ରୋଗଶଯ୍ୟାରେ ଗୁଣନିଧି: ପର ଘରେ କଂସା ବାସନ ମାଜୁଛନ୍ତି ସ୍ତ୍ରୀ ଓ ୧୨ ବର୍ଷର ଝିଅ

● ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା, ଭଙ୍ଗାକୁଡିଆରେ ରୋଗାକ୍ରାନ୍ତ ଶରୀରକୁ ନେଇ ବିତୁଛି ଜୀବନ

● ଶିଘ୍ର ଚିକିତ୍ସା ବ୍ୟବସ୍ଥା କରାଇବାକୁ ପ୍ରଶାସନ ପାଖରେ ଦାବୀ କଲେ ସମାଜସେବୀ ମନୋଜ ପଟ୍ଟନାୟକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପ୍ରଶାସନିକ ଉଦାସୀନତା ଓ ଜନପ୍ରତିନିଧି ମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଅନେକ ପରିବାରର ଜୀବନ ଦୁର୍ବିସହ ହୋଇପଡ଼ିଛି। ଏପରି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗାଁରୁ। ଏହି ଗାଁର ଗୁଣନିଧି ସାହୁ (୬୫) କୈାଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ଝାଟିମାଟି ଘରେ ପଡି ରହିଛନ୍ତି। ସେ ୬୦ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳିନାହିଁ। ଅନ୍ତୋଦୟ ତାଲିକାଭୁକ୍ତ ତଥା ଝାଟିମାଟି ଘରେ ରହୁଥିଲେ ମଧ୍ୟ ତାଙ୍କ ପାଇଁ ଆବାସ ଯୋଜନା ସପନ ପାଳଟିଛି। ଅନ୍ୟପକ୍ଷରେ ରୋଗାକ୍ରାନ୍ତ ହେବାପରେ ଅର୍ଥାଭାବରୁ ତାଙ୍କ ଚିକିତ୍ସା ହୋଇପାରୁନାହିଁ। ସ୍ବାମୀ ରୋଗଶଯ୍ୟାରେ ପଡ଼ିବାପରେ ପରିବାରର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ୧୨ବର୍ଷର ଝିଅ କସ୍ତୁରୀ ସହ ପରଘରେ ବାସନ ମାଜୁଛନ୍ତି ଗୁଣନିଧିଙ୍କ ସ୍ତ୍ରୀ ଉର୍ମିଳା। ସ୍ବାମୀଙ୍କ ଚିକିତ୍ସା ପାଇଁ ଅନେକଙ୍କ ପାଖରେ ନେହୁରା ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ। ତେଣୁ ଭାଗ୍ୟକୁ ଆଦରି ରହିଛନ୍ତି ଏହି ପରିବାର। ଏହି କଥା ଜାଣିବାପରେ ସ୍ବର୍ଗଦ୍ବାର ସେବା ସଂଗଠନର ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଗତ ରାତ୍ରିରେ ଗୁଣନିଧି ସାହୁଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହଯୋଗ କରିଛନ୍ତି। ଏହାସହ ବ୍ଲକ ପ୍ରଶାସନ ଏହି ପରିବାର ଉପରେ ଦୃଷ୍ଟି ଦେବାସହ ଶିଘ୍ର ଗୁଣନିଧିଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଇବାକୁ ଦାବୀ କରିଛନ୍ତି ମନୋଜ ପଟ୍ଟନାୟକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.