✍ରଞ୍ଜନ ପ୍ରଧାନ
ଯେଉଁ ଡିଜିଟାଲ୍ ମିଡିଆକୁ ବ୍ୟବହାର କରି ୨୦୧୪ ଓ ୨୦୧୯ ଭଳି ଦୁଇ ଦୁଇଟି ନିର୍ବାଚନରେ ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସର୍ବାଧିକ ନିର୍ବାଚନୀ ସଫଳତା ହାସଲ କରିଥିଲା, ସେଇ ଡିଜିଟାଲ୍ ମିଡିଆ ଏବେ ମୋଦୀଙ୍କ ବିଜେପି ସରକାରଙ୍କୁ ପିତା ଲାଗୁଛି କାହିଁକି? ଯେଉଁ ଡିଜିଟାଲ୍ ମିଡିଆ ଦିନେ ମୋଦୀ ଓ ଶାହଙ୍କ ବିଜେପିକୁ ମଲ୍ଲୀ ଫୁଲ ଭଳି ମହମହ ବାସୁଥିଲା, ଆଜି ସେ ଗନ୍ଧଉଛି କାହିଁକି? ଯେଉଁ ଡିଜିଟାଲ୍ ମିଡିଆକୁ ସମ୍ଭାଳିବାକୁ ଅମିତ ମାଲବ୍ୟ ଭଳି କେତେଜଣ ବିଜେପି ନେତା ଆଇଟି ସେଲ୍ ନାଁରେ ନିଜର ପ୍ରଭାବ ବିସ୍ତାର କରିପାରିଥିଲେ, ଇନ୍ଦ୍ରଚନ୍ଦ୍ର ମାନୁ ନଥିଲେ; ଆଜି ସେମାନଙ୍କର ଡିଜିଟାଲ୍ ଜ୍ଞାନ କ’ଣ କାମ ଦେଉନି?
ମୋଦୀ ସରକାର ଡିଜିଟାଲ୍ ମିଡିଆ ଉପରେ ନିଆଁବାଣ ହେବାର ପ୍ରମୁଖ କାରଣ ହେଉଛି, ଏକଦା ଡିଜିଟାଲ୍ ମିଡିଆ ମୋଦୀଙ୍କ ପ୍ରଶଂସାରେ ଶତମୁଖ ହେଉଥିଲା। କିନ୍ତୁ ଆଜି ସେଇ ଡିଜିଟାଲ୍ ମିଡିଆ ମୋଦୀଙ୍କ ମିଛର ପ୍ରଶଂସା କରୁନି କି ଗୁଣଗାନ କରୁନି; ବରଂ ଡିଜିଟାଲ୍ ମିଡିଆ ମାଧ୍ୟମରେ ମୋଦୀ ସରକାରଙ୍କ ମୁଖା ଖୋଲି ଯାଉଛି। ମୋଦୀଙ୍କର ଡାହା ମିଛସବୁ ଡିଜିଟାଲ୍ ମିଡିଆରେ ଧରା ପଡିଯାଉଛି। ଏଣୁ ଏ ଡିଜିଟାଲ୍ ମିଡିଆ ଉପରେ କଳେବଳେ କୌଶଳେ ଅଙ୍କୁଶ ଲଗାଇବାକୁ ସରକାର ଚିନ୍ତା କରୁଛନ୍ତି। କାରଣ ଡିଜିଟାଲ୍ ମିଡିଆର ନିର୍ଦ୍ଦିଷ୍ଟ ମାଲିକ କେହି ନାହାନ୍ତି ଯାହାକୁ ମୋଦୀ-ଶାହ କାବୁ କରି ନେଇ ପାରିବେ। ଏଣୁ ଡିଜିଟାଲ୍ ମିଡିଆ ବେକାବୁ। ଏହା ମୋଦୀଙ୍କ ବିଜେପି ପାଇଁ ଅସହ୍ୟ ହୋଇ ପଡିଛି। ଏଣୁ ଡିଜିଟାଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ମୋଦୀ ସରକାର ନୂଆ କୌଶଳ ସୁପ୍ରିମ କୋର୍ଟ ଜରିଆରେ ପ୍ରୟୋଗ କରିବାକୁ ଯାଉଛନ୍ତି। ଏ କାମ ସରକାର ନିଜେ ନ କରି ସୁପ୍ରିମ କୋର୍ଟ ମାଧ୍ୟମରେ କରିବାକୁ ଚାହୁଁଛନ୍ତି। ଡିଜିଟାଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କ ଉପରେ ଚାପ ପକାଉଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇ ଡିଜିଟାଲ୍ ମିଡିଆ ଉପରେ ରୋକ୍ ଲଗାଇବାକୁ ଚାପ ସୃଷ୍ଟି କରାଯାଇଛି। ସୁପ୍ରିମ କୋର୍ଟକୁ ଢାଲ କରି ସରକାର ପୁଣି ଏକ ନୂଆ ଚାଲ୍ ଖେଳିବା ଆରମ୍ଭ କରିଛନ୍ତି।
ଡିଜିଟାଲ୍ ମିଡିଆ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି। ଡିଜିଟାଲ୍ ମିଡିଆ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମ୍ କୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଜଣେ ଆରଏସଏସ ଚିନ୍ତାଧାରାର ଟିଭି ମାଲିକଙ୍କ ଦ୍ବାରା ପରିଚାଳିତ ସୁଦର୍ଶନ ଟିଭି ଶୋ’ ବିବାଦ ଅବସରରେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ ଏହା କହିଛନ୍ତି। ଭାରତୀୟ ସିଭିଲ୍ ସର୍ଭିସରେ ମୁସଲମାନମାନେ ଜବରଦସ୍ତ ଅନୁପ୍ରବେଶ କରୁଛନ୍ତି ବୋଲି ଏହି ଟିଭି ପ୍ରଚାର କରୁଥିଲା। ଏହା ଉପରେ ସୁପ୍ରିମ୍ କୋର୍ଟ ରୋକ ଲଗାଇଛନ୍ତି। ଏହି ଟିଭି ଏହି ପ୍ରୋଗ୍ରାମର ନାଁ ‘ୟୁପିଏସସି ଜିହାଦ୍’ ରଖିଥିଲା। ମାତ୍ର ଏଭଳି ଏକ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା କାର୍ଯ୍ୟକ୍ରମର ପ୍ରସାରଣକୁ ସୁପ୍ରିମ କୋର୍ଟ ନିଷିଦ୍ଧ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଏଭଳି ଏକ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ପ୍ରୋଗ୍ରାମକୁ କିଭଳି ଅନୁମତି ଦେଲେ ବୋଲି ସୁପ୍ରିମ୍ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟଙ୍କ ଏଭଳି ଆରୋପ ଉପରୁ ନଜର ହଟାଇବାକୁ ଯାଇ ସରକାର ଡିଜିଟାଲ୍ ମିଡିଆ ଉପରେ ଦୋଷ ଲଦି ନିଜର ଅସହାୟତାକୁ ପଦାରେ ପକାଇ ଦେଇଛନ୍ତି।
ସୁଦର୍ଶନ ଟିଭି ଶୋ ବିବାଦକୁ ପାଣିଚିଆ ଓ ଗୋଳମାଳିଆ କରିବାକୁ ଯାଇ କେନ୍ଦ୍ର ସରକାର ଡିଜିଟାଲ୍ ମିଡ଼ିଆକୁ ଟାର୍ଗେଟ କରିଛନ୍ତି। ସୁପ୍ରିମ୍ କୋର୍ଟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର କାର୍ଯ୍ୟକଳାପ ପ୍ରତି ବ୍ୟସ୍ତ ନ ହୋଇ ବରଂ ଡଜିଟାଲ୍ ମିଡିଆକୁ ନିୟନ୍ତ୍ରଣକୁ ଆଣନ୍ତୁ ବୋଲି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସତ୍ୟପାଠ ମାଧ୍ୟମରେ କୁହାଯାଇଛି। ଡିଜିଟାଲ୍ ମିଡ଼ିଆ ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଏବଂ ମିଥ୍ୟା, ଘୃଣାସୂଚକ ଖବର ପ୍ରସାର କରୁଛି ଯାହା କି ହିଂସା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଉଛି ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ସୁଦର୍ଶନ ଟିଭି ‘ବିନ୍ଦାସ୍ ବୋଲ୍’କାର୍ଯ୍ୟକ୍ରମ ଜରିଆରେ ସଂଖ୍ୟାଲଘୁ ମୁସଲିମ୍ ସମ୍ପ୍ରଦାୟକୁ ଟାର୍ଗେଟ୍ କରୁଥିଲା। ଏଭଳି ଟିଭି ଶୋ’କୁ କେନ୍ଦ୍ର ସରକାର କିଭଳି ଅନୁମତି ଦେଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏ ଦେଶର ପ୍ରକୃତରେ କଣ ଚାଲିଛି, ଭଗବାନଙ୍କୁ ଜଣା।
‘ଉପତ୍ୟକା’
ନିଗିନିପୁର, ସାନଜରିଆ, କେନ୍ଦ୍ରାପଡ଼ା
ଫୋନ: ୯୪୩୭୨୧୩୮୫୪