ଅତିତତରେ ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବଣ ଆଦି ବିବିଧ ନାମରେ ପରିଚିତ କଳାହାଣ୍ଡିର ବିସ୍ତୃତ ଇତିହାସ ରହିଛି । ଅସୁରଗଡ-ନର୍ଲା ଅଞ୍ଚଳ ମଧ୍ୟ ପ୍ରାଚୀନ କାଳରୁ ଏକ ସମୃଦ୍ଧ ଅଞ୍ଚଳ ଭାବେ ଖ୍ୟାତ ଥିଲା । କମଳ ମଣ୍ଡଳ ଭାବେ ସୁପରିଚିତ ନର୍ଲା କାଳର କରାଳ ଗର୍ଭରେ ଲୀନ ହେବାପରେ ଆଧୁନିକ ନର୍ଲା ଦୀର୍ଘ ବର୍ଷ ଧରି ଏକ ଅବହେଳିତ ଅଞ୍ଚଳ ଭାବେ ପଡ଼ି ରହିଥିଲା । ନର୍ଲାର ପ୍ରଥମ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ଅର୍ଜୁନ କୁମାର ଚାନ୍ଦଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ନର୍ଲା ତା’ର ପୂର୍ବ ଗୈାରବ ଫେରି ପାଇଛି । ନର୍ଲାରେ ଗଢ଼ି ଉଠିଥିବା ଅନେକ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଆଜି ଏହି ଅଞ୍ଚଳର ସାମାଜିକ, ଅର୍ଥନୈତିକ ବୈଷମ୍ୟ ଦୂର କରିବାରେ ସହାୟକ ହୋଇଛି । ଏସବୁ ଅନୁଷ୍ଠାନ ନିର୍ମାଣ ପଛରେ ଅର୍ଜୁନ ଚାନ୍ଦଙ୍କ ପ୍ରଚ୍ଛନ୍ନ ହାତ ରହିଥିବାରୁ ତାଙ୍କୁ ଆଧୁନିକ ନର୍ଲାର ନବନିର୍ମାତା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବ୍ରିଟିଶ ଶାସନ ଅଧିନସ୍ଥ ରାଜତନ୍ତ୍ର ଶାସନ ବ୍ୟବସ୍ଥାରେ ପରିଚାଳିତ ତତ୍କାଳୀନ କଳାହାଣ୍ଡି ରାଜ୍ୟର ନର୍ଲା ଗୈାନ୍ତିଆ ପୁରୁଷୋତ୍ତମ ଚାନ୍ଦ ଓ ସୂର୍ଯ୍ୟମଣି ଦେବୀଙ୍କ ପୁତ୍ର ଅର୍ଜୁନ ଚାନ୍ଦ ୧୯୩୨ ମସିହା ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଅର୍ଜୁନ ଚାନ୍ଦ ଭବିଷ୍ୟତରେ ଏହି ଅଞ୍ଚଳର ଜଣେ ନବନିର୍ମାତା ଭାବରେ କଳାହାଣ୍ଡି ତଥା ସାରାରାଜ୍ୟରେ ନିଜକୁ ସୁପରିଚିତ କରାଇପାରିବେ ତାହା ତାଙ୍କ ବାଲ୍ୟ ଜୀବନରୁ ହିଁ ପରିପ୍ରକାଶ ହୋଇ ସାରିଥିଲା । ଅର୍ଜୁନ ଚାନ୍ଦ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲର ଛାତ୍ରଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ତତ୍କାଳୀନ ସରକାରଙ୍କ ଦ୍ଵାରା ପ୍ରାଥମିକ ଶିକ୍ଷା ପାଠ୍ୟକ୍ରମରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧକୁ ଉଠାଇ ଦିଆଗଲା । ଏହାର ପ୍ରତିବାଦ କରି ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲେ ଅର୍ଜୁନ ଚାନ୍ଦ । ଫଳସ୍ବରୂପ ତାଙ୍କୁ ସାମୟିକ ଭାବେ ସ୍କୁଲରୁ ବିତାଡ଼ିତ କରାଯାଇଥିଲା । ତେବେ ସେ ଏହାକୁ ଭୃକ୍ଷେପ କରି ନ ଥିଲେ । ଅବଶେଷରେ ଛାତ୍ର ନେତା ଅର୍ଜୁନ ଚାନ୍ଦଙ୍କ ଦୁର୍ବାର ଆନ୍ଦୋଳନ ଯୋଗୁଁ ବର୍ଣ୍ଣବୋଧ ପୁଣିଥରେ ପ୍ରାଥମିକ ଶିକ୍ଷା ଖସଡ଼ାରେ ସ୍ଥାନ ପାଇପାରିଥିଲା । ଏଥିରୁ ଶ୍ରୀ ଚାନ୍ଦଙ୍କ ମାତୃଭାଷା ପ୍ରିତି ଓ ସ୍ବାଭିମାନୀ ଓଡ଼ିଆ ଦାମ୍ଭିକତାର ପ୍ରମାଣ ମିଳିଥାଏ ।

ହାଇସ୍କୁଲ ଶିକ୍ଷା ସମାପ୍ତି ପରେ ସେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସମଗ୍ର ଜିଲ୍ଲାରେ ରାଜତନ୍ତ୍ର ଶକ୍ତି ବିରୁଦ୍ଧରେ ଲଢ଼ିବା ସହ ଜନସାଧାରଣଙ୍କ ମଧ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଯୁବକ ଅର୍ଜୁନ ଚାନ୍ଦ । ୧୯୫୮ ମସିହାରେ ସେ ନର୍ଲା ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ତଥା ୧୯୬୨ରେ ନର୍ଲା ବ୍ଲକ୍ର ଚେୟାରମେନ୍ ଦାୟିତ୍ଵ ନେଇ ଏ ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ମୂଳଦୁଆ ପକାଇଥିଲେ । ତାଙ୍କ ପ୍ରଚେଷ୍ଟାରେ ନର୍ଲାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ହାଇସ୍କୁଲ ଏବଂ ମହାବିଦ୍ୟାଳୟ ଗଢ଼ି ଉଠିବା ସାଙ୍ଗକୁ ତାଙ୍କ ପିତା ପୁରୁଷୋତ୍ତମ ଚାନ୍ଦଙ୍କ ଠାରୁ ଦାନସୂତ୍ରରେ ମିଳିଥିବା ଜମିରେ ଡାକ୍ତରଖାନା, ବ୍ଲକ୍ କାର୍ଯ୍ୟାଳୟ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ହାଇସ୍କୁଲ ଇତ୍ୟାଦି ପ୍ରତିଷ୍ଠା ହୋଇପାରିଥିଲା । ନର୍ଲା ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚତ୍ତର ଶିକ୍ଷାର ବିକାଶ ଦିଗରେ ତାଙ୍କ ଅବଦାନ ଅତୁଳନୀୟ ।
୧୯୬୨ର ଭାରତ-ଚୀନ ଯୁଦ୍ଧ ସମୟରେ ଦେଶର ପ୍ରତିରକ୍ଷା ପାଣ୍ଠିକୁ ସହାୟତା ଦେବା ନିମନ୍ତେ ତାଙ୍କ ନେତୃତ୍ବରେ ନର୍ଲା ବ୍ଲକ୍ର ବଦାନ୍ୟ ଜନସାଧାରଣଙ୍କଠାରୁ ଦୁଇ କିଲୋ ଚାରିଶହ ଗ୍ରାମ ସୁନା ତଥା ୪୨୦୦ ଟଙ୍କାର ଦାନ ସଂଗ୍ରହ କରାଯାଇ ପାରିଥିଲା । ସେହି ସମୟରେ ସେ ନର୍ଲାର ପ୍ରଥମ ବ୍ଲକ ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହନ କରୁଥିଲେ । ଭାରତମାତାର ସେବାପାଇଁ ତାଙ୍କର ଏହି ଦାନ ଚିରଦିନ ପାଇଁ ମନେ ରହିବ । ୧୯୬୨ ମସିହାରେ ଜଣେ ଶିକ୍ଷକଙ୍କ ବେତନ ୧୦୦ ଟଙ୍କା ଥିବାବେଳେ ସେ ଦେଶର ପ୍ରତିରକ୍ଷା ପାଣ୍ଠିକୁ ୪୨୦୦ ଟଙ୍କା ଓ ଦୁଇ କିଲୋ ଚାରିଶହ ଗ୍ରାମ ସୁନା ସଂଗ୍ରହ କରି ଦେବା ସାଧାରଣ କଥା ନୁହଁ । ତାଙ୍କର ଏହି ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୩ ଜାନୁଆରୀ ୧୯୬୩ରେ ଅର୍ଜୁନ ଚାନ୍ଦଙ୍କୁ ଏକ ସନନ୍ଦ ପ୍ରଦାନ କରିଥିଲେ । ଏଥିରୁ ତାଙ୍କର ସାଙ୍ଗଠନିକ ଶକ୍ତି ଓ ଲୋକପ୍ରିୟତାର ସୂଚନା ମିଳିଥାଏ ।
ଶ୍ରୀ ଚାନ୍ଦ ଆଜୀବନ କଂଗ୍ରେସ ଦଳରେ ଥିଲେ ମଧ୍ୟ ସେ ସବୁ ଦଳ ସହ ସମନ୍ୱୟ ରକ୍ଷାକରି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଅତି ନିବିଡ଼ ଥିଲା । ରାଜ୍ୟସ୍ତରର ନେତୃବର୍ଗଙ୍କୁ ପ୍ରଭାବିତ କରି ସେ ନର୍ଲା ତଥା କଳାହାଣ୍ଡିର ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରି ଯାଇଛନ୍ତି ସେଥିପାଇଁ ଜିଲ୍ଲାବାସୀ ତାଙ୍କ ନିକଟରେ ଚିରରଣୀ ହୋଇ ରହିବେ । ଜଣେ ସାମାଜିକ କର୍ମୀ ହିସାବରେ ତାଙ୍କ ସହଯୋଗ ନିମନ୍ତେ ଯେ କେହି ଆସିଲେ ମଧ୍ୟ ସେ କାହାକୁ ନିରାଶ କରି ନଥିଲେ । ଦଳମତ ନିର୍ବିଶେଷରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ତାଙ୍କ ସାହାଯ୍ୟ ସହଯୋଗ ତଥା ଅଞ୍ଚଳର ଉନ୍ନତି ନିମନ୍ତେ ଅର୍ଜୁନ ଚାନ୍ଦଙ୍କ ବ୍ୟଗ୍ରତା ତାଙ୍କୁ ନର୍ଲାର ଜନନେତା କରି ପାରିଛି । ନର୍ଲା ତଥା କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଅର୍ଜୁନ ଚାନ୍ଦଙ୍କୁ ରାଜ୍ୟସଭା ସାଂସଦ ନିମନ୍ତେ ଚୟନ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା କିନ୍ତୁ ଏହି ଅଞ୍ଚଳର କେତେକ ବ୍ୟକ୍ତିଙ୍କ ଅସହିଷ୍ଣୁତା ଯୋଗୁଁ ଶେଷ ପର୍ଯ୍ୟାୟରେ ରାଜ୍ୟସଭା ସଦସ୍ୟ ପଦରୁ ବାଦ୍ ପଡିଥିଲେ ଅର୍ଜୁନ ଚାନ୍ଦ ।
‘ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ’। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଓ ଧ୍ରୁବ ସତ୍ୟ । ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ । କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତା’ର ସାଧନା, ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ ଅର୍ଜୁନ କୁମାର ଚାନ୍ଦ ସେହିପରି ତାଙ୍କର ସଂଗଠନ, ସମାଜସେବାର ପରାକାଷ୍ଠା ଏବଂ ରାଜନୈତିକ ପାରଦର୍ଶିତା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ନର୍ଲା ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ସେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ । ୨୦୨୩ ମାର୍ଚ୍ଚ ୨୯ରେ ଇହଲିଳା ସମ୍ବରଣ କରିଛନ୍ତି ବିଶିଷ୍ଟ ଜନନେତା ଅର୍ଜୁନ କୁମାର ଚାନ୍ଦ । ତାଙ୍କ ଦେହାବସାନରେ ଗୋଟିଏ ଯୁଗର ପରିସମାପ୍ତି ଘଟିଛି । ଆଜି ୨୦୨୩ ମସିହା ଅପ୍ରେଲ ୯ ତାରିଖ ରବିବାର ତାଙ୍କର ଦ୍ବାଦଶାହ ଦିବସ ଅବସରରେ ‘ଓଡ଼ିଆ ବାର୍ତ୍ତା’ ପରିବାର ପକ୍ଷରୁ ସେହି ଅମର ଆତ୍ମାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
ମୁଖ୍ୟ ସଂପାଦକ ଓଡ଼ିଆ ବାର୍ତ୍ତା

Omkar Vasthu
Near Ashish Medical Store, Bhawanipatna
Udyogi Nursery