ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଞ୍ଚଳ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଚାଷୀଙ୍କ ଅତ୍ୟାବଶ୍ୟକୀୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ତିଆରି କରୁଥିବା ବିଭିନ୍ନ ଜାତି ଓ ସମ୍ପ୍ରଦାୟ କଣ୍ଡରା, କମାର, ଧୋବା, ବଢ଼େଇ(କାଠ କାରିଗର) ସବୁ ସେମାନଙ୍କ କୌଳିକ ବେଉସା କରି ଜୀବିକା ନିର୍ବାହ କରିଆସୁଥିଲେ । ଚାଷୀ ମାନଙ୍କ ପାଇଁ ଆବଶ୍ୟକ ହେଉଥିବା କୁଲା, ଭୁଗେଇ, ଡଲା, ଟୋକେଇ କଣ୍ଡରା ମାନେ ତିଆରି କରି ଚାଷୀଙ୍କୁ ଯୋଗାଉଥିବା ବେଳେ ଚାଷୀଙ୍କ ପାଇଁ ଆବଶ୍ୟକ ଲଙ୍ଗଳ ନିମନ୍ତେ କସ୍ନା, ଶଗଡ ଗାଡି ପାଇଁ ଶିଲି (ଲୁହା ରିଙ୍ଗ୍), ଜୁଆଳି ଖୁଣ୍ଟି ପ୍ରଭୃତି କମାର ତିଆରି କରି ଯୋଗାଉଥିଲା । ବଢେଇ କାଠରେ ଲଙ୍ଗଳ, ଜୁଆଳି, ଶଗଡ, ଖଟିଆ ଆଦି ପ୍ରସ୍ତୁତ କରୁଥିଲା । କୁମ୍ଭାର ହାଣ୍ଡି, ସୋରେଇ, ମାଠିଆ ପ୍ରଭୃତି ତିଆରି କରି ଚାଷୀଙ୍କ ବ୍ୟବହାର ନିମନ୍ତେ ଉପଲବ୍ଧ କରାଉଥିଲା । କଂସାରୀ କଂସା ଥାଳି, ଗିନା, ଗ୍ଲାସ୍, ପିତଳରେ ଗରା, ହାଣ୍ଡି ପ୍ରଭୃତି ତିଆରି କରୁଥିଲା । ସେହି ଭଳି କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଖଲି, ଦନା, ଝାଡୁ ପ୍ରଭୃତି ତିଆରି କରି ଚାଷୀ ଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ଯୋଗାଇ ସେମାନଙ୍କ ଜୀବିକା ନିର୍ବାହନ କରୁଥିଲେ । ଏଣୁ ଏସବୁ ତିଆରି ନିମନ୍ତେ ଗାଁ ମାନଙ୍କରେ ମଧ୍ୟ ଗୋଟିଏ ଗୋଟିଏ କମାର, ବଢେଇ, କୁମ୍ଭାର ପରିବାର ରହି ଏସବୁ ସାମଗ୍ରୀ ତିଆରି କରି ଚାଷୀଙ୍କୁ ଯୋଗାଇବା ସହିତ ସେମାନଙ୍କର ଜୀବନ ଜୀବିକା ନିର୍ବାହନ କରି ଆସୁଥିଲେ । ହେଲେ ସମୟ କ୍ରମେ ଏସବୁ ତିଆରି ପାଇଁ ବିଭିନ୍ନ ଯନ୍ତ୍ରପାତି ର ଉଦ୍ଭାବନ ପରେ ମେସିନ ତିଆରି ଜିନିଷ ସବୁ ବଜାରରେ ବହୁଳ ତଥା ଶସ୍ତାରେ ଉପଲବ୍ଧ ହେବା ପରେ ହାତ ତିଆରି ସାମଗ୍ରୀ ଗୁଡିକର ଚାହିଦା କମିବାରେ ଲାଗିଛି । ମାଟିହାଣ୍ଡି ଗୁଡିକ ବଦଳରେ ଷ୍ଟିଲ, ରସ୍, ପ୍ଲାଷ୍ଟିକ ଶସ୍ତା ସାମଗ୍ରୀର ତିଆରି ପରେ କଂସା ବାସନ, ମାଟିହାଣ୍ଡି ପ୍ରଭୃତିର ବ୍ୟବହାର ମଧ୍ୟ ବିଲୁପ୍ତ ହୋଇ ଆସିଲାଣି । ପ୍ରତ୍ୟେକ ଗାଁ କିମ୍ବା ପ୍ରତି ଗ୍ରାମ ପଞ୍ଚାୟତରେ ରହିଆସୁଥିବା କମାର ପରିବାର ମାନେ ଶୂନ୍ୟ ହସ୍ତା ହୋଇ ଆଉ କୌଳିକ ବୃତ୍ତି ପ୍ରତି ମନୋନିବେଶ କରୁନାହାନ୍ତି ।
ଜମି ଚାଷ ପାଇଁ ଦେଶୀ ଲଙ୍ଗଳ ବଦଳରେ ତଥା ଶ୍ରମିକ ଅଭାବରୁ କଳ ଲଙ୍ଗଳ ପ୍ରତି ଚାଷୀ ମନୋନିବେଶ କରୁଛି । ଜମି ଚାଷ ପାଇଁ ଟ୍ରାକ୍ଟର, ପାୱାର ଟିଲର ଭଳି କୃଷି ଯନ୍ତ୍ରପାତିର ଉଦ୍ଭାବନ ପରେ ଦେଶୀ ଲଙ୍ଗଳ ଆଉ ଦେଖିବାକୁ ମିଳୁନି । କାଁ ଭାଁ ଦେଶୀ ସାମଗ୍ରୀ ଯେଉଁଠି ଦୃଶ୍ୟମାନ ହେଉଛି ତାହା ବଜାରରୁ ମେସିନ ତିଆରି ଜିନିଷ ଚାଷୀ କିଣି ଆଣୁଛି । ପ୍ଲାଷ୍ଟିକ ଓ ଲୁହାର ଇଟା ଛାଞ୍ଚରୁ ଆରମ୍ଭ କରି ଶାବଳ, ମିସ୍ତ୍ରୀ ମାନଙ୍କ ବ୍ୟବହାର ପାଇଁ ଲୁହା କରଣୀ, ଲଙ୍ଗଳରେ ବ୍ୟବହାର ହେଉଥିବା କସନା, ଟାଙ୍ଗିଆ, ଦାଆ, ବାରିଶି, ବିନ୍ଧାଣି, ଚଟୁ, ଡୁଆ, ପନୋକି ପ୍ରଭୃତି ଲୁହା ଉପକରଣ ସାମଗ୍ରୀ ମଧ୍ୟ ମେସିନ ତିଆରି ଜିନିଷ ବଜାରରେ ହାର୍ଡୱାଇର ଦୋକାନରେ ଗୁଡିକରେ ଉପଲବ୍ଧ ରହୁଛି । ଚାଷୀ ଏସବୁ ପୂର୍ବପେକ୍ଷା ଶସ୍ତା , ମନମତାଣିଆ, ଚକଚକିଆ ଜିନିଷ ତୁରନ୍ତ ପାଇଯାଉଥିବାରୁ କମାର ଦ୍ୱାରା ହାତ ତିଆରି ଲୁହା ଜିନିଷ ପ୍ରତି ମନବଳାଉ ନାହିଁ । ଫଳରେ ଗାଁ ମାନଙ୍କରେ ବସତି ସ୍ଥାପନ କରି ଆବହମାନ କାଳରୁ ରହି ବିଭିନ୍ନ ଚାଷ ଉପକରଣ ଜିନିଷ ତିଆରି କରୁଥିବା କମାର ମାନେ ଜୀବିକା ହରାଇ ବସିବା ସହିତ ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଏବେ ସଂକଟରେ କମାରଙ୍କ ଜୀବନ ଜୀବିକା । ରାଜ୍ୟ ସରକାର ଏମାନଙ୍କ ପ୍ରତି ଆନ୍ତରିକତା ଦେଖାଇ ଏହି ଉପକରଣ ସବୁ ତିଆରି କରୁଥିବା ସମ୍ପ୍ରଦାୟ ମାନଙ୍କୁ ପ୍ରୋତ୍ସାହନ ଯଦି ଯୋଗାଇ ଦିଅନ୍ତେ ତାହେଲେ ଏମାନଙ୍କ କଳା କୌଶଳ ବଂଚି ରହିବା ସାଙ୍ଗକୁ ହାତ ତିଆରି ଏହିସବୁ ଦେଶି କୃଷି ଉପକରଣ ସାମଗ୍ରୀ ବିଲୁପ୍ତ ହେବାରୁ ବଞ୍ଚି ଯାଇ ପାରନ୍ତା । ଆଉ ଗରୀବ ପରିବାର ମାନଙ୍କ ପାଇଁ କର୍ମ ସଂସ୍ଥାନ ମଧ୍ୟ ଯୋଗାଡ ହୋଇପାରନ୍ତା ।