ସଂସ୍କୃତି ଓ ପରମ୍ପରା ଆମର ସବୁଠୁ ବଡ ସମ୍ପଦ

ରୁପ୍ରାରୋଡରେ କଳାହାଣ୍ଡି ଉତ୍ସବ ଘୁମୁରା : ସରିଛି ଉତ୍ସବ ଚାଲିଛି ଚର୍ଚା

ଭୂବନେଶ୍ବର,୮/୧:
କଳାହାଣ୍ଡିର କଳା ସଂସ୍କୃତି ସହ ଆଜି ସାରା ବିଶ୍ବ ପରିଚିତ । ଏସବୁ ସମ୍ଭବ ହୋଇଛି ମାଟିକୁ ଗଭୀର ଭାବେ ଭଲପାଇ ନାନା ଘାତ ପ୍ରତିଘାତ ସତ୍ତ୍ବେ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ କରୁଥିବା କଳାକାର ମାନଙ୍କ ଅଦମ୍ୟ ସାଧନା ଯୋଗୁଁ । କଳାହାଣ୍ଡିର କଳା ସଂସ୍କୃତିକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବାର ଏକ ସୁନ୍ଦର ମାଧ୍ୟମ ପାଲଟିଛି କଳାହାଣ୍ଡି ଉତ୍ସବ । ୨୩ ବର୍ଷ ତଳେ ଅଙ୍କୁର ହୋଇ ଆରମ୍ଭ ହୋଇଥିବା ଏହି ଜିଲ୍ଲା ଉତ୍ସବ ଆଜି ମହାଦୃମରେ ପରିଣତ ହୋଇ ଏହାର ଶାଖା ପ୍ରଶାଖା ବ୍ୟାପ୍ତ ହୋଇଛି ଉପଖଣ୍ଡ, ବ୍ଲକ, ପଞ୍ଚାୟତରୁ ପଲ୍ଲୀ ପର୍ଯ୍ୟନ୍ତ । କଳାହାଣ୍ଡି ଉତ୍ସବ ସାଂସ୍କୃତିକ ଆନ୍ଦୋଳନର ଋପ ନେଇ ସାଧାରଣ ଜନତାର ପ୍ରିୟ ଉତ୍ସବ ହୋଇ ପାରିଛି । ଜିଲ୍ଲା ଓ ବ୍ଲକ ବ୍ୟତିରେକ ଘୁମୁରା ଉତ୍ସବ ପଞ୍ଚାୟତ ସ୍ଥରରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଦେଖା ଯାଉଛି । ସଂସ୍କୃତି ଓ ପରମ୍ପରା ଆମର ସବୁଠୁ ବଡ ସଂପଦ ବୋଲି ରୁପ୍ରାରୋଡ ଠାରେ ଆୟୋଜିତ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବରେ ମତ ପ୍ରକାଶ ପାଇଛି ।

ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଠାରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ । ଏକ ସଚେତନ ଗଣମାଧ୍ୟମ ଭାବେ ଓଡିଆ ବାର୍ତ୍ତା ପ୍ରଥମେ ଏହି ଖବର ପ୍ରକାଶ କରିଥିଲା । ତେବେ ଉତ୍ସବ ପରିସମାପ୍ତି ହେବାର ତିନି ଦିନ ପରେବି ନର୍ଲା ବ୍ଲକ ସାରା ରୁପ୍ରାରେଡ ପଞ୍ଚାୟତର ଘୁମୁରା ଉତ୍ସବକୁ ନେଇ ଚର୍ଚା ଆଲୋଚନା ଜୋର ଧରିଛି । ସବୁଠି ଏହି କୀର୍ଯ୍ୟକ୍ରମକୁ ନେଇ ଭୂୟସୀ ପ୍ରଶଂସା ଚାଲିଥିବା ବେଳେ ଅନୁଷ୍ଠିତ ହୋଇ ଯାଇଥିବା ଏହି ଉତ୍ସବର ପ୍ରତିଟି ମୁହୂର୍ତକୁ ପାଠକ ମାନଙ୍କ ପାଖରେ ପରସି ଦେବାକୁ ଆମର ଏକ ସ୍ବତନ୍ତ୍ର ଉପସ୍ଥାପନ ।

ସେହି ଦିନ ଥିଲା ପାଞ୍ଚ ଜାନୁୟାରୀ ଶନିବାର ଚଳ ଚଞ୍ଚଳ ଥିଲା ରୁପ୍ରାରୋଡର ପରିବେଶ । ପଞ୍ଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ରଣାଙ୍କ ନେତୃତ୍ବରେ ଘୁମୁରା ଉତ୍ସବର ସମସ୍ତ ପ୍ରସ୍ତୁତି ଯୋର ସୋରରେ ଚାଲିଥାଏ । ନିର୍ଧାରିତ ସମୟରେ ବିଲାଟ ଧରଣୀ ପିଠରୁ ମଶାଲ ଯାତ୍ରା ଆରମ୍ଭ ହେଲା । ମୂଖ୍ୟ ଅତିଥି ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକ ଭବ୍ୟ ପରିବେଶରେ ଆଗେଇ ଚାଲିଥିଲେ ପଞ୍ଚାୟତ ଅଭିମୂଖେ । ସାଂସ୍କୃତିକ ଦଳର ବାଦ୍ୟନାଦ ସହ ମଶାଲ ପହଞ୍ଚିଥିଲା ରୁପ୍ରାରୋଡ ପଞ୍ଚାୟତ ପରିଷରକୁ ।

ପୂର୍ବରୁ ଆମନ୍ତ୍ରୀତ ଗୌନ୍ତିଆ ମାନେ ପାରଂପାରିକ ବିଧାନରେ ପୂଜାର୍ଚନା କରି ମଶାଲ ସ୍ଥାପନ କରିବା ପରେ ଉଦଘାଟନୀ ଉତ୍ସବ ଓ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜ୍ୟ ପୂଜା ଅନୁକ୍ରମରେ ବିଭିନ୍ନ ଗ୍ରାମର ଗୌନ୍ତିଆ ମାନଙ୍କୁ ପ୍ରଥମେ ଏହି ଉତ୍ସବରେ ସମ୍ବର୍ଧିତ କରାଯାଇଥିଲା । ଉଦଘାଟନୀ ସମାରୋହରେ ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଂଜନ ରଣା ଅଧ୍ୟକ୍ଷତା କରିଥିଲେ ।

ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି, ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ, ନାଏବ ସରପଞ୍ଚ ଡଲି ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ରିନା ଭୋଇ, ରୁପ୍ରାରୋଡ ସେବା ସମବାୟ ସମିତିର ସଭାପତି ଦେବରାଜ ରଣା, ସିଆରସିସି ସରତ ଚନ୍ଦ୍ର ଭୋଇ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରଧାନ, ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ଶ୍ୟାମ ସୁନ୍ଦର ଶର୍ମା, ନିର୍ବାହୀ ଅଧିକାରୀ ଜାଫେତ ନାଗ ପ୍ରମୂଖ ଯୋଗଦେଇ କଳାହାଣ୍ଡି ଉତ୍ସବର ଉଦ୍ଦେଶ୍ୟ ସହ ଅଞ୍ଚଳର କଳା ସଂସ୍କୃତି ଓ ବିକାଶର ଧାରା ଉପରେ ଆଲୋକ ପାତ କରିଥିଲେ । ବିଦ୍ୟାଳୟର ଛାତଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା ସେହିପରି ମହିଳା ମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ସଂଦ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ, ସମିତି ସଭ୍ୟ, ନାଏବ ସରପଞ୍ଚ , ସିଆରସିସି ପ୍ରମୂଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ସରପଞ୍ଚ ଚିତ୍ତ ରଞ୍ଜନ ରଣା ।

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ଓ ମହିଳା ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ । ମଝିରେ ମଝିରେ ସ୍ଥାନୀୟ କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରୁଥାନ୍ତି ଏହା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପ୍ରଦର୍ଶିତ ହେଉଥିଲା । ଏହା ସହ ଭୂବନେଶ୍ବରରୁ ଆସିଥିବା ଯାଦୁକରଙ୍କ ଅନନ୍ୟ ଯାଦୁ ପ୍ରଦର୍ଶନରେ ଦର୍ଶକ ସ୍ଥମ୍ଭିଭୂତ ହୋଇ ଉଠୁଥିଲେ ।

ଏହି ଅବସରରେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା । ଏହି ସୌଭାଗ୍ୟବାନ ବ୍ୟକ୍ତିତ୍ବ ମାନେ ହେଲେ ‘ଶ୍ରେଷ୍ଠ ଶିକ୍ଷକ’ ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ, ‘କୃଷକ ଶ୍ରୀ’ ବରଗାଁର ସ୍ବର୍ଗତ ଦୈତାରି ଭୋଇ, ‘ନାଟ୍ୟଶ୍ରୀ’ ସୁଦେବ ପଧାନ, ‘କ୍ରିଡାଶ୍ରୀ’ ଶେଖର ଚନ୍ଦ୍ର ଦାଶ, ‘କିର୍ତନ ଗୁରୁଶ୍ରୀ’ ଖଗ ଗଉଡ, କଣ୍ଠ ଶିଳ୍ପୀ ରଂଜନ କୁମାର ତ୍ରୀପାଠୀ, ଯୁବ ପ୍ରତିଭା ଗଣେଶ ଚନ୍ଦ୍ର ପୃଷ୍ଟି, ସମାଜସେବୀ ପର୍ଶୁରାମ ଭୋଇ, ରାଜନୀତି ସମ୍ମାନ ହରି ପ୍ରସାଦ ପଧାନ, ନାଙ୍ଗୁଲ ଗୁଡା ସମ୍ମାନ ରେ ବନସୁରକ୍ଷା ସମିତି ଛତାମହୁଲ, ବୀର କମଳ ସମ୍ମାନ ସତ୍ୟାନନ୍ଦ ମାଝୀ, ମାଟ୍ରିକ ଚମ୍ପିୟନ ଅଶ୍ବିନ ଅଗ୍ରଓ୍ବାଲ ଓ ସ୍ବତନ୍ତ୍ର ସମ୍ମାନରେ ଅଭିଶିକ୍ତ ହୋଇଥିଲେ ବଲବସପୁରର ଦିବ୍ୟାଙ୍ଗ ଅଥଚ କର୍ମ ପ୍ରବୀଣା ଆଶା କର୍ମୀ ଶୁଶ୍ରୀ ଅମୃତା ସାହୁ । ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ଅନିଲ କୁମାର ସାହୁ ଓ ଧନ୍ୟବାଦ ଅର୍ପଣ କରିଥିଲେ ଜାଫେତ ନାଗ ।

ପ୍ରବଳ ଶୀତରେ ଦର୍ଶକ ଚାହିଁ ରହି ବସିଥିଲେ କେତେବେଳେ ସେମାନଙ୍କ ଇପ୍ସିତ ସମୟ ଉପସ୍ଥିତ ହେବ । ଦିନ ତମାମ ଅନେକ ପ୍ରକାର କାର୍ଯ୍ୟ କ୍ରମ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ଟିକେ ଡେରି ହୋଇଗଲା । ଏପଟେ ଦେହ ଶିତେଇ ଉଠୁଛି ସେପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ଲୋଭ ଭିତରେ ଜନ ସମୁଦାୟ । ପ୍ରବଳ ଗହଳୀ ଭିତରେ ଫାଟି ପଡୁଥାଏ ଉତ୍ସବ ସ୍ଥଳ । ତେବେ ‘ଡେରିରେ ହିଁ ଅସଲ ମଜା ଥାଏ’ ଏକଥା ଭଲ ଭାବରେ ଜାଣନ୍ତି ଏହି ମାଟିର ଜନତା । ଜନତାର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବୀର କମଳ ମଞ୍ଚ ଢୋଲ୍, ନିସାନ୍,ତସା ସହ ପଞ୍ଚ ବାଦ୍ୟରେ ପ୍ରକମ୍ପିତ ହେଲା ।

ଲୋଇସିଙ୍ଗାର ଦୁଲଦୁଲି କଳାକାର ମାନେ ଆରମ୍ଭ କରିଦେଲେ ସେମାନଙ୍କ ଅପୂର୍ବ କଳା । ଯେତେ ବେଳେ ବନ ହରିଣୀ ଯୁଥ ପରି ମଞ୍ଚକୁ ନୃତ୍ୟାଙ୍ଗନା ମାନେ ପ୍ରବେଶ କଲେ ସେତେବେଳେ ଦର୍ଶକ ମାନେ ଏକ ଳୟରେ ଚାହିଁ ରହିଥିଲେ ସେହି ଅପୂର୍ବ ଲାବଣ୍ୟ ବତୀ ତରୁଣୀ ମାନଙ୍କୁ । ସେହି ତରୁଣୀ ମାନଙ୍କ ଆଖିରେ ଅୟୁତ ଯୁଗର ସ୍ବପ୍ନ, ଚଞ୍ଚଳ ନଦୀପରୀ ସେମାନଙ୍କ ଗତି, ଚନ୍ଦ୍ର ପରି ଉଜ୍ଜଳ ମୂଖ ସହ ମନଜିଣା ହସ । ପଶ୍ଚିମ ଓଡିଶାର ପ୍ରାଚୀନ ବାଦ୍ୟ ପରଂପରାର ଅନନ୍ୟ ବିଭବ ଦୁଲଦୁଲି ରେ ଏହି ମାଟିର ବାସ୍ନା ବାରି ହୋଇ ପଡୁଥିଲା । ଏହି ବାଦ୍ୟ ନାଦ ଭିତରେ ପ୍ରକାଶିତ ହୋଇଥାଏ ଆମର ପ୍ରାଚୀନ ଐତିହ୍ୟ ପରଂପରାର ଇତିହାସ । ବଜନିଆ ମାନଙ୍କ ବିଭିନ୍ନ ତାଳ ସହ ଭୀମ ଭୈରବ ରୂପ ଓ ନୃତ୍ୟାଙ୍ଗନା ମାନଙ୍କ ଲାସ୍ୟ, ବାତ୍ସଲ୍ୟ ରଶ ଓ ପ୍ରେମମୟ ଭାବର ନୃତ୍ୟରେ ବିଭୋର ଦର୍ଶକ ଭୂଲି ଯାଉଥିଲେ ରାତ୍ରୀର ଗଭୀରତାକୁ । ସବୁ ଜିନିଷର ପରିସମାପ୍ତି ପରି ସମାପନ ହେଲା ରୁପ୍ରାରୋଡର ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ । ଦର୍ଶକ ମାନେ କହୁଥିଲେ ଏପରି ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରିବା ସତରେ ସହଜ ନୁହଁ ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.