ଜେଲ୍ ଅନ୍ତେବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରୟାସ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମାଲକାନଗିରି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାଟିଲଗ୍ନା ସାହିତ୍ୟ ସଂସଦ’ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ଜିଲ୍ଲା ଜେଲ୍ ର ପ୍ରାୟ ତିନି ଶହ (କଏଦି) ଅନ୍ତେବାସୀଙ୍କୁ ନେଇ ‘ବନ୍ଦୀ ଜୀବନର ମାନସିକତା ପରିବର୍ତ୍ତନ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ମଣିଷ ଭିତରେ ଜୀବନ୍ତ ଭଗବାନଙ୍କୁ ଦେଖିବା ସଂକଳ୍ପ ନେଇ ୧୯ ଜଣିଆ ସାହିତ୍ୟିକ ଦଳ ସେଠାରେ ପହଞ୍ଚି ଜେଲ୍ ଅଧୀକ୍ଷକ ସୁନୀଲ କୁମାର ପାତ୍ରଙ୍କ ସହିତ ସାକ୍ଷାତ ଆଲୋଚନା ପୂର୍ବକ ବର୍ଷବର୍ଷ ଧରି ଦୁଃଖ, ଯନ୍ତ୍ରଣା-ବେଦନା ଓ ଅସହାୟ ବୋଧ ଭିତରେ ନିଜେ କରିଥିବା କୁକର୍ମକୁ ପଶ୍ଚାତାପ କରି ତିଳତିଳ କରି ବଞ୍ଚୁଥିବା ଅନ୍ତେବାସୀଙ୍କ ମୁହଁରେ ଫୁଟାଇ ଥିଲେ ଆତ୍ମ ତୃପ୍ତିର ହସ । ମାଟିଲଗ୍ନା ପରିବାରର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, କବି ଜୟନ୍ତ କୁମାର ମହାଳିକ, କଳାହାଣ୍ଡି ଜିଲ୍ଲା ସଭାପତି ସମୀର କୁମାର ମହାପାତ୍ର, ଉପଦେଷ୍ଟା କିଶୋର ଚନ୍ଦ୍ର ତ୍ରିପାଠୀ, ମହାଦେବ ମାଡକାମୀ, ହାସ୍ୟ ଅଭିନେତା ପ୍ରଶାନ୍ତ କୁମାର ମିଶ୍ର, ବଡ଼ଭାଇ ନରସିଂହ ପ୍ରସାଦ ନାୟକ, କବି ରାଜେନ୍ଦ୍ର କୁମାର ଦୁରିଆ, କବି ସଂଜୀବ ମୁଣ୍ଡ ପ୍ରମୁଖ କେବଳ ସେମାନଙ୍କୁ ସମାଜ ସ୍ରୋତରେ ସାମିଲ୍ କରି ଅପରାଧୀ ଜୀବନରୁ ମୁକ୍ତିର ପଥ ବତାଇନଥିଲେ ବରଂ ହାସ୍ୟ ଅଭିନେତା ମାନଙ୍କ ଜରିଆରେ ସେମାନଙ୍କୁ ହସିହସି ବେଦାମ କରି ବାହାରେ ଅପେକ୍ଷା କରିଥିବା ପରିବାରଙ୍କ ସହିତ ବଞ୍ଚି ରହିବାର ମାନସିକତା ପରିବର୍ତ୍ତନ କରିବା ପାଇଁ ଦେଇଥିଲେ ପ୍ରେରଣା । ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ମାନବ ସମାଜ କୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ମାନବ ସେବା ମାଧ୍ୟମରେ ହିଁ ମାଧବ ସେବା କରାଯାଇପାରେ ଏହା ପ୍ରମାଣିତ କରିଥିଲେ ।