ଆକ୍ସନ ମୁଡ୍ରେ ରାୟଗଡା ଜିଲ୍ଳା ଏସ.ପି. ବିବେକାନନ୍ଦ ଶର୍ମା
ଡ୍ରଙ୍କ ଏଣ୍ଡ ଡ୍ରାଇଭ୍,ନାବାଳାକ ଚାଳକ ଏବଂ ହେଲମେଟ୍ ପିନ୍ଧି ନ ଥିବା ଖିଲାପକାରୀକୁ ନିସ୍ତାର ନାହିଁ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସଡକ ଦୁର୍ଘଟଣାରେ ଯେପରି ଜଣଙ୍କର ମଧ୍ୟ ଜୀବନ ଯିବ ନାହିଁ ସେ ଦିଗରେ ପଦକ୍ଷେପ ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏପ୍ରିଲ ୧ତାରିଖରୁ ‘ଶୂନ୍ୟ ମୃତାହତ ସପ୍ତାହ’ତଥା ‘ଜିରୋ ଫାଟେଲିଟି ସପ୍ତାହ’ପାଳନ କରାଯାଉଛି । ଏଥିସହ ସଡକ ଓ ପରିବହନ ବିଭାଗ ପକ୍ଷରୁ ଏସଓପି ଜାରି ସହିତ ପୋଲିସ ସହାୟତାରେ ଟ୍ରାଫିକ୍ ନିୟମ ଯାଂଚ କରାଯାଉଛି । ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ଚାଲିଛି । ଟ୍ରାଫିକ୍ ଖିଲାପକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଉଛି । ଏହି କ୍ରମରେ ରାୟଗଡା ଜିଲ୍ଳାରେ ମଧ୍ୟ ପରିବହନ ବିଭାଗ ଓ ଜିଲ୍ଳା ପୋଲିସ ବିଭାଗର ମିଳିତରେ ଜିଲ୍ଳାର ବିଭିନ୍ନ ଥାନା ଅଂଚଳରେ ଜୋରଦାର ଚେକିଂ କରାଯାଉଛି । ଯାହାକୁ ନେଇ ଆକ୍ସନ ମୁଡ୍ରେ ରହିଛନ୍ତି ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା । ବିଶେଷ କରି ମଦ୍ୟପାନ କରି ଗାଡି ଚଳାଉଥିବା, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିବା, ବିନା ହେଲମେଟ୍ ପିନ୍ଧି ବାଇକ ଚଳାଉଥିବା,ସିଟ୍ ବେଲଟ୍ ନ ବାନ୍ଧି ଗାଡି ଚଳାଉଥିବା, ବାଇକରେ ୩ରୁ ଅଧିକା ବ୍ୟକ୍ତିଙ୍କୁ ନେଇ ଗାଡି ଚଳାଇବା ସହ ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେବା, ୧୮ବର୍ଷରୁ କମ୍ ଥିବା ନାବାଳକମାନେ ଗାଡି ଚଳାଇବା, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରି ରଖିବା, ଦ୍ରୁତ ଗତିରେ ଗାଡି ଚଳାଇବା ଆଦି ଟ୍ରାଫିକ୍ ନିୟମକୁ ଉଲଂଘନ କରୁଥିବା ଖିଲାପକାରୀଙ୍କୁ ସାବାଡ୍ କରିବା ପାଇଁ ଆଜି ନିଜେ ଏସ.ପି.ଶ୍ରୀ ଶର୍ମା ଚେକିଂ ବେଳେ ଉପସ୍ଥିତ ରହିଥିଲେ । ହେଲମେଟ୍ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ସଚେତନ କରାଇବା ସହ ଚାରିରୁ ଉର୍ଦ୍ଧ ଚକିଆ ଯାନଗୁଡିକ ଚଳାଉଥିବା ଡ୍ରାଇଭରମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି କି ବୋଲି ମେସିନ ଦ୍ୱାରା ଚେକିଂ କରୁଥିବା ଦେଖିବାକୁ ମିଳିଥିଲା ।
ଗତକାଲି ଏପ୍ରିଲ ୧ତାରିଖରେ ପରିବହନ ବିଭାଗ ଓ ଜିଲ୍ଳା ପୋଲିସ ମିଳିତରେ ହୋଇଥିବା ଏମଭି ଚେକିଂ ସମୟରେ ୨୯ଜଣ ଗାଡି ଚାଳକଙ୍କୁ ଦ୍ରୁତଗତିରେ ଗାଡି ଚାଳନା ପାଇଁ ଚାଲାଣ କଟାଯାଇଥିବା ବେଳେ ବିନା ହେଲମେଟରେ ଯାଉଥିବା ୯୦ଜଣଙ୍କ ଚାଲାଣ କଟାଯାଇଥିଲା । ସେହିପରି ସିଟ୍ ବେଲଟ୍ ନ ପିନ୍ଧି ଗାଡି ଚଳାଉଥିବାରୁ ୧୦୦ଜଣଙ୍କ ଏବଂ ମୋବାଇଲ ବ୍ୟବହାର କରି ଗାଡି ଚଳାଉଥିବାରୁ ୧୫ଜଣଙ୍କ ଚାଲାଣ କଟାଯାଇ ଜୋରିମାନା ଆଦାୟ କରାଯାଇଥିଲା । ସେହିପରି ପରିବହନ ବିଭାଗ ପକ୍ଷରୁ ଜଣଙ୍କୁ ମଦ୍ୟପାନ କରି ଗାଡି ଚଳାଉଥିବା ଜଣଙ୍କୁ ପରିବହନ ଅଧିକାରୀ ଚାଲାଣ କାଟିଥିବା ବେଳେ ମାଲବାହୀ ଗାଡିରେ ଯାତ୍ରୀଙ୍କୁ ପରିବହନ କରୁଥିିବାରୁ ଜଣଙ୍କ ଚାଲାଣ କଟାଯାଇଥିବା ଜଣାପଡିଛି । ୩ଜଣଙ୍କୁ ଓଭରଲୋଡିଂ ପାଇଁ ଚାଲାଣ କଟାଯାଇଥିବା ବେଳେ ତିନିଜଣ ବସି ବାଇକରେ ଯାଉଥିବା ୪୫ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ସେହିପରି ଭୁଲରାସ୍ତାରେ ଗାଡି ଚାଳନା ପାଇଁ ପରିବହନ ଅଧିକାରୀ ୭ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଥିବା ବେଳେ ଜଣେ ନାବାଳକ ଚାଳକଙ୍କୁ ମଧ୍ୟ ୨୫ହଜାର ଟଙ୍କାର ଚାଲାଣ କଟାଯାଇଛି । ସେହିପରି ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୯୯ଜଣଙ୍କ ଏବଂ ପୋଲିସ ପକ୍ଷରୁ ୪୭୦ଜଣଙ୍କ ଇ-ଚାଲାଣ କଟାଯାଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ୨୪୫୦୦ଟଙ୍କା ଏବଂ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୬୫୦୦ଟଙ୍କା ମୋଟ ୩୧ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଆରଟିଓ ଶିବଶଙ୍କର ଚୈାଧୁରୀ ତଥ୍ୟ ପ୍ରଦାନ କରିଛନ୍ତି । ଜିଲ୍ଳା ଏସ.ପି.ଶ୍ରୀ ଶର୍ମା ଏବଂ ଆଂଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୈାଧୁରୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଏପ୍ରିଲ ୧ତାରିଖରୁ ସପ୍ତାହବ୍ୟାପି ଶୂନ୍ୟ ମୃତାହତ ସପ୍ତାହ ପାଳନ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ । ଏହି ସପ୍ତାହ ପାଳନ ବେଳେ ସଡକ ଦୁର୍ଘଟଣାରେ କେହି ଶୀକାର ହେଲେ ଜିଲ୍ଳାରେ ଥିବା ରକ୍ଷକମାନେ ତୁରନ୍ତ ଆହାତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକଲରେ ପଂହଚାଇବା ସହ ଜନସାଧାରଣ ମାନେ ସଚେତନ ହେଲେ ଏହି ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଥିଲା । ସେହିପରି ୧୮ବର୍ଷରୁ କମ ନାବାଳକମାନେ ଗାଡି ଚଳାଉଥିବାରୁ ଟ୍ରାଫିକ୍ ନିୟମାନୁସାରେ ୨୫ହଜାର ଟଙ୍କାର ଜୋରିମାନା ସହ ତାଙ୍କ ଅଭିଭାବକମାନଙ୍କୁ ତାଗିଦ୍ କରାଯାଉଛି ବୋଲି ଆରଟିଓ ଶ୍ରୀ ଚୈାଧୁରୀ ପ୍ରକାଶ କରିଥିଲେ । ଗତକାଲି ଠାରୁ ଜିଲ୍ଳାର ସମସ୍ତ ଥାନା ଅଂଚଳରେ ଏମଭି ଚେକିଂ ଜୋରଦାର କରାଯାଇଛି ।