ଛତିଶଗଡ଼କୁ ମହୁଲ ଚୋରାଚାଲାଣ: ମାତିଛନ୍ତି ଦଲାଲ, ଶୋଷଣର ଶୀକାର ବନବାସୀ

ବଜାର ସୁବିଧା ନାହିଁ, ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ଦରରେ ବିକ୍ରୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ । ଏଠାକାର ଅଧିକାଂଶ ଗରୀବ ଅଧିବାସୀ ମାନଙ୍କୁ ଜଙ୍ଗଲଯାତ ଲଘୁଦ୍ରବ୍ୟ ଜୀବନଜୀବିକାର ଏକ ପ୍ରମୁଖ ଅଂଶ । କିଏ ଜଙ୍ଗଲରୁ କାଠ, ବାଉଁଶ, ପତ୍ର ସଂଗ୍ରହ କରି ପେଟ ପୋଷଣ କରୁଛି ତ ଆଉ କିଏ ଚାର, ମହୁଲ ଭଳି ଲଘୁବନଯାତ ଦ୍ରବ୍ୟ ବିକ୍ରି କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ମାତ୍ର ଲଘୁଯାତଦ୍ରବ୍ୟ ବିକ୍ରି ପାଇଁ ସେଭଳି କିଛି ମଣ୍ଡି ବ୍ୟବସ୍ଥା ନ ଥିବାରୁ ଏହି ଗରିବ ଅଧିବାସୀ ସଂଗ୍ରହ କରୁଥିବା ଦ୍ରବ୍ୟର ଲାଭ ବେପାରୀ ମାନେ ଉଠାଉଛନ୍ତି । ଏପରିକି ସେମାନଙ୍କ ଦ୍ଵାରା ସଂଗୃହିତ ମହୁଲ ଉପରେ ଲୋଲୁପଦୃଷ୍ଟି ପକାଇ ପଡୋଶୀ ଛତିଶଗଡ଼ରୁ ମଧ୍ଯ ଅସାଧୁ ବେପାରୀ ମାନେ ସଂପୃକ୍ତ ଅଞ୍ଚଳକୁ ଆସି ଶସ୍ତାରେ ମହୁଲକୁ ନେଇ ଯାଉଛନ୍ତି । ଆଉ ଛତିଶଗଡ଼କୁ ଚୋରାଚାଲାଣ ହେବାବେଳେ ଅଞ୍ଚଳର କେତକ ଅସାଧୁ ପ୍ରଶାସନିକ ଅଧିକାରୀ ତଥା କେତେକ କର୍ମଚାରୀ ସାମାନ୍ୟ ହାତଗୁଞ୍ଜା ପାଇ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି । ଫଳରେ ଶୋଷଣର ଶୀକାର ହୋଇ ମହୁଲ ସଂଗ୍ରହକାରୀଙ୍କ ଜୀବନଜୀବିକା ବିପନ୍ନ ହୋଇ ପଡୁଛି । ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲବୋଡ, ଘାଟମାଳ, ନୁଆମାଳପଡା, ଖଇରପଦର, ମାଖପଦର, ଭରୁଆମୁଣ୍ଡା, ନୂଆପଡ଼ା, କୁସୁମଯୋର, କେନ୍ଦୁମୁଣ୍ଡା, ଗୋର୍ଲ ପ୍ରଭୃତି ଗ୍ରାମପଞ୍ଚାୟତ ଅଞ୍ଚଳରେ ବହୁଲ ଭାବରେ ମହୁଲ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ଫଗୁଣ ମାସରେ ଲୋକ ମାନେ ଭୋର୍ ସମୟରେ ଘରୁ ବାହାରି ମହୁଲ ସଂଗ୍ରହରେ ଲାଗିପଡ଼ନ୍ତି । ପରିବାରର ସମସ୍ତେ ମୁଣ୍ତ ଝାଲ ତୁଣ୍ଡରେ ମାରି ଦୁଇ ପଇସା ପାଇବା ଆଶାରେ ଲାଗି ପଡନ୍ତି । କିନ୍ତୁ ଏଠାରେ ଆବଶ୍ୟକ ବଜାର ସୁବିଧା କିମ୍ବା ମଣ୍ଡିର ବ୍ୟବସ୍ଥା ନ ଥିବାରୁ ସରକାରୀ ସହାୟକ ମୂଲ୍ୟ ଠାରୁ କମ୍ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାର ଫାଇଦା କୁଜି ଦଲାଲ ଓ ବେପାରୀ ମାନେ ଉଠାଉଛନ୍ତି ଓ ମାଲେ ମାଲ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଅଞ୍ଚଳରୁ ଅଳ୍ପ ଦୁରରେ ସୀମାନ୍ତ ଛତିଶଗଡ଼ ରାଜ୍ୟ ଅବସ୍ତିତ । ଏଠିକାର ବେପାରୀ ମାନେ ଆସି ଓଡିଶାରୁ ମହୁଲ ସଂଗ୍ରହ କରି ନେଇ ଯାଉଛନ୍ତି । ଏପରିକି ରାଜ୍ଯର କିଛି ଅସାଧୁ ବେପାରୀ ମାନଙ୍କୁ ହାତ କରି ବେନିୟମ ଭାବରେ ଚାଲାଣ କରୁଛନ୍ତି । ଅସାଧୁ ବେପାରୀ ମାନେ ଗାଁ ଗଣ୍ଡା ବୁଲି ସଂରହ କରି ଗୋଟିଏ ସ୍ଥାନରେ ଗଛିତ ରଖି ପରେ ଟ୍ରକ ଓ ଚାରି ଚକିଆ ଗାଡିରେ ଚାଲାଣ କରୁଛନ୍ତି । ହେଲେ ଓଡିଶା ପ୍ରଶାସନ ସବୁ ଜାଣି ଅଜଣା ରହି ଚୁପ୍ ରହି ବସିଛି । ଯାହା ଫଳରେ ରାଜସ୍ବ ହାନି ହେଉଥିବା ଅଭିଯୋଗ ହେଉଛି । ଆଦିବାସି ମାନଙ୍କର ଜନ ଜୀବନ ସହ ମହୁଲ ଗଛ ଓ ଫୁଲର କାରବାରକୁ ନେଇ ସରକାର ଗମ୍ଭୀରତାର ସହ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ସଂପ୍ରତି ମହୁଲ ଗଛକୁ ନନ୍ ଟିମ୍ବର ଫରେଷ୍ଟ ପ୍ରଡକ୍ଟ (ଏନ ଟି ଏଫ୍ ପି) ଭାବେ ଗ୍ରହଣ କରାଯାଇଛି । ପଞ୍ଚାୟତ (ଏକ୍ସଟାନସନ୍ ଇନ୍ ସିଡ୍ୟୁଲ ଏରିଆ) ଏକ୍ଟ ୧୯୯୬ ର ୭୩ ତମ ସଂଶୋଧନ ଫଳରେ ମହୁଲ ଗଛକୁ ମାଇନର ଫରେଷ୍ଟ ପ୍ରଡକ୍ଟ ରୂପେ ଘୋଷଣା କରାଯାଇ ଏହାର କାରବାର ପଞ୍ଚାୟତ ଊପରେ ନ୍ୟସ୍ତ କରଯାଇଛି । ଫଳରେ ମହୁଲ ଫୁଲ ସଂଗ୍ରହ, ଏପରିକି ଏହାର ଦର ନିର୍ଦ୍ଧାରଣ ଓ ବଜାର ବ୍ୟବସ୍ଥା ଦାୟୀତ୍ୱ ମଧ୍ଯ ପଞ୍ଚାୟତ ର କାର୍ଯ୍ୟ ହୋଇଥିବା ବେଳେ ମହୁଲ ଫୁଲ ଝଡ଼ିବା ପୂର୍ବରୁ ପଞ୍ଚାୟତ ଗୁଡ଼ିକ ଦର ନିର୍ଦ୍ଧାରଣ କରିବା କଥା । କିନ୍ତୁ ପଞ୍ଚାୟତ ଗୁଡ଼ିକର ଭିତ୍ତିଭୂମିର ଅଭାବ ଓ ଆର୍ଥିକ ଅବସ୍ଥା ଦିଗରେ ଉଚ୍ଚ ଅଧିକାରୀ ମାନେ ଦୃଷ୍ଟି ଦେଉ ନ ଥିବାରୁ ଏଭଳି ଅବ୍ୟବସ୍ଥା ଯୋଗୁଁ ସଂଗ୍ରହକାରୀ ଶୋଷଣର ଶୀକାର ହେଉଛନ୍ତି । ଏ ବିଷୟରେ ଅନେକ ପଞ୍ଚାୟତ ଅଜ୍ଞାତରେ ରହିଥିବାରୁ ଏହା କାର୍ଯ୍ୟକାରୀ ହେଇପାରୁ ନାହିଁ । ଯାହାଫଳରେ ଅସାଧୁ ବେପାରୀ, ଅଣ ଓଡିଆ ବ୍ୟବସାୟୀ ମଦଭାଟି ଦଲାଲ ମାନେ ନାମ ମାତ୍ର ମୂଲ୍ୟରେ ମହୁଲ କିଣି ଚାଲାଣ କରୁଛନ୍ତି । ତେଣୁ ମହୁଲ ଫୁଲ ଉପରେ ସ୍ଵତନ୍ତ୍ର ଆଇନଗତ ଦିଗରେ ସଂଶୋଧନ କରି ଏହାର କାରବାରକୁ ବ୍ୟବସ୍ଥିତ କରି ଧାନ ପରି ମହୁଲକୁ ନୋଟି ଫାଏଡ ପ୍ରଡକ୍ଟ ରୂପେ ଘୋଷଣା କରିବା ସାଙ୍ଗେ ନିୟନ୍ତ୍ରିତ ବଜାର କମିଟି, ମହିଲା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମ ରେ ପରିଚାଳନା କରାଗଲେ ସଂଗ୍ରହକରି ମାନେ ବିଶେଷ ଉପକୃତ ହୋଇ ପାରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.