କବିତା : ମଲା ସ୍ୱପ୍ନ

🖋ଉଦିତ କୁମାର

କିଏ ବା ବୁଝିପାରେ ସେ କଷ୍ଟ
ଯେତେବେଳେ ସେ ତା’ ଖୁସିର ଗଣ୍ଠିକୁ
ପେଟରେ ଧରି ବୁଲୁଥାଏ
ସ୍ୱପ୍ନର ପୁଟୁଳିରେ ଅନେକ ନୂଆ ନୂଆ ସ୍ୱପ୍ନ ସାଉଁଟି ରଖିଯାଏ ।

ଭୁଲ ବା’ କଣ ତାର?
ବକ୍ଷର ଶ୍ୱେତ ଅଶ୍ରୁରେ ତା ସ୍ୱପ୍ନକୁ ଜୀବନ ଦିଏ
ତଥାପି ସେ ଅକଲ୍ ଗୁଡୁମ୍ ହୋଇଯାଏ ବେଳେବେଳେ
କାହିଁକି ବା ତା ସ୍ୱପ୍ନ ହୋଇଯାଏ ନଷ୍ଟ?

ମୁଁ ଦ୍ୱନ୍ଦରେ ଆଜି ମଧ୍ୟ ବଞ୍ଚେ
ଖୋଜିପାରୁନାହିଁ ସେ କ୍ଳିଷ୍ଟ ପ୍ରଶ୍ନର ଉତ୍ତର
ଯିଏ ଚାଳ ଛପର ଘର ଚାରିକାନ୍ଥରୁ
ଚଟ୍ କିନା ଖୋଲା ଆକାଶରୁ ଦେଖିପାରେ ଜହ୍ନକୁ,
ଫଟ୍ କରି କହି ଜାଣେ ‘ବୁଢ଼ାର୍ ଖଟ୍’ ବୋଲି ।

ସଫା ଆକାଶରୁ ସଫେଦ୍ ରଙ୍ଗକୁ ଚିହ୍ନିବା ଶିଖିଥାଏ
କିନ୍ତୁ ଚିହ୍ନିପାରେ ନାହିଁ
ଆଧୁନିକ ଓ ଫୁଲବାବୁଙ୍କ ଧୋବ୍ କୁରୁତାର ନିଷ୍ଠୁରତାକୁ ।

ସେ ଜାଣିପାରେ ନାହିଁ ଜମା
ଦଶମାସର ଅନ୍ଧାର ଦୁନିଆଠୁ କେଡ଼େ ଠିକ୍
ଏ ଆଲୋକର ଘର?
ଯେଉଁଠି ଜହ୍ନ ଓ ତାରା ଲିଭେଇ ଦିଅନ୍ତି ଅନ୍ଧକାର
ସେ ଜାଣିନଥାଏ ବିଜ୍ଞାନ କ’ଣ?
ମନେମନେ ପୋଲିଓ ବୁନ୍ଦାରୁ ବୁଝିପାରେନି ଜ୍ୱରକୁ
ବୁଝିନାହିଁ ‘ମାଲ୍ ନ୍ୟୁଟ୍ରିସନ୍’ର ବା ଅର୍ଥ କଣ ହୋଇପାରେ?
ଅବୁଝା ରହିଯାଏ ଅକ୍ସିଜେନ୍ ଓ ସନ୍ ଷ୍ଟ୍ରୋକ୍ ଭଳି କଡ଼ା ଶବ୍ଦ
କିନ୍ତୁ ଥରେ ବି ଚାହୁଁଥିବ ତା’ ମନ ମାଲକାନଗିରି,
ନଗଡା, ଗୋରଖପୁର ଓ ମୁଜାଫରପୁରକୁ ବୁଲିଆସିବାକୁ ।

ମନେମନେ ବୋଧହୁଏ ଖୋଜୁଥିବ ଉତ୍ତର
କାହିଁକି ସେ ମୃତ୍ୟୁ ଯନ୍ତାର ନିଷ୍ଠୁର ଫାଶରେ
ଛନ୍ଦି ହୋଇଗଲା ଟିକିଏ ବୁଝିବାକୁ ।

ମୋ: 9178080970

ଏଠି ଛୁଇଁ ଓଡ଼ିଆ ବାର୍ତ୍ତାର ସାହିତ୍ୟ ଗ୍ରୁପ୍ ଜଏନ୍ କରନ୍ତୁ, ସାହିତ୍ୟ ଖବର ଓ ଗପ କବିତା ଏଲର୍ଟ ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.