆମେ ଦେଖିବୁ ଆକା।

ରଇଲି ସମୁଦି। ତମର୍ ଟୁକି ସିଠିକି ଗଲେ ବେଶୀ ବୁଲାବୁଲି କର୍ନା ବଲିକିରି କୁହ। ଆମର କଥା ତ ଶୁଣୁ ନାଇଁ। ତମର୍ କଥା ଶୁଣିବ ପରା।

ଆଜିଠୁ ତମର ଆମର କଟି, ଖରାପ ଭାବିଲେ ଭାବ ଆକା ସିନା, କୁଟୁମ୍ବ ନିଷ୍ପତ୍ତି।।

ଇତି
ତୁମର ସମୁଦି


(ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ଭିଡିଓ ଆଧାରରେ ଲିଖିତ ଏବଂ ସମ୍ପୂର୍ଣ୍ଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.