ଭୁବନେଶ୍ବର/ନିୟମଗିରି,୨୪/୨: ଜଳ, ଜମି, ଜଙ୍ଗଲ ହେଉଛି ଆଦିବାସୀର ଅଧିକାର । ଆଦିବାସୀଙ୍କ ବିଶ୍ୱାସ ଓ ଧର୍ମୀୟ ଭାବନା ଉପରେ କେହି ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ । ହିନ୍ଦୁ ସଂସ୍କୃତିରେ ଜଗନ୍ନାଥ ଯଦି ତାଙ୍କ ଭଗବାନ, ତାହେଲେ ଆମ ସଂସ୍କୃତିରେ ନିୟମରାଜା, ଧରନି ପେନୁ ଆମର ସର୍ବସ୍ବ । ଜଗନ୍ନାଥ ମନ୍ଦିରକୁ ସରକାର ଓ ହିନ୍ଦୁବାଦୀ ମାନେ ଭାଙ୍ଗିବାକୁ ସ୍ୱୀକୃତି ଦେବେ କି ? ଯଦି ସ୍ୱୀକୃତି ଦେବେ, ତାହେଲେ ମଧ୍ୟ ଆମେ ନିୟମଗିରିକୁ ଛାଡିବୁ ନାହିଁ । ସରକାର ଯଦି ଜବରଦସ୍ତ କରେ, ତାହେଲେ ଆନ୍ଦୋଳନ ତୀବ୍ର ହେବ ଓ ଗଣତାନ୍ତ୍ରିକ ପଦ୍ଧତିରେ ସାରା ଭାରତର ଆଦିବାସୀମାନେ ଆନ୍ଦୋଳନ କରିବୁ ବୋଲି ନିୟମଗିରିରେ ଚାଲିଥିବା ନିୟମରଜା ପରବରେ ମତ ପ୍ରକାଶ ପାଇଛି ।
ଫେବୃଆରୀ ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନିୟମଗିରି ପାହାଡ ଉପରେ ‘ନିୟମରାଜା ପରବ’ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଜି (ରବିବାର) ଏହି ଯାତ୍ରାର ଉଦଯାପନ ହୋଇଥିଲା । ଉତ୍ସବରେ ନିୟମଗିରି ପାହାଡ଼ ଅନ୍ତର୍ଗତ ସମସ୍ତ ଗ୍ରାମରୁ ଶହ ଶହ ପୁରୁଷ ମହିଳା ପାରମ୍ପରିକ ବେଶଭୂଷା ପରିଧାନ କରି ନିୟମରଜା ପରବରେ ସାମିଲ ହୋଇଥିଲେ ।
ପାରଂପାରିକ ରୀତିନୀତି ଓ ଆଦିବାସୀ ସଂସ୍କୃତିକୁ ଭିତ୍ତି କରି ଏହି ପରବର ପରିକଳ୍ପନା କରାଯାଇଛି । ମୂଳ ଲକ୍ଷ ହେଲା ନିୟମଗିରିର ସୁରକ୍ଷା । କୌଣସି ମୂଲ୍ୟ ବିନିମୟରେ ଏହି ଦେବଦୀପ୍ତ ପର୍ବତରୁ ସରକାରଙ୍କୁ ମୁଠାଏ ବି ମାଟି ଦେବାକୁ ରାଜି ନୁହନ୍ତି ଆଦିବାସୀ । ନିୟମଗିରି ହେଉଛି ସେମାନଙ୍କ ଆତ୍ମା । ଆଦିବାସୀ ସଂସ୍କୃତି ବିଶ୍ବର ଅନ୍ୟତମ ପ୍ରାଚୀନ ସଂସ୍କୃତି। ଏହି ସଂସ୍କୃତିର ଧାରା ଅନୁକ୍ରମରେ ପରଂପରା ଅନୁକ୍ରମେ ଚଳି ଆସିଥିବା ବିଧାନ ହିଁ ଏହି ସଂସ୍କୃତିର ମହାନ ଦିଗକୁ ପରିପ୍ରକାଶ କରି ବିଶ୍ବ ସମୁଦାୟ ପାଖରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ ।
ଉଦଯାପନୀ ଦିବସରେ ଆଦିବାସୀମାନେ କୁକୁଡ଼ା, ପାରା, ବତକ, ବୁକା ଇତ୍ୟାଦି ବଳି ଉଦ୍ୟେଶ୍ୟରେ ଆଣିଥିଲେ । ପୂଜକମାନେ ପାହାନ୍ତିଆରୁ ପୂଜା ଆରମ୍ଭ କରିଥିଲେ । ଢାପ, ନିଶାନ, ମାଦଲ, ଢୋଲ, ରାମକାଠି ଆଦି ପାରମ୍ପରିକ ବାଜା ବାଜଣା ସାଙ୍ଗକୁ କୁଇ ଭାଷାରେ ଗୀତ ଓ ନାଚରେ ମସଗୁଲ ହୋଇଥିଲେ ପ୍ରକୃତିର ସନ୍ତାନ, ଭୂମିପୂତ୍ର ଆଦିବାସୀକୁଳ । ରବିବାର ସକାଳ ୭.୩୦ରେ ନିୟମରାଜା ପାଖରେ ବଳି ପଡିଲା । କାହିଁ ଆବହମାନ କାଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ଚଳିତବର୍ଷ ଓଡ଼ିଶାର ବରଗଡ଼, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ରାୟଗଡା, ନବରଙ୍ଗପୁର ଆଦି ବିଭିନ୍ନ ଜିଲ୍ଲାରୁ ଶହ ଶହ ଆଦିବାସୀ ତଥା ଛତିଶଗଡ଼, ମଧ୍ୟପ୍ରଦେଶରୁ ମଧ୍ୟ ଆଦିବାସୀମାନେ ଯୋଗ ଦେଇ ନିୟମ ଦେବତା ପୂଜାରେ ସାମିଲ ହୋଇଥିଲେ । ଏହାଛଡା ଜିଲ୍ଲା, ରାଜ୍ୟ ତଥା ରାଷ୍ଟ୍ରୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏହି ପର୍ବରେ ଯୋଗ ଦେଇଥିଲେ ।
ପୂଜା ସାରିବା ପରେ ଉଦଯାପନୀ ସଭାରେ ନିୟମଗିରିର ସୁରକ୍ଷା ପାଇଁ ଅନେକ ମତାମତ ଦେଇଥିଲେ । ତତସହିତ ଓଡ଼ିଶା କନ୍ଧ ସମାଜ, ବିଭିନ୍ନ ଜିଲ୍ଲା ଆଦିବାସୀ ସଂଘ, ଜୟଭୀମ, ବାମସେଫ, ଏମଏସୱାଇଏଫ୍, ମୂଳନିବାସୀ ଆଦି ସଙ୍ଗଠନର କର୍ମକର୍ତ୍ତାମାନେ ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ଠାରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଜଳ, ଜମି ଓ ଜଙ୍ଗଲ ହେଉଛି ଆଦିବାସୀର ଅଧିକାର । ଆଦିବାସୀଙ୍କ ବିଶ୍ୱାସ ଓ ଧର୍ମୀୟ ଭାବନା ଉପରେ କେହି ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ । ନିୟମଗିରିର ସୁରକ୍ଷା ପାଇଁ ସମସ୍ତେ ପ୍ରତିଜ୍ଞାବଦ୍ଧ ରହିବା ସହ ବିଭିନ୍ନ ପ୍ରସଙ୍ଗ ଏଥିରେ ଉତ୍ଥାପିତ ହୋଇଥିଲା । ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ଜମି ପ୍ରଦାନ, ଶିକ୍ଷା ପାଇଁ ସୁବ୍ୟବସ୍ଥା, ଶିକ୍ଷକ ପଦବୀ ପୂରଣ, ସମସ୍ତ ପରିବାରକୁ ଘରଡ଼ିହ ଓ ପାଞ୍ଚ ଏକର ଲେଖାଏଁ ଜମି ପ୍ରଦାନ, ଗମନାଗମନ ଓ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଆଦି ମୌଳିକ ଦାବି ଗୁଡିକ ପୁରଣ ପାଇଁ ସରକାରଙ୍କୁ ଦାବି ଜଣାଇଥିଲେ । ତିନି ଦିନ ବ୍ୟାପି ଚାଲିଥିବା ଯାତ୍ରାରେ ବଳି ଦିଆଯାଇଥିବା ପ୍ରସାଦକୁ ସମସ୍ତେ ମହା ଆନନ୍ଦରେ ବଣ୍ଟନ କରି ଭୋଜନ କରିବା ସହ ଖୁସିରେ ଘରକୁ ଫେରିଥିଲେ ।