ବିଶ୍ବସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ

ପୁରୀ: ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତହ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି। ତେବେ ଅଧିକ ସଂଖ୍ୟକ ପର୍ଯ୍ୟଟକ ରେଳ ପଥରେ ଆସୁଥିବା ଦେଖାଯାଏ। ପୁରୀ ଦେଶର ଏକ ପ୍ରଶିଦ୍ଧ ତିର୍ଥକ୍ଷେତ୍ର ହୋଇଥିବାରୁ ଏହାର ରେଳ ଷ୍ଟେସନକୁ ବିଶ୍ୱସ୍ତରର ଗମନାଗମନ ହବ୍ ଭାବରେ ପୁନଃ ନିର୍ମାଣ କରାଯିବ ବୋଲି ଜଣାପଡିଛି। ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରେଳ ଜମି ବିକାଶ ପ୍ରାଧିକରଣ (ଆରଏଲଡିଏ) ଷ୍ଟେସନର ପୁନଃନିର୍ମାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରିଛି ବୋଲି ଗୁରୁବାର ଜଣେ ଅଧିକାରୀ କହିଛନ୍ତି। ଏହି ଷ୍ଟେସନ ଡିଜାଇନ୍, ବିଲ୍ଡ, ଫାଇନାନ୍ସ, ଅପରେଟ୍, ଟ୍ରାନ୍ସଫର ମଡେଲ୍ ଉପରେ ନିର୍ମିତ ହେବ ଏବଂ ଏହି ପ୍ରକଳ୍ପର ମୂଲ୍ୟ ୮୨ କୋଟି ଟଙ୍କା ହେବ ବୋଲି ଆରଏଲଡିଏ ଏକ ବିବୃତ୍ତିରେ କହିଛି। କାର୍ଯ୍ୟର ପରିସର ୨୮,୫୭୪ ବର୍ଗ ମିଟର ବିଶିଷ୍ଟ ଷ୍ଟେସନର ନବୀକରଣ ଓ ସମନ୍ୱିତ ପୁନଃନିର୍ମାଣ ଏବଂ ଏହାର ଆଖପାଖ ରେଳ ଜମିର ବିକାଶ ଅନ୍ତର୍ଭୁକ୍ତ ବୋଲି ଏଥିରେ କୁହାଯାଇଛି। ଏଥିପାଇଁ ପ୍ରି-ବିଡ୍ ବୈଠକ ୨୦୨୧ ଜୁଲାଇ ୧୫ ପାଇଁ ଧାର୍ଯ୍ୟ କରାଯାଇଛି ଏବଂ ବିଡ୍ ଦାଖଲ କରିବାର ଶେଷ ତାରିଖ ୨୦୨୧ ଅଗଷ୍ଟ ୧୭ ଅଟେ।

“ପୁରୀ ଏକ ଐତିହାସିକ ସହର ଏବଂ ଏକ ପ୍ରସିଦ୍ଧ ପର୍ଯ୍ୟଟନ ହବ୍ । ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ ପର୍ଯ୍ୟଟନ ଆଶାକୁ ବଢାଇବ ଏବଂ ଏହାକୁ ଧାର୍ମିକ ପର୍ଯ୍ୟଟନ ପାଇଁ ଅଗ୍ରଣୀ ସ୍ଥାନ ମଧ୍ୟରେ ସ୍ଥାନିତ କରିବ ବୋଲି ଆରଏଲଡିଏର ଉପାଧ୍ୟକ୍ଷ ବେଦ ପ୍ରକାଶ ଦୁଡେଜା କହିଛନ୍ତି।  ବାଣିଜ୍ୟିକ ବିକାଶ ମଧ୍ୟ ବ୍ୟବସାୟିକ କାର୍ଯ୍ୟକଳାପରେ ବୃଦ୍ଧି ଘଟାଇବ, ରିଅଲ୍ ଇଷ୍ଟେଟ୍ ବୃଦ୍ଧି କରିବ ଓ ଏହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଷ୍ଟେସନଟି ମଲ୍ଟିମୋଡାଲ୍ ଟ୍ରାଞ୍ଜିଟ୍ ହବ୍ ଭାବରେ ଆନ୍ତର୍ଜାତୀୟ ମାନକ ସହିତ ପ୍ରବେଶ ଓ ପ୍ରସ୍ଥାନ, ବ୍ୟାଗେଜ୍ ସୁରକ୍ଷା, ଚେକ୍ ଇନ୍ କ୍ଷେତ୍ର, ଏକ ସୂଚନା କେନ୍ଦ୍ର / ଅନୁସନ୍ଧାନ କେନ୍ଦ୍ର ଏବଂ କଳା ଗ୍ୟାଲେରୀ ସହିତ ପୃଥକ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.