ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ । ସ୍ପଷ୍ଟ ବହୁମତ ଆଡକୁ ଆଗେଇ ଚାଲିଛି କଂଗ୍ରେସ । ଏକ୍ଗିଟ ପୋଲର ଆକଳନଠାରୁ ଯଥେଷ୍ଟ ଅଧିକ ବହୁମତ ପାଇଁ ଆଗେଇଛି କଂଗ୍ରେସ । ହେଲେ ବିଜୟର ଏହି ମହାସ୍ରୋତରେ କେମିତି ବାଦ ପଡିଗଲେ କର୍ଣ୍ଣାଟକର ଏହି ହେଭିୱେଟ ନେତା ? ଦଳ ଛାଡିବା କ’ଣ ତାଙ୍କ ପାଇଁ ମହଙ୍ଗା ପଡିଲା କି ? କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିଲେ । ହେଲେ ବିଜେପିର ମହେଶ ତେଙ୍ଗିନାକାଇଙ୍କ ନିକଟରୁ ପ୍ରାୟ ୩୦ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। ଏକଦା ବିଜେପିର ଏହି ହେଭିୱେଟ ନେତା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଦଳ ଛାଡ଼ିଥିଲେ ହାତ ଧରିଥିଲେ । ୨୦୨୩ ନର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ଶେଟ୍ଟାର । କଂଗ୍ରେସ ଟିକେଟରୁ ଲଢିଥିଲେ । ହେଲେ କଂଗ୍ରେସର ବିଜୟ ଧାରା ଲାଗି ରହିଥିବାବେଳେ ଏହାର ପ୍ରଭାବ ଶେଟ୍ଟାରଙ୍କ ଉପରେ ପଡିନି । ସବୁଠାରୁ ବଡ କଥା ହେଉଛି ଦଳ ଛାଡିବା ଏବଂ ଦଳର ଏକ ଭଲ ପ୍ରସ୍ତାବକୁ ଏଡାଇ ଦେବା ତାଙ୍କ ପାଇଁ ମହଙ୍ଗା ପଡିଲା ।ଜଗଦୀଶ ଶେଟ୍ଟାର ବିଜେପି ଛାଡି କଂଗ୍ରେସରେ ମିଶିବା ଏକ ଭୁଲ ବୋଲି କହିଥିଲେ ପୂର୍ବତନ ମନ୍ତ୍ର ବିଏସ ୟେଦୁରପ୍ପା । କାରଣ ତାଙ୍କୁ ଦଳ ଟିକେଟ ନ ଦେବା ପଛରେ କାରଣ ଥିଲା । ଦଳ ତାଙ୍କୁ ରାଜ୍ୟସଭାକୁ କୁଆଡେ ପଠାଯାଇଥାନ୍ତା । କେନ୍ଦ୍ର ମନ୍ତ୍ରୀ ହୋଇଥାନ୍ତେ । ହେଲେ ଶେଟ୍ଟାର ଏହାକୁ ଏଡାଇ ଦେଇ କଂଗ୍ରେସ ହାତ ଧରିଥିଲେ । ଅବଶ୍ୟ ଶେଟ୍ଟାର ବିଜେପି ଛାଡିବାବେଳେ ଏକଥା ବି କହିଥିଲେ ଯେ ଦଳ ତାଙ୍କୁ ଅଣଦେଖା କରୁଛି ।