ଭବାନୀପାଟଣା ବ୍ଲକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

● ଗର୍ଜିଲେ ଶିକ୍ଷକ, ଆନ୍ଦୋଳନ ଜୋରଦାର ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅମଲା ଭବନ ଠାରେ ନୂତନ ପେନସନଭୁକ୍ତ ଭବାନୀପାଟଣା ପ୍ରାଥମିକ ଶିକ୍ଷକ ସଂଘ, କଳାହାଣ୍ଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ମାସରେ ହୋଇଥିବା ଆନ୍ଦୋଳନ ସତ୍ତ୍ୱେ ସରକାର କିପରି ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରିଛନ୍ତି, ତାହାର ତୀବ୍ର ପ୍ରତିବାଦ କରାଯାଇଥିଲା। ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣା ପରେ ପରେ ଯଦିଓ ଅନ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ, ମାତ୍ର ନୂତନ ପେନସନଭୁକ୍ତ ଶିକ୍ଷକମାନଙ୍କ ପାଇଁ ଏହା ଏକ ଅଭିଶାପ। ନା ମିଳିବ କୌଣସି ସୁବିଧା ନା ଦରମାରେ ଅଭିବୃଦ୍ଧି। ତେଣୁ ନିଜର ହକ ପାଇଁ ବିଭିନ୍ନ ଦାବି ଯଥା- ୬ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରୀରେ ଗଣନା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, ୨୮୦୦ ଗ୍ରେଡ ପେ ପ୍ରଦାନ, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଆଦି ପ୍ରସଙ୍ଗକୁ ନେଇ ସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଲୋଚନା ପରେ ପରେ ନୂତନ ବ୍ଲକ କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଥିଲା।

ସର୍ବସମ୍ମତି କ୍ରମେ ବିଶ୍ୱଜିତ ରାଏ ସଭାପତି, ନିରଞ୍ଜନ ଦାସ କାର୍ଯ୍ୟକାରୀ ସଭାପତି, ପଦ୍ମିନୀ ସାହୁ, ସୋମେନ୍ଦ୍ର ପାତ୍ର, ସୁଶୀଲ ଦାସ ଉପସଭାପତି, ନାରାୟଣ ବଗର୍ତ୍ତି ସଂପାଦକ, ଅନୀଲ ନାୟକ ସାଂଗଠନିକ ସଂପାଦକ, ସୁପ୍ରଭା ପଟ୍ଟନାୟକ, କୃପାସିନ୍ଧୁ ପ୍ରଧାନ, ରାଜକୁମାରୀ ଶବର, ଶାନ୍ତିଲତା ନାୟକ ସହସଂପାଦକ, ରଘୁନାଥ ଠାକୁର କୋଷାଧ୍ୟକ୍ଷ, ପ୍ରଭାତ ପଣ୍ଡା ବ୍ଲକ ସଙ୍ଗଠକ ଏବଂ ଜି ସାଇ କ୍ରିଷ୍ଣା ଓ ସନ୍ତୋଷ ଆଚାର୍ଯ୍ୟଙ୍କୁ ମିଡିଆ ସଙ୍ଗଠକ ଭାବେ ଚୟନ କରିବା ସହ ଆଗାମୀ ଦିନରେ ସଂଗଠନକୁ ମଜବୁତ୍ କରିବା ପାଇଁ ଜିଲ୍ଲା କମିଟି ତରଫରୁ ଅନୁରୋଧ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ମିଳିତ ପ୍ରାଥମିକ ସଂଘର ସଭାପତି ପ୍ରଫୁଲ୍ଲ କୁମାର ଠାକୁର, ସାଂଗଠନିକ ସଂପାଦକ ଅଜିତ କୁମାର ପଧାନ ଏବଂ ଉପଦେଷ୍ଟା ମଣ୍ଡଳୀ ମହମ୍ମଦ ଜାକିର, ମନୋଜ ପଣ୍ଡା ନିଜ ନିଜ ମନ୍ତବ୍ୟ ପ୍ରଦାନ କରିବା ସହ କଳାହାଣ୍ଡିରୁ ଆନ୍ଦୋଳନର ପ୍ରଥମ ବିଗୁଲ ବାଜିବ ବୋଲି ଘୋଷଣା କରିଥିଲେ। ଶେଷରେ କୋଷାଧ୍ୟକ୍ଷ ରଘୁନାଥ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.