ଝିରିପାଣି ପଞ୍ଚାୟତରେ କୁକୁର ମଡକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଗତ ଏକ ସପ୍ତାହ ହେଲା କୁକୁର ମଡକ ଦେଖିବାକୁ ମିଳିଛି। ଏହାକୁ ନେଇ ପଞ୍ଚାୟତ ବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଉଛି। ମଣିଷ ମାନଙ୍କ ବିଶ୍ୱାସ ଯୋଗ୍ୟ ପ୍ରାଣୀ ଭାବେ ପ୍ରତ୍ୟେକ ଗ୍ରାମରେ ଲୋକେ କୁକୁର ରଖି ଖାଇବା ପିଇବା ଦେଇଥାନ୍ତି। କୌଣସି ବ୍ୟକ୍ତିଙ୍କ ନିଜ ପୋଷା କୁକୁର ହୋଇନଥିଲେ ମଧ୍ଯ ଗାଁ କୁକୁରକୁ ସ୍ନେହ କରି ଖାଇବାକୁ ଦେଇଥାନ୍ତି। ଗାଁରେ କୌଣସି ଅଜଣା ଲୋକ କିମ୍ବା କୌଣସି ଜଙ୍ଗଲ ପଶୁ ପକ୍ଷୀ ଓ ସରୀସୃପ ଜନ୍ତୁ ପଶିଆସିଲେ କୁକୁରମାନେ ଭୁକି ଥାନ୍ତି। କୁକୁର ଭୁକିବା ଦେଖି ଲୋକେ ମଧ୍ଯ ଜାଗ୍ରତ ହୋଇଯାଆନ୍ତି। ଏଭଳି କୁକୁର ମଣିଷ ମଧ୍ଯରେ ଜଙ୍ଗଲ ମଧ୍ୟ ଗାଁ ଗୁଡ଼ିକରେ ରହିଥିବା ବେଳେ ଏବେ ଏକ ସପ୍ତାହ ମଧ୍ଯରେ ଝିରିପାଣି ପଞ୍ଚାୟତର ଦେଶୁ ଘାଟିରେ ୪ଟା, ବରଗୁଡାରେ ୫ଟା, ଝିରିପାଣିରେ ୮ଟା, ଚଜାଙ୍ଗୀରେ ୫ଟା, ମେଣ୍ଡାବାରୁରେ ୩ଟା, ପୁରୁଣା ଝିରିପାଣିରେ ୪ ଟା, ବିଲେଇ ସୂର୍ଡାରେ ୩ ଟା, କର୍ଜଣ୍ଡି ରେ ୫ଟା, ଦୁପଟ୍ଟାରେ ୩ ଟା,ଲଲକୁଟିରେ ୩ଟା, ବରଗାଁରେ ୮ ଟା ଏଭଳି ୫୦ରୁ ଉର୍ଦ୍ଧ କୁକୁର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଝିରିପାଣି, ଭଣ୍ଡରଙ୍ଗି ଓ ବେଲଘର ପଞ୍ଚାୟତରେ ମଧ୍ଯ ଏଭଳି କୁକୁର ମଡକ ଦେଖାଦେଇଥିବା ଶୁଣିବାକୁ ମିଳୁଛି। କୁକୁର ମୃତ୍ୟୁ ବରଣ ପରେ ଗାଁ ମଧ୍ଯରେ ପଡି ଦୁର୍ଗନ୍ଧ ହେଉଥିବା ବେଳେ ଲୋକଙ୍କ ମଧ୍ଯରେ ଭୟ ମଧ୍ଯ ସୃଷ୍ଟି ହେଉଛି। ଏକ ସପ୍ତାହ ମଧ୍ୟରେ ଏତେ ଗୁଡିଏ କୁକୁର ମୃତ୍ୟୁ ଘଟଣା ଜଣା ପଡ଼ିନାହିଁ l ଏଣୁ ଏଥି ପ୍ରତି ଜିଲ୍ଲା ପ୍ରାଣୀ ଚିକିତ୍ସିକ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଅଞ୍ଚଳ ଗୁଡିକୁ ଏକ ଟିମ ପଠାଇ କୁକୁର ମଡକକୁ ରୋକିବା ପାଇଁ ପଞ୍ଚାୟତ ବାସୀ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.