ବାଲସିରେ ଆଠ ଦିନରୁ ଉର୍ଦ୍ଧ୍ବ ହେଲା ସପ୍ଲାଇ ପାଣି ବନ୍ଦ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପାନୀୟ ଜଳର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । ପ୍ରକୃତରେ ଏହି ପ୍ରକଳ୍ପରୁ କେତେ ସୁଫଳ ଲୋକଙ୍କୁ ମିଳୁଛି ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗ୍ରାମାଞ୍ଚଳରେ ଏକ ଲକ୍ଷ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ ଭାବରେ ଲୋକଙ୍କୁ ପାଣି ମିଳୁନଥିବା ନେଇ ଅଭିଯୋଗ ହେଉଛି । ନିୟମିତ ଭାବରେ ସମସ୍ତ ପରିବାରକୁ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାଣି ଯୋଗାଇ ଦେବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଲୋକେ ଅନୁରୋଧ କରୁଥିଲେ ମଧ୍ୟ କୋୖଣସି ସୁଫଳ ପାଉନାହାନ୍ତି । ଏନେଇ ଲୋକେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରେ ମଧ୍ୟ ଅବଗତ କରାଯାଇଥିଲେ ବି କୈାଣସି ସମାଧାନ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଅଭିଯୋଗ ଉଠିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ । ପ୍ରକାଶ ଯେ, ବାଲସି ଗ୍ରାମବାସୀଙ୍କ ପାନୀୟ ଜଳର ସୁବିଧା ପାଇଁ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି । ଗୋଟିଏ ଇନଟେକ କୂଅରୁ ବାଲସି ଓ ମଶାଣିବନ୍ଧ ଗ୍ରାମକୁ ପାଣି ସପ୍ଲାଇ କରିବା ପାଇଁ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି ହେଲେ ଇନଟେକ୍ କୂଅରେ ଆବଶ୍ୟକ ପାଣି ହୋଇପାରୁନାହିଁ । ଫଳରେ ଲୋକେ ପାଇପ ଯୋଗେ ନିୟମିତ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତେବେ ଇନଟେକ୍ ଓ୍ବେଲରେ ପାଣି ଅଭାବ ରହୁଥିବା ଯୋଗୁଁ ବାଲସି ଗାଁକୁ ଗୋଟିଏ ଦିନ ହେଲେ ମଶାଣିବନ୍ଧ ଗାଁକୁ ଗୋଟିଏ ଦିନ କରି ପାଲି ହିସାବରେ ପାଣି ସପ୍ଲାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହାବି ସଠିକ ଭାବରେ ପାଣି ଛଡାଯାଉନଥିବା ଅଭିଯୋଗ ହେଉଛି । ସେହିପରି ଦାୟିତ୍ବରେ ଥିବା କର୍ମଚାରୀଙ୍କ ମନମୁଖୀ ତଥା ଅବହେଳା ଯୋଗୁଁ ବାଲସି ଗ୍ରାମବାସୀ ନିୟମିତ ଭାବେ ସପ୍ଲାଇ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ବର୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବା ବେଳେ ପାଣି ସମସ୍ୟାକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ବାଲସି ଗ୍ରାମର ଲୋକେ ଆଜକୁ ୮ ଦିନରୁ ଉର୍ଦ୍ଧ୍ବ ହେଲା ପ୍ରକଳ୍ପରୁ ପାଣି ପାଇପାରୁ ନାହାନ୍ତି । ଇନଟେକ୍ ଓ୍ବେଲରୁ ବାଲସି ଗ୍ରାମର ଓଭରହେଡ ପାଣି ଟାଙ୍କିକୁ ସଂଯୋଗ ହୋଇଥିବା ମୁଖ୍ୟ ପାଇପରେ ଅସୁବିଧା ହେତୁ ବାଲସି ଓଭରହେଡ ପାଣି ଟାଙ୍କିକୁ ପାଣି ଚଢିବାରେ ଅସୁବିଧା ହୋଇଛି ବୋଲି ଦାୟିତ୍ବରେ ଥିବା ଏସଇଏମ୍ ଜଣକ ପ୍ରକାଶ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଜାଣି ଥିଲେ ସୁଦ୍ଧା ସେଥିପ୍ରତି ତତ୍ପରତା ଦେଖାଇନଥିବା ଓ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବାଲସି ଗ୍ରାମର ଲୋକେ ୮ ଦିନ ହେଲା ପାଣି ପାଇବାରୁ ବଞ୍ଚିତ ହେବା ଘଟଣା ଏକ ପରିତାପର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ସେହିପରି ପ୍ରକଳ୍ପ ନିର୍ମାଣ କାମରେ ନିମ୍ନମାନର କାମ ତଥା ନିୟମ ଅନୁସାରେ ପାଇପ ବିଛାଯାଇନଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ପ୍ରକଳ୍ପ ନିର୍ମାଣ କାମ ପ୍ରାୟ ୪ ବର୍ଷ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସମସ୍ତ ପରିବାରକୁ ପାଇପ ସଂଯୋଗ ହୋଇପାରିନାହିଁ । ଏଥିପ୍ରତି ପଞ୍ଚାୟତର ଜନପ୍ରତିନିଧିଙ୍କ ଭୂମିକା ଯାହା ରହିବା କଥା ତାହା ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେବା ସହ ପଞ୍ଚାୟତ କତୃପକ୍ଷ ଲୋକଙ୍କ ପାନୀୟ ଜଳର ସୁବିଧା ପାଇଁ ଦୃଷ୍ଟି ଦେଉନଥିବାରୁ ବାଲସି ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୮ ଦିନ ଧରି ବାଲସି ଗ୍ରାମବାସୀ ପ୍ରକଳ୍ପରୁ ପାଣି ନପାଇବା ଘଟଣା ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀ ଙ୍କୁ ପଚାରିବାରୁ, ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ବାଲସି ଗ୍ରାମବାସୀଙ୍କ ପାନୀୟ ଜଳ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ଅନ୍ୟ ଏକ ସ୍ଥାନରେ ଇନଟେକ୍ କୂଅର ବ୍ୟବସ୍ଥା କରି ନିୟମିତ ଭାବରେ ପାଣି ଯୋଗାଇ ଦେବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି ।