ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଭଇରି ପାଲି ବଜାର ପଡିଆ ଠାରେ ଗାଁ ସାଥି ମେଟ୍ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ଭଇରିପାଲି ସରପଂଚ ଭାନୁମତୀ ବେମାଲ, ଗାଁ ସାଥି ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କଳାହାଣ୍ଡିର ସାଧାରଣ ସମ୍ପାଦକ ତରୁଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ଥିଲେ । ଜୟପାଟଣା ବ୍ଳକର ଗାଁ ସାଥି ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ମୁନା କୁମାର ବାଗ ଏହି ବୈଠକରେ ସଭାପତିତ୍ବ କରିଥିବା ବେଳେ ବ୍ଲକ ସମ୍ପାଦକ ଶ୍ରୀ ଖଗପତୀ ନାଏକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଗାଁ ସାଥି ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜୟପାଟଣା ପକ୍ଷରୁ ଜନ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଁ ସାଥି ମେଟ୍ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜୟପାଟଣା ବ୍ଲକ ସଭାପତି ମୁନା କୁମାର ବାଗ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ପରେ ଚାରି ଦଫା ସମ୍ବଳିତ ଦାବିପତ୍ର ଜୟପାଟଣା ବ୍ଳକ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ଏହି ଚାରି ଦଫା ଦାବି ମଧ୍ୟରେ ସମସ୍ତ ମନରେଗା ଯୋଜନାରେ ହେଉଥିବା ସାମୁହିକ ପ୍ରକଳ୍ପ ଗୁଡ଼ିକର ଗାଁ ସାଥି ମେଟ୍ ମାନଙ୍କୁ ନେଇ ଏନ୍ଏମ୍ଏମ୍ଏସ୍ ମାଧ୍ୟମରେ କାର୍ଯ୍ୟ କରାଯାଉ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୯୪୦ କୁ କାର୍ଯକାରୀ କରାଯାଉ, ମନରେଗା ଯୋଜନାରେ ଚାଲିଥିବା ସମସ୍ତ ସାମୁହିକ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାଦେଶ ଗାଁ ସାଥି ମେଟ୍ ମାନଙ୍କୁ ଦିଆଯିବ ଇତ୍ୟାଦିକୁ କାର୍ଯକାରୀ କରିବା ପାଇଁ ବୈଠକର ଉପସ୍ଥିତ ରହିଥିବା ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ଏହି ସଭାରେ ଜୟପାଟଣା ବ୍ଳକ ସମସ୍ତ ଗାଁ ସାଥି ମେଟ୍ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ନେଇ ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।