ଗାଁ ପରିବର୍ତ୍ତେ କେବଳ ବିଦ୍ୟାଳୟ ପରିକ୍ରମା କରୁଛି ଶିକ୍ଷା ସଚେତନତା ରଥ !

ପ୍ରକୃତ ଉଦ୍ଦେଶ୍ୟ ସାଧନ ନେଇ ଉଠିଲା ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ଆସ ଆମେ ସ୍କୁଲ ଯିବା” ଶିକ୍ଷା ସଚେତନ ରଥ ପହଞ୍ଚି ଥିବା ବେଳେ ଆଜି ସିନାପାଲି ଅନ୍ତର୍ଗତ ସରଧାପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଥିଲା। ବିଦ୍ୟାଳୟ ପରିସରରେ ସ୍ଥାନୀୟ ଶିକ୍ଷକ ଆର୍ତ୍ତତ୍ରଣ ସାହୁ, କେଶର ଜଗତ, ପ୍ରେମାନନ୍ଦ ମେହେର, ତ୍ରିବିକ୍ରମ ଗହୀର, ଜ୍ୟୋତ୍ସ୍ନାମୟୀ ମେହେରଙ୍କ ସମେତ ସିଆରସିସି ସୁନୀଲ କୁମାର ଯୋଶୀଙ୍କ ଦ୍ଵାରା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ରଥ ୨୫ ତାରିଖ ଦିନ ସିନାପାଲିକୁ ପହଞ୍ଚି ଥିବା ବେଳେ ୧୬ଟି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ଓ ଗ୍ରାମ ପରିକ୍ରମା କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ସଚେତନତାର ଉଦ୍ଧେଶ୍ୟ ନେଇ ସମସ୍ତ ଗ୍ରାମକୁ ପବଞ୍ଚିବାର ଯୋଜନା ଥିଲା। ପ୍ରକାଶ ଯେ, ଆଜି ୩୦ ତାରିଖ ଦିନ ଏହାର ଅନ୍ତିମ ଦିବସ ଥିଲା। ମହାମାରୀ କରୋନା ଯୋଗୁଁ ଗତ ଦୁଇ ବର୍ଷ ଧରି ପିଲାଙ୍କ ଶ୍ରେଣୀ ଗୃହ ପାଠପଢା ବନ୍ଦ ରହିଥିଲା। ଏବର୍ଷ ସ୍କୁଲ ଖୋଲିବା ପରେ ଅନେକ ପିଲା ସ୍କୁଲ ଆସୁନାହାନ୍ତି। ଅନେକ ପିଲାଙ୍କ ବୟସ ହେବ ସତ୍ତ୍ୱେ ଅବିଭାବକ ନାମ ଲେଖାଉ ନାହାନ୍ତି। ତେଣୁ ସେହି ପିଲା ମାନଙ୍କୁ ସ୍କୁଲ ମୁହାଁ କରିବା ପାଇଁ ନୂଆପଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ହେଲେ ଅନ୍ୟ ପକ୍ଷରେ ସେହି ୨୫ ତାରିଖରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲ ସବୁ ବନ୍ଦ କରାଯାଇଥିଲା। ସ୍କୁଲ ବନ୍ଦ ସମୟରେ ରଥ ପରିକ୍ରମାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଣି ଉକ୍ତ ସଚେତନ ରଥ ଗାଁ ଗାଁକୁ ପରିକ୍ରମା କରି ସଚେତନ କରିବାର ଉଦ୍ଧେଶ୍ୟ ନେଇ ଆରମ୍ଭ କରାଯାଇଥିଲା। କିନ୍ତୁ ଗାଁ ପରିକ୍ରମା କରିବା ପରିବର୍ତ୍ତେ କେବଳ ବିଦ୍ୟାଳୟ ପରିକ୍ରମା କରାଯାଉଛି।ତାହା ପୁଣି ବିଦ୍ୟାଳୟ ଛୁଟି ଥିବା ସମୟରେ। ଏଣୁ ଏହି ରଥର ଉଦ୍ଧେଶ୍ୟ ସାଧିତ କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଜିଲ୍ଲା ଶିକ୍ଷା ବିଭାଗର ଏକ ନଗ୍ନ ଚିତ୍ର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.