ମୁନ୍ନା ମହାନ୍ତି ନିର୍ଦ୍ବନ୍ଦ୍ବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ନିର୍ବାଚିତ

ଲଗାତାର ଦୁଇ ଥର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହୋଇ ଇତିହାସ ରଚିଲେ ମହାନ୍ତି ଦମ୍ପତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ତୁଲାପଡା ସମିତି ସଭ୍ୟ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) । ୨୦୧୭ରେ ମଧ୍ୟ ଶ୍ରୀ ମହାନ୍ତି ନର୍ଲା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ବ୍ଲକ ଅଧ୍ୟକ୍ଷା ରହିଥିବା ତାଙ୍କ ଧର୍ମପତ୍ନୀ ତଥା ବିଜେଡିର ଜଣେ ତୁଙ୍ଗ ନେତ୍ରୀ ମନୋରମା ମହାନ୍ତି ଏଥରେ ମଧ୍ୟ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଲଗାତାର ଦୁଇ ଦୁଇ ଥର ମହାନ୍ତି ଦମ୍ପତ୍ତି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ରହିବା ଇତିହାସ ସୃଷ୍ଟି କରିଛି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଆଜି (ମାର୍ଚ୍ଚ ୨୩) ଓଡ଼ିଶାର ସମସ୍ତ ବ୍ଲକରେ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସେହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଜିଲ୍ଲାର ୧୩ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଉପାଧ୍ୟକ୍ଷ ନିର୍ବାଚନ ହେଉଥିବା ଖବର ହସ୍ତଗତ ହୋଇଛି । ନର୍ଲା ବ୍ଲକରେ ଭବାନୀପାଟଣା ବିଡ଼ିଓ ବିନୟ ଭୋଇ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ତେବେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ଦୁର୍ଗାପ୍ରସାଦ ମହାନ୍ତି ଜଣେ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ବିପକ୍ଷରେ କୈାଣସି ପ୍ରତିଦ୍ବନ୍ଦୀ ନଥିବାରୁ ସେ ନିର୍ବାଚିତ ଘୋଷିତ ହୋଇଥିବା ଜଣାପଡିଛି । ନର୍ଲା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ ଓ ରୁପ୍ରାରୋଡ ପିଇଓ ଜାଫେଦ ନାଗ ନିର୍ବାଚିତ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.