ଦୀର୍ଘ ବର୍ଷ ଧରି ଅଧପନ୍ତରିଆ ଭାବରେ ପଡ଼ିରହିଛି ଅନେକ ଅଙ୍ଗନୱାଡ଼ି କେନ୍ଦ୍ର

ଯୁଗ୍ମ ସଚିବଙ୍କୁ ଅଭିଯୋଗର ଦେଢ଼ ବର୍ଷ ପରେ ମଧ୍ୟ ଫଳାଫଳ ଶୁନ୍ : ନୀରବ ଠିକାଦାର ଓ ପ୍ରଶାସନ

ଲାଞ୍ଜିଗଡ଼: ଗର୍ଭବତୀ/ପ୍ରସୂତି ଓ ଶିଶୁମାନଙ୍କ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରକାରର ସେବା ଯୋଗାଇଦେବାରେ ଅଙ୍ଗନଓ୍ବାଡି କେନ୍ଦ୍ରର ଯଥେଷ୍ଟ ଭୂମିକା ରହିଛି। ତେବେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଲାଞ୍ଜିଗଡ଼ର ଅନେକ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଅଙ୍ଗନୱାଡ଼ି ଗୃହ ନିର୍ମାଣ ହୋଇ ପାରିନାହିଁ। ଯାହାବି ନିର୍ମାଣ ହୋଇଛି ବର୍ଷ ବର୍ଷ ଧରି ସେସବୁ ଅସମ୍ପୂର୍ଣ୍ଣ ହୋଇ ପଡିରହିଥିବା ଦେଖାଯାଇଛି। ଲାଞ୍ଜିଗଡ଼ ପଞ୍ଚାୟତ ପ୍ରଧାନୀ ପଡା ଅଙ୍ଗନୱାଡ଼ି ଗୃହ ୨୦୧୫/୧୬ ମସିହାରେ ନିର୍ମାଣ ହୋଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଠିକାଦାର ଓ ବ୍ଲକ ପ୍ରଶାସନଙ୍କୁ ଲାଞ୍ଜିଗଡ଼ବାସୀ ବାରମ୍ବାର ଅଭିଯୋଗ ପରେ ୨୦୨୦ ମସିହା ଫେବୃଆରୀ ୧ ତାରିଖରେ କାମ ଆରମ୍ଭ ହୋଇଥିଲା, କିନ୍ତୁ ୩ ଦିନ ପରେ କାମ ପୁଣି ବନ୍ଦ ହୋଇଗଲା।ସେହିଭଳି ବିଜେପୁର ପଞ୍ଚାୟତ ପୁଇଗୁଡା ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ୫ ବର୍ଷ ହେଲା ଛାତ ନ ପଡି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଅଣାଯାଇଥିବା ଚିପ୍ସ, ଲୁହାଛଡ଼ ଇତ୍ୟାଦି ନଷ୍ଟ ହେବାକୁ ଯାଉଥିବା ବେଳେ ଅତିଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହିଥିଲେ। ସେହିପରି କାନକୁଟ୍ରୁ ପଞ୍ଚାୟତ ପାଇକବୋରି ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଅଧପନ୍ତରିଆ ଭାବରେ ପଡି ରହିଛି। ବେନଗାଁ ପଞ୍ଚାୟତ ସୋରପଦର ଗାଁରେ ୭ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡି ରହିଛି ଅଙ୍ଗନଓ୍ବାଡି ଗୃହ। ଲାଞ୍ଜିଗଡ଼ ପଞ୍ଚାୟତର ଭଟାଯୋରୀ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ଅଧପନ୍ତରିଆ ହୋଇ ପଡ଼ିଛି। ସେହିପରି ବନ୍ଧପାରି ପଞ୍ଚାୟତ କରକାମସ୍କା ଗାଁରେ ୬ ବର୍ଷ ହେଲା ଫାଉଣ୍ଡେସନରୁ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। ବେଡାଗାଁ ପଞ୍ଚାୟତର ଦେହେଡା ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ଅସଂପୂର୍ଣ୍ଣ ଭାବେ ପଡ଼ିରହିଛି। ଏହି ସବୁ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ ଦାଇତ୍ୱ ଉଚିତ ଲୋକଙ୍କୁ ଦିଆଯାଇନଥିବାରୁ କାର୍ଯ୍ୟ ଠିକ୍ ଭାବରେ କରାଯାଉନାହିଁ, ତେଣୁ ଅସମ୍ପୂର୍ଣ୍ଣ ଅବସ୍ଥାରେ କେନ୍ଦ୍ର ଗୁଡିକ ପଡିରହୁଛି ବୋଲି ଅଞ୍ଚଳବାସୀ କହିଛନ୍ତି।

୨୦୧୯ ମସିହା ଡିସେମ୍ବର ୧୩ ତାରିଖ ଦିନ ଶିଶୁ ବିକାଶ ବିଭାଗ ‘ମୋ’ ସରକାରର ଯୁଗ୍ମ ସଚିବ ଗୀତାରାଣୀ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ ଜ୍ୟୋତି ଜୋସ୍ନାମୟୀ ପାତ୍ରଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ ସମୟରେ ଅଞ୍ଚଳବାସୀ ଏନେଇ ଅଭିଯୋଗ କରିଥିଲେ।ଗସ୍ତ କରିବାର ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏନେଇ ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ପଚାରିବାରୁ – ଅସଂପୂର୍ଣ୍ଣ ଅଙ୍ଗନଓ୍ବାଡି କେନ୍ଦ୍ରର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଅତିରିକ୍ତ ଅର୍ଥର ପ୍ରାବିଧାନ ମଧ୍ୟ ହୋଇଛି ଓ ଅଳ୍ପଦିନ ମଧ୍ୟରେ ସେସବୁ କାମ ସମାପ୍ତ କରାଯିବ ବୋଲି କହିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ଦାବି କରିଛନ୍ତି। ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ଲାଞ୍ଜିଗଡ଼ ବ୍ଲକର ଅନେକ ଅଙ୍ଗନଓ୍ବାଡି ଗୃହ ନିର୍ମାଣ ଅଧପନ୍ତରିଆ ଭାବରେ ପଡି ରହିଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.