ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଘରେ ଘରେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ବସୁଧା ଯୋଜନା ଅଧିନରେ କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମରେ ଚାଲିଛି କାମ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ଜଳଯୋଗାଣ ପାଇଁ ପାଇପ ପକାଇବା ପାଇଁ ରାସ୍ତାକୁ ଖୋଳି ତୁରନ୍ତ ମାଟି କ୍ଲିୟର ନକରିବା ଯୋଗୁଁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ମାଟି ଅବରୋଧ ହୋଇ ରହିଥିବାରୁ ଗମନା ଗମନରେ ଅସୁବିଧା ସୃଷ୍ଟି ହୋଇଛି । କଥା ଏତିକିରେ ଶେଷ ହୋଇନାହିଁ । ଅଭିଯୋଗ ଆସିଛି ବିଳମ୍ବିତ ରାତିରେ କାଣ୍ଡେଲ ଉପସ୍ଵାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତାରେ ମାଟି ଖୋଲିବା ଫଳରେ ଯିବା ଆସିବା ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ ଏଠାରେ ଏକ ଘରୋଇ ଆୟୁର୍ବେଦିକ ଚିକିତ୍ସାଳୟ ଥିବାରୁ ଦୂର ଦୂରାନ୍ତରୁ ରୋଗୀମାନେ ଚାରି ଚକିଆ ଯାନରେ ଆସିଥାନ୍ତି । ତେବେ ପାଇପ ବିଛାଇବା ପାଇଁ ଠିକାଦାର ରାସ୍ତା ଖୋଲିଦେଇ ମାଟି ନପୋତି ଛାଡି ଦେଇଥିବାରୁ ଏହି ରାସ୍ତା ଦେଇ ଚାରି ଚକିଆ ଯାନ ଛାଡ଼ନ୍ତୁ ମୋଟର ସାଇକେଲରେ ଯିବା ଆସିବା ମଧ୍ୟ ଦୁର୍ବିସହ ହୋଇପଡିଛି । ଯାହା ଫଳରେ ରୋଗୀଙ୍କୁ ନେଇ ଆସୁଥିବା ଗାଡି ଗୁଡ଼ିକ ଅଧାରାସ୍ତାରେ ଅଟକି ରହିଥିବା ଜଣାପଡିଛି । ଏହି କାମ ପେଟି ଠିକାଦାର ମାଧ୍ୟମରେ କରାଯାଉଥିବାରୁ ଅତି ଖାମଖିଆଲି ଭାବେ କାମ ଚାଲିଛି ଓ କାର୍ଯ୍ୟର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜନତା । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।