କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶେ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଫୁଲବାଣୀ ବନଖଣ୍ଡ ପକ୍ଷରୁ ୭୩ତମ ବନ ମହୋତ୍ସବ ସପ୍ତାହ ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲାପାଳ ଆଶିଷ୍ ଈଶ୍ୱର ପାଟିଲ୍ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଆରକ୍ଷି ଅଧିକ୍ଷକ ଭିନୀତ୍ ଅଗ୍ରୱାଲା, କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନରସିଂହ ମୀନା, ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପତିତପାବନ ପରିଡ଼ା, ଫୁଲବାଣୀ ସମନ୍ୱୀୟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ଜିଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ଼ା. ଅଶୋକ ତ୍ରିପାଠୀ, ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସମେତ ଜିଲା ସ୍ତରୀୟ ବହୁ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯେଗାଦେଇ ବୃକ୍ଷ ରୋପଣ କରିଥିଲେ।


ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଜିଲ୍ଲାପାଳ ତାଙ୍କ ଉଦବୋଧନରେ ଆମର ପରିବେଷକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହିତ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ବୃକ୍ଷ ରୋପଣ ପରେ ତାହାର ଯତ୍ନ ନେବା ନିହାତି ଜରୁରି ବୋଲି ପ୍ରକାଶ କରିଥିଲେ। ଆଉ ୬ ମାସ ପରେ ବିଦ୍ୟାଳୟ ପରିସରରେ ଯେଉଁ ସବୁ ବୃକ୍ଷ ରୋପଣ କରାଗଲା ସେଗୁଡ଼ିକ ବଞ୍ଚିଥିବା ଅବସ୍ଥାରେ ସେ ଦେଖିବାକୁ ଚାହାନ୍ତି ବୋଲି ପ୍ରକାଶ କରିଥିଲେ। ସେହିଭଳି ଅନ୍ୟ ସମସ୍ତ ଅତିଥିମାନେ ମଧ୍ୟ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଜୀବ ବିଜ୍ଞାନ ଶିକ୍ଷକ ବି.ଶଶିକଳା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଛାତ୍ରୀ ଅନ୍ୱେଷା ମହାପାତ୍ର ବନୀକରଣର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସୁଡ଼ୁରୁକୁମ୍ପା ବନାଞ୍ଚଳ ଅନ୍ତର୍ଗତ ଦଳପଡ଼ା ବନ ସୁରକ୍ଷା ସମିତି ଓ ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ବାସିଅମ୍ବା ବନ ସୁରକ୍ଷା ସମିତିକୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.