● “ସାହିତ୍ୟର ଜୟଗୀତି ଗାନ କରିବାରେ ‘ସାହିତ୍ୟ କଥା’ର ପ୍ରୟାସ ସ୍ମରଣୀୟ”
ଭବାନୀପାଟଣା: ‘ସାହିତ୍ୟ କଥା’ କେବଳ ସମ୍ବାଦ ନୁହେଁ, ସାହିତ୍ୟ ବିଷୟକ ଚଟାପଟ ଖବର ନୁହେଁ, ବରଂ ପ୍ରତିଭା ଅନ୍ୱେଷଣର ମହାର୍ଘ ପର୍ବଟିଏ। ଏଥିରେ ଲେଖକ, ପାଠକ ତଥା ସାହିତ୍ୟ ମନସ୍କ ଓ ତଲ୍ଲୀନ ଲୋକେ ସାହିତ୍ୟର ବିଭିନ୍ନ ବିଭାଗ ଦେଖିବାକୁ ପାଇପାରିବେ। ସାମଗ୍ରିକ ଭାବରେ ‘ସାହିତ୍ୟ କଥା’ ପକ୍ଷରୁ ଓଡ଼ିଆ ସାହିତ୍ୟର ଜୟଗୀତି ଗାନ କରିବାର ଏ ଅଭିନବ ଉଦ୍ୟମ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ନବମ ସ୍ବନକ୍ଷତ୍ର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭବାନୀପାଟଣା ସ୍ଥିତ ଶ୍ରୀରୂପା ପବ୍ଲିକେଶନ୍ସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଓ ବିଶିଷ୍ଟ ସ୍ତମ୍ଭକାର ସଂପଦ ନାୟକ ଯୋଗ ଦେଇଥିବା ବେଳେ ‘ସାହିତ୍ୟ କଥା’ର ସଂପାଦକ ସକିତ ରତେ ସଭାପତିତ୍ବ କରିଥିଲେ। ପତ୍ରିକାର ଉପଦେଷ୍ଟା ଗାଳ୍ପିକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ କବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ‘ସାହିତ୍ୟ କଥା’ର ସହ-ସଂପାଦକ ସୁଶୀଲ କୁମାର ବାଗ ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ ବକ୍ତବ୍ୟ ରଖିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା। ଖବର ଓ ବିଚାର ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। କବି ତ୍ରିନାଥ ଶ୍ୟାମ କୁମାର, ଜିତେନ୍ଦ୍ର କୁମାର ସାହୁ, ଯୁଗେଶ୍ୱର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।