ଗବେଷକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍ ଡିଗ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଲୋକ ସଂସ୍କୃତି ଗବେଷକ ଡକ୍ଟର ଅଜିତ କୁମାର ବେହେରା “କଳାହାଣ୍ଡି ଜିଲ୍ଲାର କନ୍ଧ ସଂସ୍କୃତି : ଏକ ଅଧ୍ୟୟନ” ବିଷୟକୁ ନେଇ ଦୀର୍ଘ ବର୍ଷ ଗବେଷଣା କରିବା ପରେ ତାଙ୍କୁ ଶିକ୍ଷା ଜଗତର ସର୍ବୋଚ୍ଚ ସମ୍ମାନଜନକ ଡି. ଲିଟ୍ ଡିଗ୍ରୀ ପ୍ରଦାନ କରଯାଇଛି। ସେ ବିଶିଷ୍ଟ କବି ତଥା ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଗୋପୀନାଥ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ। ଡକ୍ଟର ବେହେରାଙ୍କ ସନ୍ଦର୍ଭଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସମାଲୋଚକ ବିଶ୍ବଭାରତୀ ଶାନ୍ତିନିକେତନର ପ୍ରଫେସର ଡକ୍ଟର ମନୋରଞ୍ଜନ ପ୍ରଧାନ, ଗୌହାଟୀ ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ଜ୍ୟୋସ୍ନା ରାଉତ, ନାଟ୍ୟ ସମାଲୋଚକ ବାଣୀବିହାର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ନାରାୟଣ ସାହୁଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି। ଏହି ସଫଳତା ପାଇବାରେ ବିଶିଷ୍ଟ ସାହିତ୍ୟିକ ତଥା ସମ୍ୱଲପୁର ବିଶ୍ଵବିଦ୍ୟାଳୟର କୁଳସଚିବ ଡକ୍ଟର ନୃପରାଜ ସାହୁ, ଉପାଧ୍ୟୁତ୍ତ୍ରର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସଞ୍ଜତ କୁମାର ସାହୁ, ଲୋକ ସଂସ୍କୃତିବିତ ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ, ପ୍ରାଧ୍ୟାପକ ଡକ୍ଟର ମନ୍ମଥ ନାଥ ଘଡେ଼ଇ ଓ କନ୍ଧ ଗବେଷକ ମେଦିନୀ ଧର ଜାନୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। କବି, ପ୍ରାବନ୍ଧିକ ଓ ଗବେଷକ ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ। ତାଙ୍କର ଅନେକ କବିତା ଓ ଗବେଷଣାମୂଳକ ନିବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରଚାରିତ। ତାଙ୍କ ରଚିତ ପୁସ୍ତକମାନଙ୍କ ମଧ୍ୟରେ “ତୁମେ” କବିତା ସଂକଳନ ଓ ଗବେଷଣାତ୍ମକ ପୁସ୍ତକ ” କଳାହାଣ୍ଡିର ଲୋକ ବିଶ୍ୱାସ” ଅନ୍ୟତମ। ଇତି ପୂର୍ବରୁ ଡକ୍ଟର ବେହେରା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଠାରୁ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଛନ୍ତି। ତାଙ୍କୁ ଭାଷା-ସାହିତ୍ୟ- ସଂସ୍କୃତିକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ, ଭକ୍ତକବି ଗୋପାଳ କୃଷ୍ଣ ସମ୍ମାନ, ବାଣୀପୁତ୍ର ସମ୍ମାନ, କଳାହାଣ୍ଡି ଲୋକରତ୍ନ ସମ୍ମାନ, ବେଷ୍ଟ ଆଲୁମିନିୟସ ଆବାର୍ଡ, କଳାସାରଥୀ ସମ୍ମାନ, ଜୟ ମାତାଦୀ ସମ୍ମାନ, ରାଜ୍ୟ ଜନଜାତି ଗବେଷକ ସମ୍ମାନ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ଠାରୁ କଳାହାଣ୍ଡି ଯୁବ ପୁରସ୍କାର, ବୀଣାପାଣି ଶିକ୍ଷାଜ୍ୟୋତି ସମ୍ମାନ, ଅ ପ୍ରତିଭା ସମ୍ମାନ ପାଇଛନ୍ତି। ପୁଣି ଓଡ଼ିଶାର ବିଲୁପ୍ତ ପ୍ରାୟ ଆଦିମ ଜନଜାତି ସଂସ୍କୃତିର ପ୍ରାଚୀନ ପରମ୍ପରା ଉପରେ ଗବେଷଣା ପାଇଁ ସେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଜୁନିଅର ରିସର୍ଚ୍ଚ ଫେଲୋସିପ ପାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.