କଳାହାଣ୍ଡି: କରୋନା ସଂକଟ କାଳରେ ଅସହାୟଙ୍କ ଶବ ସତ୍କାର କରିବାକୁ ଅଣ୍ଟା ଭିଡିଛି ସ୍ଵର୍ଗଦ୍ଵାର ସେବା ସଂଗଠନ। ଆଜି ସଂଗଠନ ପକ୍ଷରୁ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇଛି। ପ୍ରାପ୍ତ ସୂଚନା ଆଧାରରେ କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ସାହାଜପାଟି ଗାଁର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଶବ ଦାହ କରିବାକୁ କେହି ରାଜି ହୋଇନଥିଲେ। ପରିଶେଷରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ସ୍ବର୍ଗଦ୍ବାର ସେବା ସଂଗଠନର ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କୁ ଫୋନ କରି ଶବ ସତ୍କାରରେ ସହାୟ ହେବାପାଇଁ ଅନୁରୋଧ କରିଥିଲେ।ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କର ସହଯୋଗୀ ସଜ୍ଜନ କୁମାର ଅଗ୍ରଓ୍ବାଲ, ମନୋଜ କୁମାର ଷଡଙ୍ଗୀ ସରୋଜ ସାହୁ, ମିତ୍ରସେନ ଭୋଇ ଓ ସାଥି ମାନଙ୍କୁ ନେଇ ମୃତକଙ୍କ ଘରେ ପହଞ୍ଚି ଥିଲେ। ଘଟଣାସ୍ଥଳରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର, ପଲମ ଫାଣ୍ଡି ଏଏସଆଇ ଅସିତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଶବକୁ ଘରୁ ବାହାର କରି ଶ୍ମଶାନକୁ ନେଇ ଶବକୁ ଦାହ କରିଥିଲେ ସ୍ଵର୍ଗଦ୍ଵାର ସେବା ସଂଗଠନର କାର୍ଯ୍ୟକର୍ତ୍ତା। ଅନ୍ୟପକ୍ଷରେ ସଂପୃକ୍ତ ଗାଁରେ ଶବ ସତ୍କାର ପାଇଁ କେହିବି ସାମାନ୍ୟ ସହଯୋଗ ନକରିବା ୍ ଏକ ଦୁଃଖଦ ଘଟଣା। ନିଜ ଲୋକ ପର ହୋଇଯାଉଥିବାବେଳେ ଏହି ସମାଜସେବୀମାନଙ୍କ ନିଃସ୍ଵାର୍ଥପର ସେବା ସମାଜୁ ନୂତନ ଦିଗନ୍ତ ଦେଖାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ବିଡିଓ ଶ୍ରୀଯୁକ୍ତ ଓଡୁ ଓ ତହସିଲଦାର ଶ୍ରୀଯୁକ୍ତ କର ସମାଜସେବୀ ମନୋଜ ପଟ୍ଟନାୟକ ଓ ସ୍ବର୍ଗଦ୍ବାର ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ ଅଶେଷ କୃତଜ୍ଞତା ଜଣେଇଛନ୍ତି।