ବିଦେଶୀ ମଦ ଦୋକାନ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ମଦ ଲୁଟ୍

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲରେ ଥିବା ମହୁଆ ବିଦେଶୀ ମଦ ଦୋକାନ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ମଦ ଲୁଟି ନେବା ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଲେଙ୍କା ସାହିର ସଂଗ୍ରାମ ପ୍ରଧାନ ଓରଫ ବାବୁ ଲେଙ୍କା (୩୯) ଓ ଲକ୍ଷ୍ମୀସାଗର ଥାନା ମଣ୍ଡପ ସାହିର ଜୟଦେବ ବେହେରା(୨୩)। ଏମାନଙ୍କଠାରୁ ୨ଟି ଚୋରା ବନ୍ଧୁକ, ୧୨ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ପୂର୍ବରୁ ଏହି ମଦଦୋକାନରେ ମ୍ୟାନେଜରଭାବେ କାର୍ଯ୍ୟ କରୁଥିବା ଉତ୍କଳ ପ୍ରିୟଦେବ ସିଂଙ୍କ ସହଯୋଗୀ ଅଟନ୍ତି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଉତ୍କଳ ନିଜ ମାଲିକଙ୍କଠାରୁ ୧ କୋଟି ୩୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ରେ ଅଛି। ତେଣୁ ତାଙ୍କ ଇସାରାରେ ଅଭିଯୁକ୍ତ ଦ୍ୱୟ ଉକ୍ତ ମଦ ଦୋକାନକୁ ଆସି ବନ୍ଧୁକ ଦେଖାଇ ଲୁଟ୍ କରିବା ସହ ଜୟଦେବଙ୍କ ଉପରୁ କେସ୍ ଉଠାଇ ନେବାକୁ ଧମକ ଦେଇଥିଲେ। ପ୍ରାପ୍ତ ସୂଚନା ଆଧାରରେ, ବମିଖାଲରେ ଥିବା ଏହି ବିଦେଶୀ ମଦ ଦୋକାନରେ ରଞ୍ଜିତ କୁମାର ପାଢ଼ୀ ମ୍ୟାନେଜର ଭାବରେ କାମ କରନ୍ତି। ମଙ୍ଗଳବାର ଅପରାହ୍ଣରେ ରଞ୍ଜିତ ଦୋକାନରେ ଥିବାବେଳେ ଅଭିଯୁକ୍ତ ବାବୁଲି ଓ ଜୟଦେବ ଏକ ବାଇକରେ ଆସି ମଦ ମାଗିଥିଲେ। ମ୍ୟାନେଜର ରଞ୍ଜିତ ମଦ ଦେବା ପରେ ଟଙ୍କା ମାଗିଥିଲେ। ଏହି ସମୟରେ ଅଭିଯୁକ୍ତ ଦ୍ୱୟ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ୟାସ କାଉଣ୍ଟରରେ ଥିବା ୧୨ ହଜାର ଟଙ୍କା ଓ ମଦ ନେଇଯାଇଥିଲେ। ଏଥିସହିତ ଉତ୍କଳ ଜୟଦେବଙ୍କ ନାଁରେ ଦେଇଥିବା ଅଭିଯୋଗ ଉଠାଇ ନେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ରଞ୍ଜିତ ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଲକ୍ଷ୍ମୀସାଗର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.